• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଜ ବସ୍‌ଙ୍କୁ ହନିଟ୍ରାପ୍‌ରେ ଫସାଇଲେ ଦୁଇ କର୍ମଚାରୀ । କାରଣ ସେମାନଙ୍କୁ ଅଫିସ୍‌ରେ ବାରମ୍ବାର ହଇରାଣ ତଥା ଅପମାନିତ କରୁଥିଲେ ବସ୍ । ଗୁଜୁରାଟର ଭଦୋଦରା ସହରରୁ ଏହି ଘଟଣା ସାମ୍ନାକୁ ଆସିଛି । ବସ୍‌ ଜଣକ ଚଳିତ ମାସ ଆରମ୍ଭରୁ ଅଭିଯୋଗ କରିଥିଲେ ଯେ ‘ଦୁଇ ବ୍ୟକ୍ତି ମୋର ନଗ୍ନ ଫଟୋକୁ ପତ୍ନୀ ଏବଂ ପରିବାର ଲୋକଙ୍କୁ ଦେଖାଇ ମୋତେ ବିଭିନ୍ନ ସ୍ଥାନରେ ଲଜ୍ଜିତ କରିଛନ୍ତି‘ ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲା ରେଖା (ଛଦ୍ମ ନାମ) । ସେ ପୂର୍ବରୁ ଚାକିରି ଛାଡି ସାରିଥିଲେ । ନିଜ ବନ୍ଧୁ ୟଶ (ଛଦ୍ମନାମ) ସହ ମିଶି ବସ୍‌ ଶେଖର (ଛଦ୍ମ ନାମ)କୁ ପାନେ ଦେବେ ବୋଲି ଚିନ୍ତା କଲେ । କାରଣ ରେଖା ଯେତେବେଳେ ସେହି ବସ୍ ପାଖରେ କାମ କରୁଥିଲେ, ସେତେବେଳେ ଅନେକ ନିର୍ଯାତନାର ଶିକାର ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସେ ଶେଖରଙ୍କୁ ପାନେ ଦେବେ ବୋଲି ଚିନ୍ତା କଲେ । ଆଉ ବସ୍‌କୁ ଫସେଇବା ପାଇଁ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର ।

ରିପୋର୍ଟ ଅନୁଯାୟୀ, ଚାରି ମାସ ପୂର୍ବେ ରେଖା ଏବଂ ୟଶ ଜଣେ ମହିଳାଙ୍କ ନାଁରେ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ତାପରେ ଶେଖରଙ୍କ ସହ ଚାଟିଂ ଆରମ୍ଭ କରିଥିଲେ । ଶେଖର ମଧ୍ୟ ସେହି ଫେକ୍‌ ଆଇଡି ସହ କଥା ହେବା ଆରମ୍ଭ କରିଥିଲେ । ତାପରେ ୟଶ ଏବଂ ରେଖା ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ କରିଥିବା କିଛି ନଗ୍ନ ଫଟୋ ଶେଖର ପାଖକୁ ପଠାଇଥିଲେ । ଶେଖର ମଧ୍ୟ ତାଙ୍କ ଜାଲରେ ସେତେବେଳକୁ ଫସି ସାରିଥିଲେ । ସେହି ନଗ୍ନ ପଟୋ ଦେଖି ଶେଖର ମଧ୍ୟ ନିଜର ନଗ୍ନ ଫଟୋ ସେହି ଫେକ୍‌ ଆଇଡି ସହ ସେୟାର କରିଥିଲେ ।

ଶେଖର ନିଜର ନଗ୍ନ ଫଟୋ ସେୟାର କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଯାହା ଆବଶ୍ୟକ ଥିଲା ତାହା ମିଳିଗଲା । କିଛି ଦିନ ପରେ ଶେଖରଙ୍କୁ ଏକ ଇମେଲ୍‌ ଆସିଲା । ସେଥିରେ ଶେଖରଙ୍କ ନଗ୍ନ ଫଟୋ ଆଟାଚ୍‌ କରାଯାଇଥିଲା । ଏହାସହ ସେ ଫେକ୍‌ ଆଇଡି ସହ ଯାହା ସବୁ ଅଶ୍ଲିଳ ଚାଟ୍‌ କରିଥିଲେ, ସେସବୁର ସ୍କ୍ରିନ୍‌ ସଟ୍‌ ମଧ୍ୟ ଥିଲା । ସେପ୍ଟେମ୍ବରରେ, ସେହିଭଳି ଏକ ଇମେଲ୍ ଶେଖର ଅଫିସିଆଲ୍ ଇମେଲ୍ ID ଏବଂ ଶେଖର କାମ କରୁଥିବା କମ୍ପାନୀର HRକୁ ପଠାଯାଇଥିଲା । ଯେଉଁ ଅଫିସ୍‌ରେ ଶେଖର କାମ କରୁଥିଲା ।

ଖାଲି ସେତିକି ନୁହେଁ ରେଖା ଏବଂ ୟଶ, ଶେଖରଙ୍କ ପତ୍ନୀଙ୍କୁ ମଧ୍ୟ ସେହି ନଗ୍ନ ଫଟୋ ସବୁ ଇମେଲ୍‌ କରିଥିଲେ । ଏଭଳି କିଛି ଦିନ ଗଲା ପରେ ୟଶ ନିଜକୁ ସମ୍ଭାଳି ନପାରି ଶେଷରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ତାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଉ ୟଶ ଏବଂ ରେଖାଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।