• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଜୀବନ ନେଲା FREE FIRE ଗେମ୍ । FREE FIRE ଗେମ୍ ଖେଳିବାକୁ ନେଇ ୫ ଜଣଙ୍କ ମଧ୍ୟରେ ବଚସା ହେବାପରେ ଜଣଙ୍କୁ ହତ୍ୟା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ମୃତକ ଜଣକ ହେଉଛନ୍ତି ଜଣେ ନାବାଳିକା । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ମୁର୍ସିଦାବାଦର ଫରାକ୍କା ବ୍ୟାରେଜ୍ ଅଞ୍ଚଳରେ ।

ମୃତ ନାବାଳିକା ହେଲେ ମୁର୍ସିଦାବାଦର ଫରାକ୍କା ହାଉସିଂର ପାପାଇ ଦାସ । ମାମଲାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନେଇ ଅନେକ ପ୍ରଶ୍ନ ପଚରାଉଚରା କରୁଛି । ଗତ କିଛି ଦିନ ହେବ ପାପାଇ ନିଖୋଜ ଥିଲେ । ପରିବାର ଲୋକ ତାଙ୍କୁ ବୋହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ନମିଳିବାରୁ ପାପାଇ ନିଖୋଜ ଥିବାନେଇ ଥାନାରେ ଏତଲା ଦେଇଥିଲା ପରିବାର ।

ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ । ପୋଲିସର ତନାଘନା ପରେ ପାପାଇଙ୍କ ମୃତଦେହ ଫରାକ୍କା ବ୍ୟାରେଜ୍ ନିଶିନ୍ଦ୍ର ଫିଡର ଘାଟ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ଆଉ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ସନ୍ଦେହ କରିବା ସହିତ ଅଟକ ରଖି ପଚରାଉଚରା କରୁଛି ।

ଗେମ୍ ଖେଳିବାକୁ ନେଇ ବିବାଦ ନା ଅନ୍ୟକିଛି କାରଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସବୁଦିଗରୁ ତଦନ୍ତ ଚଲାଇଛି । ଖୁବ୍‌ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ଏହି FREE FIRE ଗେମ୍ ଯୋଗୁ ଅନେକ ଜୀବନ ଯାଇଛି ।