• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାପଘରେ ଝିଅ ସହ ବର୍ବର କାଣ୍ଡ । ନିଜ ଝିଅକୁ ଅକଥନୀୟ ନିର୍ଯାତନା ଦେଇ ଜୀବନରୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କରିଥିଲା ବାପା । ଆଉ ଏହି ଅପରାଧରେ ଅଭିଯୁକ୍ତକୁ ସହଯୋଗ କରିଥିଲା ପୀଡ଼ିତାଙ୍କ ଭିଣୋଇ । ଗତ ମଙ୍ଗଳବାର ୟୁପି ବରେଲି ଜିଲ୍ଲାର ଫତେହଗଞ୍ଜ ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ନବବିବାହିତା ମହିଳାଙ୍କୁ ବିବସ୍ତ୍ର କରିବା ପରେ ଏସିଡ଼ ପିଆଇ ରାସ୍ତାରେ ପିଙ୍ଗି ଦେଇଥିଲେ ବାପା ଓ ଭିଣୋଇ । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ‌ଶୋଚନୀୟ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପୀଡ଼ିତା ମୁନି ଦେବୀ । ଫତେହଗଞ୍ଜ ଅଞ୍ଚଳର ଧାଡ଼ା ଗାଁରେ ଘର । ଝିଅର ପରକୀୟା ପ୍ରୀତି ପାଇଁ ଏପରି ବର୍ବର କାଣ୍ଡ କରିଛନ୍ତି ବାପଘର ଲୋକ । ଲୋକଲଜ୍ଜା ଭୟରେ ହିଁ ବାପା ଓ ଭିଣୋଇ ମୁନି ଦେବୀଙ୍କ ଜୀବନ ନେବା ପାଇଁ ଚେଷ୍ଟା କରିଛନ୍ତି । ପ୍ରଥମେ ଝିଅକୁ ବିବସ୍ତ୍ର କରିବା ପରେ ଏସିଡ୍‌ ପକାଇ ଦେଇଥିଲେ ଉଭୟ ଅଭିଯୁକ୍ତ । ଆଉ ତା’ପରେ ଏକ ବୁଦା ପାଖରେ ଫିଙ୍ଗି ଦେଇ ଆସିଥିଲେ । କୌଣସିମତେ ମହିଳା ଜଣକ ଗୁରୁଣ୍ଡି ଗୁରୁଣ୍ଡି ରାସ୍ତାକୁ ଆସି ସାହାଯ୍ୟ ମାଗିଥିଲେ । ଏହା ଦେଖି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ ।

ପୋଲିସ୍ ସୂଚନା ଅନୁସାରେ ମହିଳାଙ୍କ ଶରୀର ଉପରକୁ ଏସିଡ ଫିଙ୍ଗା ଯାଇଥିବାରୁ ତାଙ୍କ ଆଖି ସମେତ ଶରୀରର ଅଧା ଅଂଶ ଜଳି ଯାଇଛି । ଏମିତି କି ତାଙ୍କୁ ଜୋରଜବରଦସ୍ତି ଏସିଡ଼ ବି ପିଆଇ ଦିଆଯାଇଛି । ଫଳରେ ସେ ଠିକରେ କଥା ବି କହି ପାରୁନାହାନ୍ତି । ପୋଲିସ୍‌ ବୟାନ ରେକର୍ଡ ପାଇଁ ଯାଇଥିବା ବେଳେ ମହିଳା ଜଣକ ନିଜ ନାମ ଓ ଘର ଠିକଣା ଲେଖିକି ଦେଇଥିଲେ ।

ବର୍ତ୍ତମାନ ଉଭୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌ । ପୀଡ଼ିତାଙ୍କ ବାପାଙ୍କ କହିବା ଅନୁସାରେ, ଝିଅ ବିବାହ ପୂର୍ବରୁ ଜଣେ ଯୁବକ ସହ ଘରୁ ପଳେଇ ଯାଇଥିଲା । ହେଲେ ଘର ଲୋକ ସେଠାରେ ବିବାହ ଦେବା ପାଇଁ ରାଜି ହୋଇନଥିଲେ । ପରେ ଦେବେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତି ବିବାହ କରାଇ ଦେଇଥିଲେ । ହେଲେ ବିବାହ ପରେ ମଧ୍ୟ ମୁନି ଦେବୀ ପୁରୁଣା ପ୍ରେମିକ ସହ ସମ୍ପର୍କରେ ଥିଲେ । ଆଉ ଏସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ବାପା ହିଁ ନିଜ ଝିଅର ଜୀବନ ନେଇଯିବାକୁ ଚେଷ୍ଟା କରିଛି ।