• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ । ବିଜ୍ଞାନରେ ୯୪.୧୨% ଏବଂ ବାଣିଜ୍ୟରେ ୮୯.୨୦% ପାସ୍ ହାର ରହିଛି । ମହାମାରୀ ଯୋଗୁଁ ଏଥର ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ସେପଟେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ ।

୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ସାଙ୍ଗକୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ଭଲ ରେଜଲ୍ଟ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ରହିଛି ୯୪.୧୨% । ୪୫ ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୨ ହଜାର ୫୧୯ ଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ରହିଛି ୯୪.୫୨% । ୫୦ ହଜାର ୧୫୭ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଏବଂ ତୃତୀୟ ଶ୍ରେଣୀରେ ୬ ହଜାର ୯୧୦ ପିଲା ପାସ୍ କରିଛନ୍ତି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି । ନୟାଗଡ଼ରେ ସର୍ବାଧିକ ୯୯.୧୧% ଏବଂ କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପାସ୍ ହାର ରହିଛି ।

 

ବାଣିଜ୍ୟରେ ମଧ୍ୟ ଭଲ ହୋଇଛି ରେଜଲ୍ଟ । ଏଥର ୨୩ ହଜାର ୭୨୬ ପିଲା ପରୀକ୍ଷା ଦେଇଥିଲେ । ତାମଧ୍ୟରୁ ୨୧ ହଜାର ୧୬୫ ଜଣ ପାସ୍ କରିଛନ୍ତି । ପାସ୍ ହାର ରହିଛି ୮୯.୨୦% । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୧୦ ହଜାର ୮୬୩ ଛାତ୍ରଛାତ୍ରୀ । ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୫୩ ଏବଂ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୫ ହଜାର ୨୪୨ଜଣ । ଛାତ୍ରଙ୍କ ପାସ୍ ହାର ୮୮.୩୨% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୦.୭୧%  । ୨୭୩ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବୌଦ୍ଧରେ ସର୍ବାଧିକ ୧୦୦% ପାସ୍ ହାର ଥିବା ବେଳେ ଦେବଗଡ଼ରେ ପାସ୍ ହାର ସର୍ବନିମ୍ନ ୬୧.୫୩% ରହିଛି ।

ଭୁବନେଶ୍ୱର ସେଲିବ୍ରେସନର ମୋହୋଲ ଦେଖିବାକୁ ମିଳିଛି । ରେଜଲ୍ଟ ଆସିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍ । ସଫଳତା ପାଇଥିବା ଛାତ୍ରଛାତ୍ରୀ ଯେତିକି ଖୁସି ତାଠୁ ଅଧିକ ଉତ୍ସାହିତ ପରିବାର ଏବଂ ଶିକ୍ଷକ ଶିକ୍ଷୟତ୍ରୀ । କାରଣ କରୋନା ସମୟରେ ଏକାଗ୍ରତାର ସହ ପାଠ ପଢିବା ଏବଂ ଶିକ୍ଷାଦାନ ଉଭୟ ଥିଲା ଚ୍ୟାଲେଞ୍ଜିଂ ପୂର୍ଣ୍ଣ । ଏବେ ଛାତ୍ରଛାତ୍ରୀ କହିଛନ୍ତି, ସେମାନଙ୍କୁ ପରିଶ୍ରମର ଫଳ ମିଳିଛି ।

କୋଭିଡ ମହାମାରୀ ପାଇଁ ଏଥର ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ପ୍ରଥମ ବିକଳ୍ପ ଭାବେ ପରିଷଦ ପକ୍ଷରୁ ପରିଚାଳିତ ଫାଇନାଲ ପରୀକ୍ଷାର ମୋଟ ନମ୍ବର ଏବଂ ଦ୍ୱିତୀୟରେ ଫାଇନାଲ ପରୀକ୍ଷାରେ ଶତକଡା ୮୦ ନମ୍ବର ଏବଂ ତିନିଟି ଇଂଟରନାଲ ପରୀକ୍ଷାରେ ୨୦ ନମ୍ବର ଦିଆଯାଇଛି । ଦୁଇଟି ବିକଳ୍ପରୁ ଯେଉଁଥିରେ ପିଲା ଅଧିକ ମାର୍କ ଆଣିଛନ୍ତି ତାହା ଚୂଡାନ୍ତ ମାର୍କ ଭାବେ ବିଚାର କରାଯାଇଛି । ସେପଟେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ଶିକ୍ଷା ଫଳାଫଳ ପ୍ରକାଶ ପାଇବ ।