/odishatv-khabar/media/post_attachments/uploadimage/library/16_9/16_9_0/murder_1753369346.jpg)
murder
ବିଜୟ ଚୌହାନ (୩୨) ନାମକ ଜଣେ ଯୁବକଙ୍କ ମୃତଦେହ ତାଙ୍କ ଘରେ ନୂଆ ପକାଯାଇଥିବା ଟାଇଲ୍ ତଳୁ ମିଳିଛି। ଏହି ଘଟଣା ଏକ ରହସ୍ୟମୟ ହତ୍ୟା ମାମଲା ଭାବେ ଚର୍ଚ୍ଚାରେ ରହିଛି। ପୋଲିସ ସୂଚନା ଅନୁଯାୟୀ, ବିଜୟଙ୍କ ପତ୍ନୀ ଚମନ ଦେବୀ ଓରଫ କୋମଲ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡରେ କୋମଲ ତାର ପ୍ରେମିକ ମୋନୁ ଶର୍ମାକୁ ପୋଲିସ ଗିରଫ କରିଛି । ପ୍ରେମିକ ସହ ସଂପର୍କରେ ରହିବା କୋମଲ ସ୍ୱାମୀଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିବା ପୋଲିସ କହିଛି ।
ବିଜୟ ଚୌହାନ ରହୁଥିବା ଘରକୁ ତାଙ୍କ ଭାଇ ଅଖିଲେଶ ଚୌହାନ ପ୍ରାୟ ୨୦ ଦିନ ତଳେ ବୁଲିବାକୁ ଆସିଥିଲେ । ବିଜୟ କୁଆଡେ ଗଲେ ବୋଲି ସେ ପଚାରିବାରୁ କୋମଲ କହିଥିଲେ, ତାଙ୍କୁ ଗୋଟିଏ ଭଲ କାମ ମିଳିଛି । ତେଣୁ ସେ କୁର୍ଲା ଯାଇଛନ୍ତି ।
ଏହାର ୧୦ ଦିନ ପରେ ପୁଣି ଅଖିଳେଶ ବୁଲିବାକୁ ଆସିଥିଲେ । ବିଜୟ ରହୁଥିବା ଘରେ କେହି ନଥିଲେ । ଏପରିକି କୋମଲ ମଧ୍ୟ ନଥିଲା । ସେ ପଡୋଶୀଙ୍କୁ ପଚାରିବା ପରେ ଜଣାପଡିଲା ଯେ, ଦୁଇ ତିନି ଦିନ ହେଲା ଏହି ଘରେ କେହି ରହୁନାହାନ୍ତି । ଘରେ ତାଲା ପଡିଥିଲା ।
ଏହା ପରେ ଅଖିଳେଶଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ପୋଲିସକୁ ଜଣାଇଥିଲେ । ପୋଲିସ ଏକ ଏତଲା ରୁଜୁ କରି ପତିପତ୍ନୀଙ୍କ ନିଖୋଜ ଘଟଣାର ତଦନ୍ତ କରିଥିଲା । ପୋଲିସ ଘରର ତାଲା ଭାଙ୍ଗି ଭିତରେ ପଶିଥିଲା । କିଛି ସୁରାକ ପାଇନଥିଲା । ସେମାନଙ୍କ ମୋବାଇଲ ମଧ୍ୟ ଲାଗୁନଥିଲା । ତେବେ ପୋଲିସର ସନ୍ଦେହ ହୋଇଥିଲା, ଘର ଭିତରେ ଗୋଟିଏ କୋଣରେ ପକାଯାଇଥିବା ନୂଆ ଟାଇଲ୍ ଉପରେ । ଏହି ଟାଇଲ୍ ବାହାର କରାଯାଇ ମାଟି ଖୋଳାଯାଇଥିଲା । ତା ଭିତରୁ ବାହାରିଥିଲା ବିଜୟଙ୍କ ମୃତଦେହ । ମୃତଦେହକୁ ଘର ଭିତରେ ପୋତା ଯାଇଥିବା ଓ ବିଜୟଙ୍କୁ ହତ୍ୟା କରାଯାଇଥିବାର ସ୍ପଷ୍ଟ ହୋଇଥିଲା । ହତ୍ୟାକାଣ୍ଡକୁ ଲୁଚାଇବାକୁ ମିସ୍ତ୍ରୀ ଡାକି ଟାଇଲ୍ ବିଛାଇ ଦେଇଥିଲା କୋମଲ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘରେ ଟାଇଲ୍ ପକାଇଥିବା ମିସ୍ତ୍ରୀ ଜଣକ ସଂପର୍କୀୟ ଭାଇ । କିନ୍ତୁ ସେ ଜାଣିନଥିଲା ମାଟି ତଳେ ତା ଭାଇକୁ ପୋତା ଯାଇଛି ବୋଲି । ସେ ଟାଇଲ୍ ପକାଇ ଦେଇଥିଲା ।
ପୋଲିସର ସୂଚନା ଅନୁଯାୟୀ, କୋମଲ ଓ ମୋନୁ ଶର୍ମା ମିଳିତ ଭାବେ ବିଜୟଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ କୋମଲ ମୋନୁ ଶର୍ମା ସହ ପୁଣେ ଚାଲିଯାଇଥିଲା । ସେଠାରେ ଦୁହେଁ ଏକ ଭଡାଘରେ ରହୁଥିଲେ । ଏହା ଏକ ପୂର୍ବପରିକଳ୍ପିତ ହତ୍ୟା ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମାମଲାରେ ଅଧିକ ତଦନ୍ତ କରୁଛି । ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ପୋଲିସ ଯାଞ୍ଚ କରୁଛି ।
ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ ଏବଂ ଅନ୍ୟାନ୍ୟ ଫରେନସିକ ପରୀକ୍ଷାରୁ ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଛି। ଏହି ଘଟଣାକୁ ଅନେକ ଗଣମାଧ୍ୟମ ‘ଦୃଶ୍ୟମ’ ଚଳଚ୍ଚିତ୍ର ଶୈଳୀରେ ହତ୍ୟା ବୋଲି ଅଭିହିତ କରିଛନ୍ତି । କାରଣ ମୃତଦେହକୁ ଘରେ ଟାଇଲ୍ ତଳେ ଲୁଚାଇବାର ପଦ୍ଧତି ଚଳଚ୍ଚିତ୍ରର କାହାଣୀ ସହ ସାମଞ୍ଜସ୍ୟ ରଖୁଛି।ଏହି ଘଟଣା ଘଟିଛି ମୁମ୍ବାଇର ନାଲାସୋପାରାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)