• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ରେଜଲ୍ଟ । ଏଥର ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ଯାହା ଗତବର୍ଷଠାରୁ ପାଖାପାଖି ୪ ପ୍ରତିଶତ କମ୍ । ଏଥସହ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି। ରିଚେକିଂ ନେଇ ଆସନ୍ତା ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାରି ଭିତରେ ଆସନ୍ତା ଶିକ୍ଷାବର୍ଷକୁ ପରୀକ୍ଷା ଢାଞ୍ଚା ଓ ସିଲାବସରେ ପରିବର୍ତ୍ତନ ଅଣାଯିବ ବୋଲି ବିଭାଗ କହିଛି ।

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ ।  ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । ମୋଟ ୨ ଲକ୍ଷ ୩୦ ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨, ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧ ଲକ୍ଷ ୧୬ ହଜାର ୧୭୯ ଜଣ ପିଲା ପାସ୍ କରିଛନ୍ତି । ଏଥର ବି ପାସ୍ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ଝିଅଙ୍କ ପାସ୍ ହାର ୮୫.୬୬% ଥିବା ବେଳେ ପୁଅ ପାସ୍ ହାର ରହିଛି ୭୦.୪୩ ପ୍ରତିଶତ ।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ୍ ହୋଇଛନ୍ତି । ସେହିପରି ନବରଙ୍ଗପୁରରେ ସର୍ବନିମ୍ନ ପାସ ହାର ୭୦.୭୪% ରହିଛି । ସେପଟେ ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ ହାର ରହିଛି ୬୭. ୪୮ ପ୍ରତିଶତ। ମୋଟ ୩, ୮୬୦ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ବି ଝିଅ ଆଗରେ ଅଛନ୍ତି । 

ତେବେ ଚିନ୍ତାର ବିଷୟ ହେଉଛି ଯେ, ଗତବର୍ଷ ଅପେକ୍ଷା ଏଥର କମିଛି ପାସ୍ ହାର । ଗତବର୍ଷ ପାସ୍ ହାର ୮୨.୧୦ ପ୍ରତିଶତ ଥିଲା । ଏଥର ପାଖାପାଖି ୪ ପ୍ରତିଶତ କମିଛି ରେଜଲ୍ଟ । ଅନ୍ୟପକ୍ଷରେ କଳାରେ ମାତ୍ର ୨୪ ଜଣ ୯୦ ପ୍ରତିଶତ ଉପେର ମାର୍କ ରଖିଛନ୍ତି। ବିଭାଗ କହିଛି, ଗତଥର କୋଭିଡ୍ ସ୍ଥିତି ମଧ୍ୟରେ ପରୀକ୍ଷା ହୋଇଥିଲା, ତେଣୁ ରେଜଲ୍ଟ ବି ଭିନ୍ନ ଥିଲା । ଏହାରି ଭିତରେ ଆସନ୍ତା ଶିକ୍ଷାବର୍ଷକୁ ପରୀକ୍ଷା ଢାଂଚା ଓ ସିଲାବସରେ ପରିବର୍ତ୍ତନ ଅଣାଯିବ ବୋଲି ବିଭାଗ କହିଛି । 

ସେପଟେ ରିଚେକିଂ ପାଇଁ ୧୨ ତାରିଖ ଓ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁମାନେ ଗୋଟିଏ ବିଷୟରେ ଫେଲ୍ ହୋଇଥିବେ, ସେମାନେ ଏହି ପରୀକ୍ଷା ଦେଇପାରିବେ ।

  • Reported by:
  • T GOURISHANKAR , PAWAN TIWARI , BIBARTAN PANDA