• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହାମାରୀ ଭିତରେ ଚଳିତ ବର୍ଷ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସ୍ ହାର ରହିଛି ୯୦. ୫୫ ପ୍ରତିଶତ । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ୧୧୭୦ ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଛି । ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ୧୧ରୁ ୨୫ ତାରିଖ ଯାଏଁ ଅନଲାଇନରେ ରିଚେକିଂ ପାଇଁ ଆବେଦନ କରିପାରିବେ ।

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି ।  ୮ ହଜାର ୬୯୯ ପିଲା ଫେଲ୍ ହୋଇଛନ୍ତି । ୨ ଲକ୍ଷ ୫୬ ହଜାର ୮୭୭ ଛାତ୍ର ଏବଂ ୨ଲକ୍ଷ ୬୦ ହଜାର ୯୭୦ ଛାତ୍ରୀ ପାସ୍ କରିଛନ୍ତି ।  A1ରେ ପାସ୍ କରିଛନ୍ତି ୮ ହଜାର ୧୧୯ ଛାତ୍ରଛାତ୍ରୀ,  A2ରେ ୫୪ ହଜାର ୮୮୯ ପାସ୍ କରିଛନ୍ତି ।

ସେହିପରି B1ରେ ୧ଲକ୍ଷ ୨୦ ହଜାର ୨୦୩, B2ରେ ୧ଲକ୍ଷ ୪୨ହଜାର ୨୬୬, Cରେ ୧ଲକ୍ଷ ୧୬ ହଜାର ୧୧୧, Dରେ ୫୯ ହଜାର ୨୪୫, Eରେ ୧୪ ହଜାର ୬୪୭ ଏବଂ Fରେ ୭ ହଜାର ୭୯୦ ପିଲା ପାସ୍ କରିଛନ୍ତି । ପରୀକ୍ଷାରେ ୧୧୭୦ ସ୍କୁଲର ସମସ୍ତ ପିଲା ପାସ୍ କରିଛନ୍ତି । ଜଗତସିଂହପୁରରେ ପାସ୍ ହାର ସର୍ବାଧିକ ଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ରହିଛି । ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ ରହିଛି । ଏଥର ବି ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ  ୮୮.୭୭ ପ୍ରତିଶତ ପୁଅ ଏବଂ ୯୨.୩୭ ପ୍ରତିଶତ ଝିଅ ପାସ୍ କରିଛନ୍ତି ।

 

ପାସ୍‌ ହୋଇଥିବା ପିଲାଙ୍କ ମଧ୍ୟରେ କିଏ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ତ ଆଉ କିଏ ବୈଜ୍ଞାନିକ । ୬ଶହରୁ ୫୯୫ ନମ୍ବର ରଖିଥିବା ବ୍ରହ୍ମପୁରର ଶାଶ୍ୱତ ସାହୁ ଆଇଆଇଟି ପଢିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପର ୫୯୪ ନମ୍ବର ରଖିଥିବା ଜଳେଶ୍ୱର ବ୍ଳକ୍ ସୁଗ ଗାଁର ସ୍ୱରୂପା ଜେନାଙ୍କ ଇଛା ଡାକ୍ତର ହେବେ । କ୍ୟାରିଅରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଏବେ ସେମାନଙ୍କ ଆଗାମୀ ପାଠପଢାକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ।

ଫଳାଫଳ ନେଇ କୌଣସି ଛାତ୍ରଛାତ୍ରୀଙ୍କ ଅଭିଯୋଗ ଥିଲେ ରିଚେକିଂ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୧ରୁ ୨୫ ତାରିଖ ଯାଏଁ ଅନଲାଇନରେ ରି-ଚେକିଂ ପାଇଁ ଆବେଦନ କରିହେବ । ସେପଟେ ପରୀକ୍ଷାରେ ଅନୁପସ୍ଥିତ ଥିବା ୪୫ ହଜାର ପିଲାଙ୍କ ମଧ୍ୟରୁ ୩୨ ହଜାରଙ୍କ ରିପୋର୍ଟ ଗଣଶିକ୍ଷା ବିଭାଗର ହସ୍ତଗତ ହୋଇଛି । କେଉଁ କାରଣରୁ ପିଲାମାନେ ପରୀକ୍ଷା ଦେଇନାହାଁନ୍ତି, ତାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ସମେଟିଭ୍-୧ ଏବଂ ସମେଟିଭ୍-୨ ସହ ସ୍କୁଲ ଗୁଡିକରେ ହୋଇଥିବା ଆସେସମେଂଟ୍ ପରୀକ୍ଷା ଆଧାରରେ ଏଥର ମାଟ୍ରିକ ଫଳ ପ୍ରକାଶ କରାଯାଇଛି । ସେପଟେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଆତ୍ମବିଶ୍ୱାସର ସହିତ କଠୋର ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି ।