• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫେରିଲା ପୁରୁଣା ମାଟ୍ରିକ ପରୀକ୍ଷା ପଦ୍ଧତି । ଚଳିତବର୍ଷଠୁ ବର୍ଷ ଶେଷରେ ହେବ ଦଶମ ବୋର୍ଡ ଏକଜାମ । ଆଉ ସମ୍ମେଟିଭ ୱାନ କି ସମ୍ମେଟିଭ ଟୁ ପରୀକ୍ଷା ହେବନି । ସେପଟେ ବାରମ୍ବାର ପରୀକ୍ଷା ପଦ୍ଧତି ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିନ୍ନ ମତ ରହିଥିବାବେଳେ ଶିକ୍ଷାବିତ୍ କିନ୍ତୁ ନାପସନ୍ଦ କରିଛନ୍ତି ।ତେଣେ ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରିବାକୁ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ପୁଣି ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଥର ପୁରୁଣା ପଦ୍ଧତିରେ ହେବ ୧୦ମ ବୋର୍ଡ ପରୀକ୍ଷା । ଅର୍ଥାତ୍ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ହଟି କେବଳ ଆନୁଆଲ୍ ପରୀକ୍ଷା କରାଯିବ । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ରାମାଶିଷ କହିଛନ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷଠାରୁ ଦଶମ ଶ୍ରେଣୀ ପିଲାଙ୍କର ପୁରୁଣା ପଦ୍ଧତିରେ ବର୍ଷ ଶେଷରେ ଆନୁଆଲ୍ ପରୀକ୍ଷା ହେବ । ଯାହାକି ଉଭୟ ହାଇସ୍କୁଲ ଓ ମଧ୍ୟମା ପାଇଁ ଲାଗୁ ହେବ ।

ତେବେ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ ଓ ଏହା ୪ଟି କ୍ୱାର୍ଟରରେ ହେବ । କିନ୍ତୁ ନବମ ଶ୍ରେଣୀ ପାଇଁ କୌଣସି ପରୀକ୍ଷା ବୋର୍ଡ କରିବନି, ହେଲେ ବାର୍ଷିକ ପରୀକ୍ଷା ପାଇଁ କିନ୍ତୁ ପ୍ରଶ୍ନପତ୍ର ଯୋଗାଇବ । ତେବେ ଏଠି ପ୍ରଶ୍ନ ହଠାତ୍ ପୁଣି କାହିଁକି ପୁରୁଣା ପରୀକ୍ଷା ଢାଞ୍ଚାକୁ ଫେରିଲା ବୋର୍ଡ ? ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଭାପତିଙ୍କ ସୂଚନା ଅନୁସାରେ କୋଭିଡ୍ ସମୟରେ ଗୋଟିଏ ବର୍ଷ ୧୦ମ ଶ୍ରେଣୀ ଆନୁଆଲ୍ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବୋର୍ଡ ପକ୍ଷରୁ ନବମ ଓ ଦଶମ ଶ୍ରେଣୀରେ ୨ଟି ସମେଟିଭ୍ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିଲା ।

ଯାହାକି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ଏମିତିକି ୧୦ମ ଶ୍ରେଣୀରେ ହାପିୟର୍ଲି ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବୋର୍ଡ ଯୋଗାଇ ଦେବାକୁ ସ୍ଥିର ହୋଇଛି । ଏଥିସହ ଡ୍ରପ୍ ଆଉଟ୍, ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପୁଣି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ଏଥି ପାଇଁ ଫର୍ମ ଫିଲ୍ ଅପ୍ ହେବ । ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୮ ପର୍ଯ୍ୟନ୍ତ ଚାଲିବ ।

ସେପଟେ ପୁରୁଣା ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା ନେଇ ବୋର୍ଡ ନିଷ୍ପତ୍ତିକୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବାବେଳେ ୮୦- ୨୦ ମାର୍କ କାଉଣ୍ଟିଂ ଫର୍ମୁଲାରେ ଫର୍ମାଟିଭ୍ ଆସେସମେଣ୍ଟ ପଦ୍ଧତିକୁ କିନ୍ତୁ ଶିକ୍ଷାବିତ୍ ନାପସନ୍ଦ କରିଛନ୍ତି । କହିଛନ୍ତି ଏହାଦ୍ୱାରା ସ୍କୁଲମାନେ ନିଜ ପିଲାଙ୍କୁ ମନଇଚ୍ଛା ମାର୍କିଂ ଦେବାକୁ କୁଣ୍ଠାବୋଧ କରିବେ ନାହିଁ । ଯାହାକି ମେଧାବୀ ପିଲାଙ୍କୁ ଅଡୁଆରେ ପକାଇପାରେ ।

  • Reported by:
  • DEBASHISH MOHANTY , T GOURISHANKAR , RASHMIRANJAN DAS