• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ । ଉକ୍ତ ଆଙ୍କରଙ୍କ ଉପରେ ନଜର ରଖିବା ପାଇଁ ମହିଳା ଜଣକ ତାଙ୍କ କାରରେ ଟ୍ରାକିଂ ଡିଭାଇସ୍ ମଧ୍ୟ ସ୍ଥାପନ କରିଥିବା ଅଭିଯୋଗ ହୋଇଛି ।

ଏକ ଡିଜିଟାଲ ମାର୍କେଟିଂ ବ୍ୟବସାୟ ଚଳାଉଥିବା ୩୧ ବର୍ଷୀୟା ମହିଳା ଏକ ବିବାହ ୱେବସାଇଟ ଜରିଆରେ ଟିଭି ଆଙ୍କରଙ୍କ ସହ ଚାଟିଂ ଆରମ୍ଭ କରିଥିଲେ । ଏହି ଘଟଣାକୁ ପ୍ରାୟ ଦୁଇ ବର୍ଷ ବିତିଗଲାଣି । ପରେ ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ କଥା ହେଉଥିବା ବ୍ୟକ୍ତି ଜଣକ ପ୍ରକୃତରେ ସେହି ଆଙ୍କର ନୁହଁନ୍ତି । ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କର ଆଙ୍କରିଂ ସମୟର ଫଟୋ ଉକ୍ତ ବ୍ୟକ୍ତି ଜଣକ ନିଜ ଡିସପ୍ଲେ ପିକ୍ଚରରେ ରଖି ଚାଟିଂ କରୁଥିଲେ ।

ପରେ ପରେ ସେ ଆଙ୍କରଙ୍କ ସହ ଯୋଗାଯୋଗ ସ୍ଥାପନ କରି କହିଥିଲେ ଯେ, ଏପରି ଫେକ ଭାବେ ତାଙ୍କର ଫଟୋ ବ୍ୟବହାର ହୋଇଛି । ଏନେଇ ସେ ସାଇବର କ୍ରାଇମବ୍ରାଞ୍ଚରେ ମଧ୍ୟ ଅଭିଯୋଗ କରି ସାରିଛନ୍ତି । ଅନ୍ୟପଟେ ଆଙ୍କରଙ୍କୁ ବିବାହ କରିବାକୁ ସ୍ଥିର କରିଥିବା ମହିଳା ଜଣକ ତାଙ୍କୁ ଅପହରଣ କରିବାକୁ ଯୋଜନା କରିଥିଲେ ବୋଲି ପୋଲିସ କହିଛି ।

ଏଣୁ ସେ ଆଙ୍କରକୁ ଅପହରଣ କରିବା ପାଇଁ ଚାରି ଜଣଙ୍କୁ ନିଯୁକ୍ତି ଦେଇଥିଲେ । ପରେ ପୀଡିତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟ୍ରାକିଂ ଡିଭାଇସ ମଧ୍ୟ ସ୍ଥାପନ କରିଥିଲେ । ଫେବୃଆରୀ ୧୧ ରେ, ଉକ୍ତ ଚାରିଜଣ ନିଯୁକ୍ତ ବ୍ୟକ୍ତି ପୀଡିତଙ୍କୁ ଅପହରଣ କରି ମହିଳାଙ୍କ କାର୍ଯ୍ୟାଳୟକୁ ନେଇ ଖୁବ ମାଡ ମାରିଥିଲେ ।

ନିଜ ଜୀବନକୁ ଭୟ କରି ଟିଭି ଆଙ୍କର ଜଣକ ମହିଳାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ । ଏନେଇ ଆଙ୍କର ଜଣକ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଆଇପିସି ଧାରା ଅନୁଯାୟୀ ଦଫା ୩୬୩, ୩୪୧, ୩୪୨ରେ ମାମଲା ରୁଜୁ କରିଥିଲା । ଅନ୍ୟପଟେ ଅଭିଯୁକ୍ତା ମହିଳାଙ୍କ ସମେତ ଅପହରଣ କରିଥିବା ଚାରିଜଣ ପୁରୁଷଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।