Vigilance Arrested ACF: କେଉଁଠୁ ଆସିଲା ଟଙ୍କା, ଦେଇପାରିଲେନି ଉତ୍ତର; ଗିରଫ କଲା ଭିଜିଲାନ୍ସ

ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

Vigilance Arrested ACF

ACFଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀ । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ବିଳମ୍ବିତ ରାତି ଯାଏ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଅଫିସରେ ତାଙ୍କୁ ପଚରାଉଚରା ସହ କାଗଜପତ୍ର ଯାଞ୍ଚ ହୋଇଥିଲା । କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି ACF ରେବତୀ ରମଣ ଯୋଶୀ ।

ଗତକାଲି ଦିନ ତମାମ ତାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ସମ୍ବଲପୁର ଟାଉନରୁ ଏକ ୩ ମହଲା ସମେତ ୩ କୋଠା ଠାବ ହୋଇଛି । ଭୁବନେଶ୍ୱରରେ ଗୋଟିଏ, ସମ୍ବଲପୁର ଟାଉନରୁ ମିଳିଛି ୩ଟି ଫ୍ଲାଟ । ସମ୍ବଲପୁର ଓ ବରଗଡ଼ରେ ଠାବ ହୋଇଛି ୭ଟି ପ୍ଲଟ୍ ଓ ୧୫୦ ଗ୍ରାମ୍ ସୁନା ।

ଅଧିକ ପଢନ୍ତୁ:ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସ ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରିଥିଲା । ସମ୍ୱଲପୁର ଡିଅର ପାର୍କ ନିକଟରେ ଥିବା ସରକାରୀ ବାସଭବନ, ଅଫିସ୍ ରୁମ୍ ଓ ଅଇଁଠାପାଲିରେ ଥିବା ତିନି ମହଲା କୋଠାରେ ଚଢାଉ କରାଯାଇଥିଲା । ଏଥିସହ ସମ୍ବଲପୁରର ଚର୍ଚ୍ଚ ଛକ ନିକଟରେ ଥିବା ବ୍ରିଜଧାମ ହାଉସିଂ ସୋସାଇଟି କହ୍ନେୟା ବ୍ଲକର ୫ ଓ ୬ନଂ ଫ୍ଲାଟ୍‌ରେ ମଧ୍ୟ ରେଡ୍ ହୋଇଥିଲା ।

ସମ୍ବଲପୁର ଫାର୍ମ ରୋଡ୍ ସିଟି ପ୍ରାଇଡ୍ ଆପାର୍ଟମେଣ୍ଟ ବିଲଡିଂର A-୪୦୬ ଫ୍ଲାଟ, ସମ୍ବଲପୁର-ଝାରସୁଗୁଡା ରାସ୍ତାର ମାଲିପାଲିରେ ଥିବା ଏକ ମହଲା ବ୍ୟବସାୟିକ କୋଠା ଓ ବରଗଡ଼ ବିଜେପୁରର ପୈତୃକ ଘର ବଲଣ୍ଡାରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଚଢାଉରେ ୩ DSP, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ:ଆଜିକାଲି ନୁହେଁ, ୧୦୦ ବର୍ଷ ପୂର୍ବରୁ ଭାରତରେ ନିଆ ଯାଇଥିଲା ପ୍ରଥମ ସେଲ୍‌ଫି !