ଏସିଡ୍ ପଡ଼ି ମୁହଁ ସିନା ଜଳିଯାଇଛି, ହେଲେ ମନରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି । ଖାଲି ଯେ ମୁହଁ ପୋଡିଛି ତାହା ନୁହେଁ, ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ତଥାପି ସେ ହାର୍ ମାନିନାହାନ୍ତି । ଅଡିଓ ବୁକ୍ ମାଧ୍ୟମରେ ଯଥା ସମ୍ଭବ ଶୁଣି ଶୁଣି ଅର୍ଜନ କରିଥିବା ଜ୍ଞାନ ଆଜି ତାଙ୍କୁ ସଫଳତାର ସିଡି ଚଢିବାରେ ସାହାଯ୍ୟ କରିଛି । ସେଥିପାଇଁ ତ ନିଜ ପରିଶ୍ରମ ବଳରେ CBSE ଦ୍ବାଦଶ ପରୀକ୍ଷାରେ ୯୫.୬ ପ୍ରତିଶତ ହାସଲ କରିଛନ୍ତି ଏସିଡ୍ ପୀଡିତା କାଫି । ହରିୟାଣାର ହିସାର ଅଞ୍ଚଳର ଛାତ୍ରୀ ହେଉଛନ୍ତି କାଫି ।
ନିକଟରେ CBSE ଦଶମ ଓ ଦ୍ବାଦଶ ରେଜଲ୍ଟ ପ୍ରକାଶ ପାଇଛି । କୃତକାର୍ଯ୍ୟ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ । ହେଲେ ଏସିଡ୍ ଆଟାକ୍ ପରେ ଦୃଷ୍ଟି ଶକ୍ତି ହରାଇଥିବା କାଫିଙ୍କ ସଫଳତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଚଳିତ CBSE ଦ୍ବାଦଶ ପରୀକ୍ଷାରେ ସେ ୯୫.୬ ପ୍ରତିଶତ ହାସଲ କରିବାରେ ସଫଳ ହୋଇଛନ୍ତି । ନିଜର ସଫଳତାର ଶ୍ରେୟ ଶିକ୍ଷକ ଓ ମାତାପିତାଙ୍କୁ ଦେଇଛନ୍ତି କାଫି ।
ସେ କହିଛନ୍ତି, "ମୁଁ ଏସିଡ୍ ପୀଡିତା । ଏସିଡ୍ ଆଟାକରେ ମୋର ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିବାରୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ମୋ ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା । ମୋ ଶିକ୍ଷକ ଓ ମାତାପିତା ପାଠପଢାରେ ମୋତେ ଅନେକ ସାହାଯ୍ୟ କରିଛନ୍ତି । ଅଡିଓ ବୁକ୍ ଓ ଟେଷ୍ଟ ବୁକକୁ ମୁଖ୍ୟ ମାଧ୍ୟମ କରି ମୁଁ ପାଠ ପଢିଥିଲି । ଭବିଷ୍ୟତରେ ଜଣେ IAS ଅଫିସର ହେବା ପାଇଁ ମୁଁ ଲକ୍ଷ୍ୟ ରଖିଛି । "