• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ । ଆଉ ଏହି ଧାରାରେ ଆଜି ଜଣେ ସନ୍ଦିଗ୍ଦ କାଶ୍ମୀର ଆତଙ୍କୀ ବନ୍ଧା ହେବା ପରେ ରାଜ୍ୟରେ ଏବେ ହଇଚଇ । ଯିଏ ୨୦୧୮ରୁ ଯାଜପୁର ଧର୍ମଶାଳାରେ ଛଦ୍ମବେଶରେ ରହୁଥିଲା । ତା’ସହ ପାକିସ୍ତାନର ISI ଏବଂ କେରଳର ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ଲିଙ୍କରେ ରହି ଜାରି ରଖିଥିଲା ନେଟୱାର୍କ । ଯାହାର ଖୁଲାସା କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ । ଘର ଜାମ୍ମୁ କାଶ୍ମୀର ଖଣ୍ଡୱାଡ଼ାର କୁପୱାଡାରେ । ଦିନ କି ଅଧେ ନୁହେଁ, ମାସେ କି ଦୁଇ ମାସ ନୁହଁ । ୨୦୧୮ରୁ ଗତ ୫ ବର୍ଷ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିଲତନଗରରେ ରହି ଚଳାଇଥିଲା ଦେଶ ବିରୋଧୀ ନେଟୱାର୍କ । ମିଲତନଗରର ଏକ ଭଡ଼ା ଘର ହିଁ ଥିଲା ଅପରାଧର ପ୍ରୟୋଗଶାଳା । ଯାହାର ଆଜି ଖୁଲାସା କରିଛି କ୍ରାଇମବ୍ରାଞ୍ଚ STF।

କ୍ରାଇମବ୍ରାଞ୍ଚ ଆଇଜିଙ୍କ କହିବା କଥା, ଛଦ୍ମବେଶରେ ରହି ଦେଶ ବିରୋଧୀ ତତ୍ତ୍ୱ, ଠକେଇ ଏବଂ ଜାଲିଆତି ମାମଲାରେ ସଂପୃକ୍ତ ରହିଛି ଏହି କାଶ୍ମୀରି ଯୁବକ । ଆଉ ହେଉଛି ତା’ ଛଦ୍ମବେଶର ରୂପରେଖ । କେବେ ନିଜକୁ ନ୍ୟୁରୋ ସର୍ଜନ ଦର୍ଶାଉଥିଲା ତ ଆଉ କେବେ ଆର୍ମି ଡାକ୍ତର କହୁଥିଲା । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ-PMOର କର୍ମଚାରୀ ବୋଲି ପରିଚୟ ଦେବା ସହ NIA ଅଫିସରଙ୍କ ସହ ସଂପର୍କ କଥା କହି ଲୋକଙ୍କୁ ଭଣ୍ଡାଉଥିଲା । ଶେଷରେ ତାକୁ ଗିରଫ କରି ଜାଲ୍ ଡକ୍ୟୁମେଣ୍ଟ ଜବତ କରିବା ସହ ଆତଙ୍କୀ ନେଟୱାର୍କର ଭଣ୍ଡାଫୋଡ୍ କରିଛି କ୍ରାଇମବ୍ରାଞ୍ଚ ।

ଛଦ୍ମବେଶୀ ବୁଖାରୀ ମିଛ ପ୍ରେମର ନାଟକ ରଚି ଅନେକ ଯୁବତୀଙ୍କୁ ନିଜ ପାଲରେ ପକାଇଛି । କାଶ୍ମୀର, ୟୁପି, ମହାରାଷ୍ଟ୍ର ଆଦି ସ୍ଥାନର ଯୁବତୀଙ୍କୁ ଫସାଇ ବିବାହ କରିଛି । କେବଳ ଏହି ୩ଟି ରାଜ୍ୟ ନୁହଁ । ଓଡ଼ିଶା ଯୁବତୀ ବି ପଡ଼ିଛନ୍ତି ତା’ ପାଲରେ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରି ୨୦୧୮ରୁ ନିକଟସ୍ଥ ମିଲତନଗର ଘରେ ରହିଆସୁଥିଲା ବୁଖାରୀ । ତେବେ ମହିଳାଙ୍କୁ କାହିଁକି ଅସ୍ତ୍ର ବନାଉଥିଲା ଏହି କାଶ୍ମୀର ଯୁବକ ? ଓଡ଼ିଶା ତଥା ଦେଶର ସମ୍ବେଦନଶୀଳ ତଥ୍ୟ ହାସଲ ପାଇଁ ମହିଳାଙ୍କୁ ହନିଟ୍ରାପ୍ କାର୍ଯ୍ୟରେ ନିଯୁକ୍ତ କରୁଥିଲା କି ? ତେବେ ଏସବୁ ତଥ୍ୟ ବୁଖାରୀଠୁ ଜବତ ହୋଇଥିବା ଫୋନରୁ ସବୁ ମିଳିଯିବ। ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ।

ଏଠି ପ୍ରଶ୍ନ, ୨୦୧୮ରୁ ଓଡ଼ିଶାରେ ରହି ବୁଖାରୀ କେମିତି ଜାରି ରଖିଥିଲା ଦେଶ ବିରୋଧୀ ନେଟୱାର୍କ ? କାଶ୍ମୀର ପୋଲିସ ପାଇଁ ୱାଣ୍ଟେଡ୍ ଥିବା ବୁଖାରୀ ସଂପର୍କରେ ୫ ବର୍ଷ ଧରି କେମିତି ସୁରାଗ୍ ପାଇଲାନି ଗୁଇନ୍ଦା ବିଭାଗ ? ଓଡ଼ିଶାରେ ପୂର୍ବରୁ ବିଭିନ୍ନ ଆତଙ୍କୀ ସଂଗଠନ ତଥା ପାକିସ୍ତାନ ଲିଙ୍କରେ ଆସି ଅବଦୂର ରେହମାନ, DRDO ITRର ଏକାଧିକ କର୍ମଚାରୀ ଏବଂ ଫଟୋଗ୍ରାଫର ଈଶ୍ୱର ବେହେରା ଭଳି ବହୁ ବ୍ୟକ୍ତି ଗିରଫ ହୋଇଛନ୍ତି । ଅର୍ଥାତ ଏମାନଙ୍କ ନେଟୱାର୍କରେ ରହି ଓଡ଼ିଶାରେ ବଡ଼ଧରଣର ଆତଙ୍କୀ ମିଶନ ଲକ୍ଷ୍ୟରେ ରହିଥିଲା କି ବୁଖାରୀ ? ISI ଓ ଦେଶବିରୋଧୀ ତତ୍ତ୍ବଙ୍କୁ ବୁଖାରୀ ବି କୌଣସି ଗୁପ୍ତ ତଥ୍ୟ ଦେଇଛି କି ?

NIA, IB ଆଦି ଜାତୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛି ବୁଖାରୀ । ତେଣୁ ସଂପୃକ୍ତ ସଂସ୍ଥା ଗୁଡ଼ିକ ବୁଖାରୀକୁ ରିମାଣ୍ଡରେ ନେଇ ତଥ୍ୟ ଆଦାୟ କରିବେ । ଅପେକ୍ଷା, ଆଗକୁ କି ତଥ୍ୟ ସାମ୍ନାକୁ ଆସୁଛି ।

  • Reported by:
  • ALOK MOHANTY , CHANDAN PAIKRAY , Gulam