• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜୀବନରେ ଭଲ ମଣିଷଟିଏ ହେବାକୁ ହେଲେ ଗୁରୁଙ୍କ ଆବଶ୍ୟକ ରହିଥାଏ । ଗୁରୁଙ୍କ ଦିଗ୍‌ ଦର୍ଶନ ପାଇ ଜଣେ ଭଲ ମଣିଷ ହୋଇଥାଏ ବୋଲି କୁହାଯାଏ । ହେଲେ ସେହି ଗୁରୁ ବା ଶିକ୍ଷକଙ୍କ ଠାରୁ ଶିକ୍ଷା ଲାଭ କରିବା ପରେ କିଛି ପାଉଣା ଦେବାକୁ ପଡ଼ିଥାଏ । ଅର୍ଥାତ୍‌ ଆଜିର ସମୟରେ ଆମେ ତାକୁ ଫି’ ବୋଲି କହିଥାଉ । ହେଲେ ସେହି ଫି’କୁ ନେଇ କୌଣସି ଛାତ୍ର ତାଙ୍କ ଶିକ୍ଷକଙ୍କୁ ହତ୍ୟା କରିବା କଥା କେବେ ଶୁଣିନଥିବେ । ଯାହା ଦୁଇଜଣ ଛାତ୍ର ଘଟାଇଛନ୍ତି । ଜଣେ ଶିକ୍ଷକ ଟ୍ୟୁସନ୍‌ ଫି’ ମାଗିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ଏପରି ଏକ ଘଟଣା ଭୋପାଳରୁ ସାମ୍‌ନାକୁ ଆସିଛି । ଗତ ବୁଧବାର ଦିନ ମୋରେନା ଜିଲ୍ଲାର ଜୌରା ରୋଡ ଅଞ୍ଚଳରେ ଘଟିଛି । ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଦୁଇଜଣ ଛାତ୍ର ଏକ ବାଇକ୍‌ରେ ଆସୁଛନ୍ତି ।

ଶିକ୍ଷକଙ୍କ ସହ ସାଧାରଣ ଭାବେ କଥା ହେଉଛନ୍ତି । ପରେ ଜଣେ ଯୁବକ ପକେଟରୁ ବନ୍ଧୁକ ବାହାର କରି ଶିକ୍ଷକଙ୍କ ଉପରକୁ ଗୁଳି ଚଳାଉଛି । ଯାହାଫଳରେ ଶିକ୍ଷକ ଜଣକ ସଙ୍ଗେ ସଙ୍ଗେ ତଳେ ପଡ଼ିଯାଉଛନ୍ତି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଘଟଣାକୁ ନେଇ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି, ଶିକ୍ଷକ ଜଣକ ଜୌରା ରୋଡ ଅଞ୍ଚଳରେ ଥିବା କୁଲେନ୍ଦ୍ର କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି । ଏବଂ ସେହି କୋଚିଂ ସେଣ୍ଟରର ପରିଚାଳନା ମଧ୍ୟ କରନ୍ତି । ତାଙ୍କୁ ହତ୍ୟା କରିଥିବା ଦୁଇ ଛାତ୍ର ସେହି କୋଚିଂ ସେଣ୍ଟରରେ ପାଠ ପଢ଼ୁଥିଲେ । ୩ ବର୍ଷ ପୂର୍ବରୁ ସେମାନେ +୨ ପରୀକ୍ଷା ଦେଇଥିଲେ ।

ହେଲେ ସେଠାରେ ପଢ଼ି ସାରିବା ପରେ ମଧ୍ୟ ଫି’ ବାକି ରହିଥିଲା । ଯାହାକୁ ନେଇ ଶିକ୍ଷକ ଜଣକ ପୂର୍ବରୁ ସେମାନଙ୍କୁ ଅନେକ ଥର କହିଆସୁଥିଲେ । ହେଲେ ବୁଧବାର ଦିନ ଶିକ୍ଷକ ଜଣକ କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିଲେ । ସେଠାରେ ଛାତ୍ର ଦୁଇ ଜଣ ପହଞ୍ଚିବା ସହ ଶିକ୍ଷକଙ୍କୁ ବାହାରକୁ ଡାକିଥିଲେ । ସେଠାରେ ଶିକ୍ଷକ ଦୁଇଛାତ୍ରଙ୍କୁ ବାକିଥିବା ଫି’ ମାଗିବାରୁ ଦୁଇଜଣ ଛାତ୍ର ରାଗିଯାଇ ଗୁଳି କରିଥିବା ପୋଲିସ କହିଛି । ଗୁରୁତର ଶିକ୍ଷକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାରିଛି । ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି ।