• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକୁ ଦିନ ବଢୁଛି ମୋରମ୍ ଓ ମାଙ୍କଡ଼ା ପଥର ମାଫିଆଙ୍କ ରାଜ୍ । ବିଶେଷ କରି ବଡ଼ଚଣା ବ୍ଲକର ଦର୍ପଣ ତହସିଲରେ ବଢିଚାଲିଛି କେଳେଙ୍କାରୀ । ସ୍ପଷ୍ଟ ଦିବାଲୋକରେ ବେଧଡକ୍ ଭାବେ କଟା ଚାଲିଛି ମାଙ୍କଡ଼ା ପଥର । ଫଳରେ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ । ଅବଶ୍ୟ ଏହା ପଛରେ ରହିଛି ସରକାରୀ ଅଧିକାରୀଙ୍କ ହାତ । କାରଣ ପଥର ମାଫିଆ ମାନଙ୍କୁ ଧରିବା ପାଇଁ ତହସିଲ୍ ପ୍ରଶାସନ, ସ୍ପେଶାଲ ସ୍କ୍ୱାଡ୍ କେବେ କେବେ ରେଡ୍ କରୁଛନ୍ତି ହେଲେ ତାହା ଧର୍ମକୁ ଆଖି ଠାର ଭଳି ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲର ବିଭିନ୍ନ ଅଞ୍ଚଳରେ ସକ୍ରିୟ ପଥର ମାଫିଆ । ଦିନରେ ଏବଂ ରାତି ଅଧରେ ଡରାଇ ଧମକାଇ ବେଧଡକ୍ ଭାବେ ଲୁଟିଚାଲିଛନ୍ତି । ପଥର ଖନନ ଯୋଗୁଁ ସୃଷ୍ଟି ହେଉଛି ବିରାଟ ବିରାଟ ଗର୍ତ୍ତ । ଚାରିଆଡ଼େ ଖାଲ ଖମାରେ ଭର୍ତ୍ତି ହୋଇଯାଉଛି । ତାସହ ପଥର ଖନନ ଯୋଗୁଁ ନଷ୍ଟ ହେଉଛି ପରିବେଶ । ବାରମ୍ବାର ତହସିଲ ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ ।

ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅଧୀନ ବୈରୀ, ଶାଳପଡ଼ା, ସମିଆଁ ଆଦି ଅଞ୍ଚଳରେ ସବୁ ସୀମା ଟପିଛନ୍ତି ପଥର ମାଫିଆ । ମେସିନ୍ ସାହାଯ୍ୟରେ ଖୋଳି ଟ୍ରକ ଲଗାଇ ଚାଲାଣ କରୁଛନ୍ତି । ଫଳରେ ମାଫିଆ ମାଲେମାଲ୍ ହେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର । ମଝିରେ ମଝିରେ ତହସିଲ୍ ପ୍ରଶାସନ ଓ ସ୍ୱତନ୍ତ୍ର ସ୍କ୍ବାଡ୍ ଅଚାନକ୍ ଚଢାଉ କରୁଛି । କିନ୍ତୁ ଧର୍ମକୁ ଆଖିଠାର୍ ସଦୃଶ କେବଳ ଜରିମାନା ଆଦାୟ କରି ଛାଡି ଦେଉଛନ୍ତି । ଏଥିସହ ପୋଲିସ, ଆରଆଇ ଓ ତହସିଲ୍ ଅଫିସର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ହେଉଛି । ମାଫିଆଙ୍କଠୁ ମାସିକିଆ ମୋଟା ଅଙ୍କର ଟଙ୍କା ନେଉଥିବାରୁ ଡରୁନାହାନ୍ତି ମାଫିଆ ।