• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧର୍ମଶାଳା: ତହସିଲ ଅଫିସ ଭିତରେ ମହିଳାଙ୍କ ଚରମ ନିଷ୍ପତ୍ତି । ସମସ୍ତଙ୍କ ସାମ୍ନାରେ ନିଜ ଉପରେ ଢାଳି ହୋଇଗଲେ କିରାସିନି । ଦିଆସିଲି ବାହାର କରି ନିଆଁ ଲଗାଇବାକୁ ବି ଉଦ୍ୟମ କଲେ । ହେଲେ ଠିକଣା ସମୟରେ ପୋଲିସ କାବୁ କରିନେବାରୁ ବଂଚିଗଲା ଜୀବନ ।

ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ । ତହସିଲରୁ ଆରଆଇ ଅଫିସ, ଏଡିଏମଙ୍କ ଠାରୁ ଜିଲ୍ଲାପାଳ, କେଉଁଠି ବି ମିଳିନଥିଲା ଅନୁମତି । ଶେଷରେ ଆଜି ତହସିଲ ଅଫିସରେ ଆତ୍ମହୁତି କରିବାକୁ ଉଦ୍ୟମ କରିଥିଲେ ଅନିମା । ସେପଟେ ତହସିଲ କ୍ଷମତା ବାହାରେ ଥିବାରୁ ଏଭଳି ବିଳମ୍ବ ହେଉଥିବା କହିଛନ୍ତି ତହସିଲଦାର ।

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହାତରେ କିରୋସିନ୍, ମୁହଁରେ ପ୍ରଶାସନ ବିରୋଧୀ ନାରା । ସମସ୍ତଙ୍କ ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ଆତ୍ମହୁତୀ ଉଦ୍ୟମ କରିଥିଲେ ବରଗଡ ଗାଇସିଲାଟ ବ୍ଳକ୍ ବଡ଼ ସାହାଜ ବାହାଲ ଗାଁର ଛବିଲାଲ ସାହୁ । ତାଙ୍କ ଅଭିଯୋଗ ହେଉଛି, ଗାଇସିଲାଟ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଚାଲିଛି । ସରକାରୀ ଯୋଜନାରେ ହେରଫେର କରାଯାଉଛି । ବିଭିନ୍ନ ପ୍ରକଳ୍ପରେ କାମ ଅସମ୍ପୂର୍ଣ୍ଣ କରି ଟଙ୍କା ହଡପ କରିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଘରର ଫଟୋରେ ଦୁଇଟି ଘରର ବିଲ୍ ତିଆରି କରାଯିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ ଦୀର୍ଘ ଦିନ ଧରି ପ୍ରଶାସନ ଚୁପ୍ ରହିବା ପରେ ଆଜି ଆତ୍ମହୁତୀ କରିବାକୁ ଉଦ୍ୟମ କରିଥିଲେ ଛବିଲାଲ ।

ଏପଟେ ଆନନ୍ଦପୁର ଆରଆଇ ଅଫିସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଅଫିସ ଭିତରେ ପଶି ମାରଣାସ୍ତ୍ରରେ ରାଜସ୍ୱ ନିରୀକ୍ଷକଙ୍କୁ ହୋଇଛି ଆକ୍ରମଣ । ଆଜି ଆରଆଇ ସୀମା ସିମନ୍ତିନୀ ନିଜ ଚାମ୍ବରରେ ଥିବା ବେଳେ ଧଶେଇ ପଶିଥିଲେ ସ୍ଥାନୀୟ ବାଙ୍ଖିଡି ଗାଁର ଗୋବିନ୍ଦ ଜେନା ।  ସେ ଆରଆଇଙ୍କୁ ଆକ୍ରମଣ କରିଥିଲେ । ଗୋବିନ୍ଦଙ୍କ ଅଭିଯୋଗ ହେଉଛି, ତାଙ୍କ ଜମିକୁ ଅନ୍ୟ ଜଣଙ୍କ ନାଁରେ କରିଦେଇଛନ୍ତି ରାଜସ୍ୱ ନୀରିକ୍ଷକ ।

ବ୍ୟବସ୍ଥା ଉପରେ ଅନାସ୍ଥା ହେଉ ଅବା ଦୁର୍ନୀତି ଓ ଅନିୟମିତତା, ଲୋକଙ୍କୁ ନ୍ୟାୟ ମିଳୁନି । ଫଳରେ ଧର୍ଯ୍ୟର ବନ୍ଧ ଭାଙ୍ଗୁଛି । ଯାହାର ପରିଣତି ହେଉଛି ରାଜ୍ୟରେ ଗୋଟିଏ ଦିନରେ ଘଟିଥିବା ଏସବୁ ଘଟଣା ।