• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାପାଙ୍କ ପାପକର୍ମର ଗୁମର ଖୋଲିଦେଲା ପୁଅ । ଜଜ୍‌ଙ୍କ ସାମ୍ନାରେ ଛିଡା ହୋଇ କହିଦେଲା ସତ । କେମିତି ନିଜ ଜେଜେ ମାଆଙ୍କୁ ବାପା ମାରିଥିଲେ...କଣ କଣ ଘଟିଥିଲା ସେଦିନ ରାତିରେ ? ଟିକିନିଖି କରି ସବୁ ସତ ଓଗାଳି ଦେଲା ପୁଅ । ଆଉ ଏବେ ପୁଅ ସାକ୍ଷୀକୁ ଗ୍ରହଣ କରି ବାପାଙ୍କୁ ଦଣ୍ଡାଦେଶ ଦେଲେ କୋର୍ଟ । ଏମିତି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁରରୁ ।

ନବରଙ୍ଗପୁର ଦାରୁବନ୍ଧ ସାହିର ପୋଖରୀ ହୁଡାରେ ଥିବା ଏକ ଛୋଟ କୁଡ଼ିଆରେ ରହୁଥିଲେ ଅଭିଯୁକ୍ତ ନବୀନ ଅମାନତ୍ୟ, ପୁଅ ରାଜ ଅମାନତ୍ୟ ଓ ଅଭିଯୁକ୍ତର ମାଆ ଜେମା ଅମାନତ୍ୟ । ମାଆ ନଥିବାରୁ ମୂଲମଜୁରୀ କରି ନାତି ଟୋକାର ବଡ଼ ଯତ୍ନ ନିଅନ୍ତି ଜେଜେ ମାଆ । ହେଲେ ନବୀନ ପ୍ରତିଦିନ ମଦ ପିଇବା ସହିତ ଗାଳିମନ୍ଦ କରନ୍ତି...ଏମିତିକି ମାଡ଼ ବି ଦିଅନ୍ତି ମାଆ ଓ ପୁଅକୁ ।

ନବୀନଙ୍କ ଉତ୍ପାତ ଏତେ ବଢିଥିଲା ଯେ ଭୟରେ ସାହିପଡିଶାଙ୍କ ଘରେ ଆଶ୍ରୟ ନିଅନ୍ତି ରାଜ ଓ ଜେମା । ସେଦିନ ଥିଲା ମାର୍ଚ୍ଚ ୧୯ ତାରିଖ । ୨୦୨୨ ମସିହା । ହୋଲି ଥିବାରୁ ଗାଁ ଗହଳିରେ ସମସ୍ତେ ରଙ୍ଗ ଖେଳରେ ବ୍ୟସ୍ତ ଥିଲେ । ହେଲେ ନବୀନ ପୂରା ନିଶାରେ ଥିଲେ । ହୋଲି ଦିନ ବି ଘରକୁ ଆସି ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ ନବୀନ । ଜେମାଙ୍କୁ ଟଙ୍କା ମାଗିଥିଲେ ହେଲେ ସେ ଦେଇନଥିଲେ । ଆଉ ରାଗରେ ନିଜ ମାଆକୁ ମାରିଦେବାକୁ ପଛାଇ ନଥିଲେ ନବୀନ । ଆଉ ଘଟଣାକୁ ନିଜ ଆଖିରେ ଦେଖିଥିବା ନବୀନ ପୋଲିସକୁ ଫୋନ୍‌ କରିବା ସହିତ ବାପା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିଲା ।

ମାଆ ମୃତ୍ୟୁ ଘଟଣାରେ ପୁଅ ନବୀନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍‌ । ତେବେ ଏହି ମାମଲାରେ ୨୦ ଜଣ ସାକ୍ଷୀ ଦେଇଥିଲେ । ଆଉ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହତ୍ୟା ସମ୍ପର୍କରେ ଟିକିନିଖି କଥା କହିଥିଲେ ରାଜ୍‌ । ଶେଷରେ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ଦେବା ସହିତ ୫ ହଜାର ଟଙ୍କା ଜରିମାନା କରିଥିଲେ । ଯଦି ଟଙ୍କା ଅଣଦେୟ ହୁଏ ତାହେଲେ ପୁଣି ୬ ମାସ ଜେଲ ଦଣ୍ଡ ହେବ ବୋଲି ରାୟ ଦେଇଛନ୍ତି । ତେବେ ଜେଜେମାଆଙ୍କ ହତ୍ୟାକାଣ୍ଡରେ ନାତିର ବୟାନ ଓ ଦୋଷୀ ଦଣ୍ଡ ପାଇବାକୁ ନେଇ ପୂରା ଜିଲ୍ଲାରେ ଏବେ ଚର୍ଚ୍ଚା । 

  • Reported by:
  • Naba Ghana Bishoi