• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାନ୍ଥରୁ ଲିଭିନି ବିବାହର ତାରିଖ...ରଙ୍ଗ ଫିକା ପଡ଼ିଯାଇଛି ସତ ହେଲେ ବି ଜଳଜଳ ହୋଇ ଦିଶୁଛି । ଆଉ ସେପଟେ ଯୌତୁକ ଜୁଇ ହୁତୁହୁତୁ ହୋଇ ଜଳୁଛି । ୫ ବର୍ଷ ପୂର୍ବେ ଯେଉଁ ଘରକୁ ସବାରୀ ଉଠିଥିଲା ଆଜି ସେହି ଘରୁ ଉଠିଛି କୋକେଇ । ମାଆର ମୃତ୍ୟୁ ପରେ କୁନି ପୁଅ ତୁନି ହୋଇଯାଇଛି ସତ ହେଲେ ମନେ ମନେ ମାଆକୁ ଖୋଜୁଛି । ମାତ୍ର କେଇ ଟଙ୍କା ଲାଗି ପୁଣି ଜଣେ ବୋହୂର ଗଲା ଜୀବନ । ଯେଉଁ ଝିଅର କନ୍ୟା ଦାନ କରିଥିଲେ ଆଜି ସେହି ଝିଅର କୋକେଇକୁ କାନ୍ଧରେ ନେବା ବେଳେ ଲୁହ ସତେ ଯେମିତି ବୋଲ ମାନୁନଥିଲା । ହେଲେ ବି ଧୈର୍ଯ୍ୟ ଧରି ଝିଅର ଦାହ ସଂସ୍କାର କରିଛନ୍ତି ବାପଘର ଲୋକ ।

ଜଗତସିଂହପୁର ନାଉଗାଁ ଥାନା କୋରୁଅ ପଞ୍ଚାୟତ ତେଲସରା ଗାଁରେ ପୁଣି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି । ତାହା ପୁଣି ମାତ୍ର କେଇ ଟଙ୍କା ଯୌତୁକ ପାଇଁ । ସ୍ଥାନୀୟ ଅଂଚଳର ସ୍ୱର୍ଗତଃ ନିରଞ୍ଜନ ପରିଜାଙ୍କ ଝିଅ ମାମାଲି ପରିଜା ୫ ବର୍ଷ ପୂର୍ବରୁ ତେଲସରା ଗାଁର ଉଦୟନାଥ ଜେନାଙ୍କ ପୁଅ ରଂଜିତ ଜେନାଙ୍କୁ ବୈଦିକ ରୀତିନିତି ଅନୁସାରେ ବିବାହ କରିଥିଲେ l ବାହାଘର ବେଳେ ଯଥା ସମ୍ଭବ ଜାନିଯୌତୁକ ବି ଦେଇଥିଲେ ମାମାଲିଙ୍କ ବାପଘର ଲୋକେ ।

 

ବାହାଘର ହେଲା, ଯୌତୁକ ବି ପାଇଲେ । ହେଲେ ପୁଣି ଅଧିକ ଯୌତୁକ ଆଶା କରି ବୋହୂକୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଏମିତିକି ଏହାପୂର୍ବରୁ ବି ଶାଶୂଘର ଲୋକେ ମାମାଲିଙ୍କୁ ନିର୍ଯାତନା ଦେଇଥିବା ବାପଘର ଲୋକେ କହିଛନ୍ତି । ବାରମ୍ବାର କଳିଝଗଡ଼ା ହେଉଥିବା କଥା ବାପଘର ଲୋକଙ୍କୁ କହିଥିଲେ ମାମାଲି । ଘଟଣାର ସମାଧାନ ପାଇଁ ଉଦ୍ୟମ ବି ହୋଇଥିଲା । କିନ୍ତୁ ଶାଶୂଘର ଲୋକ ଶେଷରେ ମାମାଲିଙ୍କୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି ।

ମାମାଲିଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଉଣୀଙ୍କୁ ଉଭୟ ମାନସିକ ଓ ଶାରୀରିକ ଭାବରେ ନିର୍ଯାତନା ଦିଆଯାଉଥିଲା । ଶେଷରେ ଫ୍ୟାନରେ ତାଙ୍କୁ ଟାଙ୍ଗି ମାରିଦିଆଯାଇଛି । ମାମାଲିକଙ୍କ ମୃତ୍ୟୁକୁ ନେଇ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଅଭିଯୋଗ ପାଇବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସହ ପୂରା ଘଟଣାର ତଦନ୍ତ କରୁଛି ପୋଲିସ୍‌ । ସେପଟେ ମାମାଲିଙ୍କ ଶବକୁ ନେଇ ଥାନା ସାମ୍ନାରେ ପ୍ରତିବାଦ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବାପଘର ଲୋକେ । ତେବେ ପୂରା ଘଟଣାରେ ପୋଲିସ କିମ୍ବା ମାମାଲିଙ୍କ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ...

(ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା)

OTV is now on Whatsapp

Join and get latest news update delivered to you via whatsapp

Join Now