• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଚ୍ ରାସ୍ତାରେ ଖଣ୍ଡାରେ କାଟିଲେ କେକ୍ । ରାତି ଅଧରେ ରାଜଧାନୀ ଛାତି ଉପରେ ଗାଡ଼ି ଠିଆ କରି ପାଳିଲେ ଜନ୍ମଦିନ । ୧୫ରୁ ୨୦ ଜଣ ଯୁବକ ଏମିତି ଢଙ୍ଗରେ ଜନ୍ମଦିନ ପାଳନ କରିଥିବା ବେଳେ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯୁବକମାନେ ହୋ ହଲ୍ଲା କରି ପାଟିତୁଣ୍ଡ କରୁଥିବା ଦୃଶ୍ୟ ଭିଡିଓରେ କଏଦ୍ ହୋଇଛି ।

ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି । କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ବିଚ୍ ରାସ୍ତାରେ KBN ଗ୍ୟାଙ୍ଗ୍ କେକ୍ କାଟିବା ସହ ଖଣ୍ଡା ବୁଲାଇବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ତେବେ ଏବେକା ଘଟଣାର ଯୁବକମାନେ କିଏ ତାହା ସ୍ପଷ୍ଟ ହୋଇନି । ଏମାନଙ୍କର KBN ଗ୍ୟାଙ୍ଗ ସହ କିଛି ଲିଙ୍କ ରହିଛି ନା ନାହିଁ । ସେନେଇ ପୋଲିସ ତଦନ୍ତ କରୁଛି । ଅନ୍ୟପଟେ ଏମାନେ ଯଦି କେବିଏନ୍‌ ଗ୍ୟାଙ୍ଗ ନୁହଁନ୍ତି ତେବେ ଆଉ ଏକ ନୂଆ ଗ୍ୟାଙ୍ଗ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ରାଜଧାନୀ ଭୁବନେଶ୍ୱରରେ ରାତି ତମାମ ପୋଲିସ ପାଟ୍ରୋଲିଂ ଚାଲୁଥିଲେ ମଧ୍ୟ କିଭଳି ଯୁବକମାନେ ଏଭଳି ସାହସ କରୁଛନ୍ତି । ଏମାନଙ୍କ ପଛରେ କାହାର ହାତ ରହୁଛି । ତାହା ଏବେ ପ୍ରଶ୍ନ । ଏହି ଭିଡିଓରେ ଯେତିକି ଯୁବକ ଦେଖାଯାଉଛନ୍ତି ସେମାନଙ୍କର ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୧୮ ବର୍ଷରୁ କମ ବୟସର ଥିବା ବେଳେ ଦୁଇ ଜଣ ଡିପ୍ଲୋମା ଛାତ୍ର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଭୟର ବାତାବରଣ ସୃଷ୍ଟି କରିବା ପାଇଁ ସେମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି ।