/odishatv-khabar/media/post_attachments/uploadimage/library/16_9/16_9_0/Matric_1738851666.jpg)
Matric
ପେପର୍ ଲିକ୍ ରୋକିବ QR କୋଡ୍। ସବୁ ପ୍ରଶ୍ନପତ୍ରରେ ୱାଟର ମାର୍କିଂ ସହ ରହିବ ସିରିଏଲ୍ ନମ୍ବର। ଅନିୟମିତତା ଓ କପି ରୋକିବାକୁ AI ନୁହେଁ, ଏଥର AI ଭଳି ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ। ଛାତ୍ର ଜୀବନର ଅତି ଗୁରୁତ୍ୱପୂର୍ଣ୍ଣ ସୋପାନ ମାଟ୍ରିକ ପରୀକ୍ଷାର ପରିଚାଳନାକୁ ଶୃଙ୍ଖଳିତ କରିବାକୁ ଏଥର ଏମିତି କିଛି ନୂଆ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ।
ଆସନ୍ତା ୨୧ ତାରିଖରୁ ମାଟ୍ରିକ୍ ପରୀକ୍ଷା। ତା’ପୂର୍ବରୁ ପରୀକ୍ଷା ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ପ୍ରେସମିଟରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। କହିଛନ୍ତି, ମାଟ୍ରିକ୍ ପରୀକ୍ଷା ପାଇଁ ଏଥର ୩ ହଜାର ୧୩୩ଟି କେନ୍ଦ୍ର କରାଯାଇଥିବା ବେଳେ ମୋଟ୍ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା ୧୨ ତାରିଖରୁ ୧୯ ତାରିଖ ଭିତରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରେ ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ।
ଅଧିକ ପକାନ୍ତୁ: ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା
ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ତେବେ ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସାଢ଼େ ୮ଟା ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ଏଥିସହ କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ରହିବ। ପେପର ଲିକ୍ ରୋକିବାକୁ ଏଥର ପ୍ରତି ପ୍ରଶ୍ନପତ୍ରରେ ଡାଇନାମିକ୍ QR କୋଡ୍ ଓ ୱାଟର ମାର୍କ ଲଗାଯିବାର ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ, ଏହା କେଉଁ ସ୍ଥାନରୁ ଓ ସେଣ୍ଟରରୁ ଲିକ ହୋଇଛି ତାହା ଜଣାପଡ଼ିଯିବ ବୋଲି BSE ଉପସଭାପତି ନିହାର ମହାନ୍ତି କହିଛନ୍ତି।
ଏଥିସହ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ପରୀକ୍ଷା ବେଳେ ସବୁ ଧରଣର ଅନିୟମିତତା ରୋକିବାକୁ ଲାଇଭ ଷ୍ଟ୍ରିମିଂ ସେଣ୍ଟର ସଂଖ୍ୟା ୨୦୦ରୁ ୬୦୦କୁ ବଢ଼ାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା ଏଆଇ ନୁହେଁ, ଏଆଇ ଭଳି ବୋର୍ଡର ୩୦ ଜଣିଆ ଟେକ୍ନିକାଲ୍ ଟିମ୍ ଦ୍ୱାରା କରାଯିବ। ବୋର୍ଡ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ସଂପୃକ୍ତ ୬ ଶହ ସେଣ୍ଟରର ପରୀକ୍ଷା ମନିଟରିଂ କରାଯିବ। ଏହାବାଦ ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି।
ଅଧିକ ପକାନ୍ତୁ: ଚର୍ଚ୍ଚାରେ ନୂଆପଡ଼ାର ତିନି ରେବତୀ, ପାଠପଢ଼ିବାର ଇଚ୍ଛା ଆଗରେ ଚୁରମାର୍ ହେଲା ପ୍ରତିବନ୍ଧକ
ତେବେ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ରୋକିବାକୁ ପରୀକ୍ଷା କେନ୍ଦ୍ରକୁ ସଂପୂର୍ଣ୍ଣ ମୋବାଇଲ୍ ବାରଣ କରାଯାଇଛି। ଗତଥର ପ୍ରଥମ କରି ସ୍ୱୟଂକ୍ରିୟ ଏଆଇ ବ୍ୟବସ୍ଥାର ପ୍ରୟୋଗ ସତ୍ତ୍ୱେ ପେପର ଭାଇରାଲ ଅଭିଯୋଗ ଅପବାଦରୁ ମୁକୁଳି ପାରିନଥିଲା ବୋର୍ଡ। ବରଂ ଆରମ୍ଭରୁ ଶେଷ ଯାଏଁ ପ୍ରାୟ ସବୁ ପରୀକ୍ଷା ଆଗରୁ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବାର ଖୋଦ୍ ପରୀକ୍ଷାର୍ଥୀ ଅଭିଯୋଗ ଆଣୁଥିଲେ ବି ବୋର୍ଡ ପକ୍ଷରୁ କିନ୍ତୁ ଏଯାଏଁ ଏହାକୁ ଖଣ୍ଡନ କରି ଆସିଛନ୍ତି। ତେଣୁ ପ୍ରଶ୍ନପତ୍ର ଭାଇରାଲ୍ ହେବାକୁ ରୋକିବାରେ ଫେଲ୍ ମାରିବାରୁ ଏଥର ଏଭଳି ନିଜସ୍ୱ ଟେକ୍ନିକାଲ୍ ପଦ୍ଧତ୍ତିକୁ ଆପଣାଇଲା କି ବୋର୍ଡ? ଫଳପ୍ରଦ ହେବ ତ ବୋର୍ଡର ଏ ନୂଆ ବ୍ୟବସ୍ଥା? ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ପରୀକ୍ଷାର୍ଥୀ ମଧ୍ୟ ଚିନ୍ତିତ।
ମାଟ୍ରିକ ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ୧୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ପ୍ରକ୍ରିୟା ୧୩ ଦିନ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)