• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାତ୍ୟା ଅସାନିକୁ ନେଇ ସ୍କୁଲ୍‌ ଛୁଟି ଘୋଷଣା । ଅସାନି ପ୍ରଭାବରେ ଆଜି ମାଲକାନଗିରିର ସବୁ ସ୍କୁଲ ପାଇଁ ଛୁଟି ଘୋଷଣା କରାଯାଇଛି । ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । 

ଅସାନି ପ୍ରଭାବରେ ଏବେ ବିଶାଖାପାଟନାରେ ମୂଷଳ ଧାରାରେ ବର୍ଷା ସାଙ୍ଗକୁ ପବନ ହେଉଛି । ବାତ୍ୟା ଅସାନି ଏବେ ଦୁର୍ବଳ ହେବାରେ ଲାଗିଛି । ଏହା ସ୍ଥଳଭାଗ ଛୁଇଁବାର କିଛି ସମୟ ପରେ ପୁଣି ସମୁଦ୍ରକୁ ଚାଲି ଆସିବ । ପରେ ରିକର୍ଭ କରି ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ ଗତି କରିବ ।

ଆଇଏମ୍‌ଡିଜିଙ୍କ ସୂଚନା ଅନୁଯାୟୀ, ସମୁଦ୍ରରେ ଥିବା ଭୀଷଣ ବାତ୍ୟା ଅସାନି ତାର ସବୁଠୁ ତୀବ୍ର ସ୍ତର ଅତିକ୍ରମ କରି ସାରିଛି । ଏହାର ପ୍ରଭାବରେ ଉପକୂଳରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିବ । ତେବେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଫଳରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷେ, ଭୀଷଣ ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଅସାନି ଆନ୍ଧ୍ରମୁହାଁ ହୋଇଛି।