• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ଦେଇଥିବା ବାପା ନିଜ ହାତରେ ନେଇଗଲା ତିନି ନୀରିହଙ୍କ ଜୀବନ । ଭରସାର ଛାତ ତଳେ ଛଟପଟ୍‌ ହୋଇ ଚାଲିଗଲେ ନିଷ୍ପାପ ଶିଶୁ । ଧାଡ଼ିରେ ଛିଡ଼ା କରାଇ ୩ ପୁଅକୁ ଗୁଳି ମାରିଦେଇଛି ଜଣେ ନୃଶଂସ ବାପା । ଏହାଦେଖି ସାହାଯ୍ୟ ପାଇଁ ଚିତ୍କାର କରିବା ସହ ବାହାରକୁ ପ୍ରାଣ ବିକଳରେ ଦଉଡ଼ି ପଳେଇଥିଲା କୁନି ଝିଅ । ୟୁଏସ୍‌ର ଓହିୟରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ।

୩୨ ବର୍ଷିୟ ଅଭିଯୁକ୍ତ ଚାର୍ଡ ଡିଓରମ୍ୟାନକୁ ବର୍ତ୍ତମାନ ତିନିଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଘଟଣା ଦିନ ଅଭିଯୁକ୍ତ ନିଜର ତିନି, ଚାରି ଓ ସାତ ବର୍ଷର ପୁଅକୁ ଧାଡ଼ିରେ ଠିଆ କରାଇ ଦେଇଥିଲା । ଆଉ ଜଣକ ପରେ ଜଣକୁ ରାଇଫଲରେ ଗୁଳି ମାରିଥିଲା । ତେବେ ତିନି ପୁଅଙ୍କ ମଧ୍ୟରୁ ଜଣେ ଜୀବନ ବଞ୍ଚାଇବା ପାଇଁ ପଡ଼ୋଶୀ ଘରକୁ ଦଉଡ଼ି ଯାଇଥିଲା । ହେଲେ ନୃଶଂସ ବାପ ତାକୁ ଫେରାଇ ଆଣିବା ପରେ ଗୁଳି ଚଳାଇଥିଲା ।

ପ୍ରଥମେ ଅଭିଯୁକ୍ତର ସ୍ତ୍ରୀ କଲ୍‌ କରି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ୍‌କୁ ଖବର ଦେଇଥିଲେ । ଆଉ ତା’ପରେ ଅଭିଯୁକ୍ତର ଘର ଦେଇ ଯାଉଥିବା ଜଣେ ମଧ୍ୟ ପୋଲିସକୁ ଫୋନ୍‌ କରିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଘର ବାହାରୁ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ୍‌ । ଅନ୍ୟପଟେ ପିଲାକୁ ବଞ୍ଚାଇବାକୁ ଯାଇ ମା’ ହାତରେ ମଧ୍ୟ ଗୁଳି ବାଜିଛି । ନିଜ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ସେ ସ୍ୱାମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବା ସମୟରେ ତାଙ୍କ ହାତରେ ଗୁଳି ବାଜିଥିଲା । ତେବେ ଏହି ବର୍ବର ହତ୍ୟାକାଣ୍ଡ ଯୋଜନାବଦ୍ଧ ବୋଲି ଶୁଣାଣି ସମୟରେ ଓକିଲ କହିଛନ୍ତି ।

ପିଲାଙ୍କୁ ମାରିବା ପରେ ନିଜର ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ । କିଛି ମାସ ପୂର୍ବରୁ ହିଁ ସେ ପିଲାଙ୍କୁ ମାରିବା ପାଇଁ ଯୋଜନା କରିଥିବା ପୋଲିସ୍‌ ଆଗରେ ପ୍ରକାଶ କରିଛି । ତେବେ ହତ୍ୟାକାଣ୍ଡର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।