• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି।  ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ।

କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢା, ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ ବୋଲି ଚିଠିରେ ଦର୍ଶାଇଛନ୍ତି ଓସେପା କର୍ତ୍ତୃପକ୍ଷ।

ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ୱତନ୍ତ୍ର ଯୋଜନା କରିବେ। ସିଆରସିସିମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ।

ଶିକ୍ଷକ, ଶିକ୍ଷୟିତ୍ରୀ ଠିକ୍ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ୱତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ୍‌ ପିଲାଙ୍କୁ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି। 

OTV is now on Whatsapp

Join and get latest news update delivered to you via whatsapp

Join Now