• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ତ ଧରାପଡ଼ିଛନ୍ତି, ତାଙ୍କ ବାପା ମଧ୍ୟ ଦୁର୍ନୀତି ଅଭିଯୋଗରେ ଫସିଥିଲେ । କେବଳ ଫସିଥିଲେ ନୁହେଁ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲେ । ଏହି ୨ ଜଣ ବାପ-ପୁଅ ହେଉଛନ୍ତି RWSS ଭୁବନେଶ୍ୱର ଡିଭିଜନର ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଓ ତାଙ୍କ ବାପା ଜଗବନ୍ଧୁ ପାଢ଼ୀ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ସୁନୀଲଙ୍କ ଘର, ଅଫିସରେ ରେଡ୍ ପରେ ତାଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ କାବା ହୋଇ ଯାଇଥିଲେ । ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷ ଟଙ୍କାର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର୍‌ ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ ଚାଲିଛି ।

ଏଯାଏଁ ପୁରା ଆକଳନ ସରିନାହିଁ, ଗଣତି ସରିଲେ ଆହୁରି କେତେ ଯେ ବାହାରିବ କେଜାଣି । ସଂଯୋଗର କଥା ହେଉଛି ସୁନୀଲଙ୍କ ବାପା ଜଗବନ୍ଧୁ ପାଢ଼ୀ ମଧ୍ୟ ଦୁର୍ନୀତି ମାମଲାରେ ୨୦୦୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଆର୍ ଉଦୟଗିରିରେ ରେଞ୍ଜର ଥିବାବେଳେ ୧୯୯୯ରେ ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଜଗବନ୍ଧୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ ।