• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗଞ୍ଜାମରୁ ପୁଣି ଆସିଛି ଥାନା ସମ୍ମୁଖରେ ଆତ୍ମହତ୍ୟା ଘଟଣା । ଗୋପଳପୁର ଥାନା ଆଗରେ ଗତକାଲି ବିଷ ପିଇଥିବା ଟୁକୁନି ଦାଶଙ୍କର ଆଜି ମୃତ୍ୟୁ ହୋଇଛି । ପାରିବାରିକ କନ୍ଦଳକୁ ନେଇ ଥାନାର ଦ୍ୱାରସ୍ଥ ହେବା ପରେ ବି ସମାଧାନ ନହେବାରୁ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଟୁକୁନି  ତେବେ ଏହା ପ୍ରଥମ ଘଟଣା ନୁହେଁ । ୨୦୨୦ର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମାହୁତିରୁ ଆରମ୍ଭ କରି ଦୁଇ ବର୍ଷ ଭିତରେ ଜୀବନ ହାରିଲେଣି ୪ ଅସହାୟ । ଏବେ ଯାଏଁ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯାହା ପ୍ରଶାସନ ଓ ପୋଲିସ୍ ସମ୍ମୁଖରେ ଛିଡ଼ା କରିଛି ଅନେକ ପ୍ରଶ୍ନ ? 

ପୋଲିସ୍ ପାଖକୁ ଯାଇ ପାରିବାରିକ ଅଶାନ୍ତି କଥା ଜଣାଇଥିଲେ । ହେଲେ ୮ ମାସ ପରେ ବି ହୋଇ ପାରିଲାନି ସମାଧାନ । ନ୍ୟାୟ ଦେଇପାରିଲାନି ପୋଲିସ । ଆଉ ଶେଷରେ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଗୋପାଳପୁର ଅଞ୍ଚଳର ଟୁକୁନି ଦାଶ । ଗତକାଲି ଗୋପାଳପୁର ଥାନା ଆଗରେ ହିଁ କୀଟନାଶକ ପିଇ ଦେଇଥିଲେ ଟୁକୁନି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଆଜି ସେ ଆଖି ବୁଜିଛନ୍ତି । 

ଗଞ୍ଜାମ ହୁମ୍ମା ଅଞ୍ଚଳର ଟୁକୁନି ଗୋପାଳପୁର ମାଣ୍ଡିଆପଲ୍ଲୀ ଗାଁରେ ବିବାହ କରିଥିଲେ । ଆର୍ଥିକ ଅନଟନ ସହ ଯୁଝୁଥିବା ପରିବାରରେ ଦେଖାଦେଇଥିଲା କନ୍ଦଳ । ସ୍ୱାମୀଙ୍କ ସହ ବିଭିନ୍ନ ସମୟରେ ଲାଗି ରହିଥିବା କଳହର ସମାଧାନ ପାଇଁ ବ୍ରହ୍ମପୁର ମହିଳା ଥାନାର ଦ୍ୱାରସ୍ତ ହୋଇଥିଲେ ଟୁକୁନି । ହେଲେ ଥାନାରେ ଜଣାଇବା ପରେ ଶୁଶୁଘର ଲୋକ ତାକୁ ଅଲଗା ଘରେ ରଖି ନିର୍ଯାତିତ ଦେଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ଟୁକୁନି ମହିଳା ଥାନାରେ ଅଭିଯୋଗ କରିଥିଲେ, ଗୋପାଳପୁର ଥାନାକୁ ଆସିନଥିଲେ ବୋଲି ସଫେଇ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ । 

ଚଳିତ ମାସ ୨୫ ତାରିଖ, ଦିଗପହଣ୍ଡିରେ ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ବିଷ ପିଇଲେ ଦିବ୍ୟାଙ୍ଗ । ୧୪ ମେ', ଛତ୍ରପୁରରେ ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୃତି ଦେଇଥିଲେ ବାଦଲ ସାହୁ । ୩୧ ଜାନୁଆରୀ ୨୦୨୨ରେ ଗୋଳନ୍ଥରା ଥାନା ଆଗରେ ଦେହରେ ନିଆଁ ଲଗାଇଥିଲେ ସନ୍ତୋଷ ସାମନ୍ତରା । ଆଉ ୧୨ ଫେବ୍ରୁଆରୀ ୨୦୨୨ରେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା । ଗୋଟେ କି ଦୁଇଟି ନୁହେଁ ଗଲା ଦୁଇ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଛାତି ଥରାଇ ଦେଲା ଭଳି ଅନେକ ଘଟଣା । ଯାହା ପ୍ରଶାସନିକ ପାରିବାପଣିଆ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ମାମଲାର ତ୍ୱରିତ ସମାଧାନ ପାଇଁ 5Tରେ ସାମିଲ ହୋଇଛି ପୋଲିସ୍ । ଏହାସତ୍ତ୍ୱେ କାହିଁକି ନ୍ୟାୟ ପାଉନି ଜଣେ ସାଧାରଣ ଲୋକ? ପ୍ରଶାସନକୁ ଲୋକାଭିମୁଖି କରାଯାଇଥିବା ନେଇ ସରକାରଙ୍କ ଦାବି କଣ କେବଳ ସ୍ଲୋଗାନରେ ସୀମିତ ରହିଛି? ଟୁକୁନିଙ୍କ ଆତ୍ମହତ୍ୟା ପରେ ପୁଣି ଉଠିଛି ସେଇ ପୁରୁଣା ପ୍ରଶ୍ନ ।