• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅତିକ୍‌ର ଗ୍ୟାଙ୍ଗ ସଫା ହୋଇଯିବା ପରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ (Guddu muslim) ପଛରେ ପୋଲିସ୍‌ । ବମ୍ ଏକ୍ସପର୍ଟ, ଅତିକ୍ ଅହମ୍ମଦର ଡାହାଣ ହାତ ତଥା ଉମେଶ ପାଲ୍ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗୁଡ୍ଡୁ ଉପରେ ରହିଛି ୫ ଲକ୍ଷ ଟଙ୍କାର ପୁରସ୍କାର । ଏପଟେ ଉମେଶ ପାଲ୍ ହତ୍ୟାକାଣ୍ଡରେ ସଂପୃକ୍ତ ୫ରୁ ଅଧିକ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ପୋଲିସକୁ ଚକମା ଦେଇ ବୁଲୁଛି ଗୁଡ୍ଡୁ ମୁସଲିମ୍ । ଏହାରି ଭିତରେ ଗୁଡ୍ଡୁ ମୁସଲିମ୍‌ର ଓଡ଼ିଶା ଲିଙ୍କ୍‌ ସାମ୍ନାକୁ ଆସିଛି । ସହଯୋଗୀଙ୍କ ଜରିଆରେ ଓଡ଼ିଶା ଭିତରେ ଅଣ୍ଡରଗ୍ରାଉଣ୍ଡ ହୋଇ ଏ ଜିଲ୍ଲାରୁ ସେ ଜିଲ୍ଲା ଘୁରିବୁଲୁଥିବା ସନ୍ଦେହ କରାଯାଉଛି ।

ବୋମା ତିଆରି ଓ ବୋମା ଫୋପାଡ଼ିବାରେ ମାଷ୍ଟ୍ରି ଯୋଗୁଁ ସେ ପୂରା ପ୍ରୟାଗରାଜରେ କୁଖ୍ୟାତ ବମ୍-ବାଜ୍ ଗୁଡ୍ଡୁ ଭାବରେ ପରିଚିତ । ଗୁଡ୍ଡୁ ମୁସଲିମରର ଜନ୍ମ ଆହ୍ଲାବାଦରେ, ସ୍କୁଲ ବେଳୁ ଡକାୟତି ଓ ବଟି ଆଦାୟରେ ସଂଶ୍ଳିଷ୍ଟ ଥିଲା । ଗୁଳିକରି ନୁହେଁ, ବୋମା ଫିଙ୍ଗି ହତ୍ୟା କରିବାକୁ ପସନ୍ଦ କରେ ଗୁଡ୍ଡୁ ମୁସଲିମ । ସେ କଣ୍ଟା, ସୁତୁଲି, ଗନ୍ ପାଉଡର ଆଦି ଅଲଗା ଅଲଗା ପ୍ୟାକେଟରେ ରଖେ ଏବଂ ବାଇକ ପଛରେ ବସି ବସି ୪-୫ ମିନିଟରେ ହାତବୋମା ତିଆରି କରିପାରେ । ନେପାଳ ଅଣ୍ଡରୱାଲ୍ଡଠୁ ନେଇଛି ବୋମା ତିଆରି ଟ୍ରେନିଂ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆତ୍ମଗୋପନ କରିଛି କି ଗୁଡ୍ଡୁ ମୁସଲିମ୍ ?

ତେବେ ଏହି ଅପରାଧୀ ସମ୍ପର୍କରେ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ଗୁଡ୍ଡୁ ମୁସଲିମକୁ ଅପରାଧ ଜଗତରେ ବିଶ୍ୱାସଘାତକ ବୋଲି କୁହାଯାଏ । ଯେଉଁ ଅପରାଧୀଙ୍କ ସହ ମିଶି ଅପରାଧ ଦୁନିଆରେ ହଇଚଇ ସୃଷ୍ଟି କରିଥିଲା, ତାଙ୍କୁ ହିଁ ଧୋକ୍କା ଦେଉଥିଲା । ଆଉ ଲୋକ ଲଗେଇ ହେଉ କି ଖବରୀ ସାଜି ଜଣ ଜଣ କରି ସମସ୍ତଙ୍କୁ ରାସ୍ତାରୁ ହଟେଇ ଦେଉଥିଲା । ଶ୍ରୀପ୍ରକାଶ ଶୁକ୍ଳାଙ୍କ ଠାରୁ ଆରମ୍ଭ କରି ଅତିକ୍‌ ଅହମ୍ମଦ ପର୍ଯ୍ୟନ୍ତ, ଯାହା ସହିତ କାମ କରିଛି, ତା ପିଠିରେ ଛୁରି ଭୁଷିଛି ।

ଶ୍ରୀପ୍ରକାଶଙ୍କୁ ଗୁରୁ ମାନୁଥିଲା ଗୁଡ୍ଡୁ

ଗ୍ୟାଙ୍ଗଷ୍ଟର ଶ୍ରୀପ୍ରକାଶ ଶୁକ୍ଲାଙ୍କୁ ଗୁରୁ କରିଥିଲା ଗୁଡ୍ଡୁ ମୁସଲିମ୍‌ । ଶ୍ରୀପ୍ରକାଶ ଦ୍ୱାରା ଅପରାଧ ଦୁନିଆରେ ପାଦ ଥାପିଥିଲା । ହେଲେ ସମୟ ସୁଯୋଗ ଦେଖି ଗୁରୁ ତଣ୍ଟିରେ ହିଁ କଣ୍ଟା ସାଜିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । କାରଣ ଗୁଡ୍ଡୁ ନିର୍ଦ୍ଦେଶରେ ହିଁ ଶ୍ରୀପ୍ରକାଶ ଶୁକ୍ଳାଙ୍କ ଏନକାଉଣ୍ଟର କରାଯାଇଥିଲା ବୋଲି ଶୁଣିବାକୁ ମିଳେ ।

ସତ୍ୟେନ୍ଦ୍ର ସିଂକୁ ବି ଦେଇଥିଲା ଧୋକ୍କା

ନବେ ଦଶକର ଦୁର୍ଦ୍ଦାନ୍ତ ଅପରାଧୀ ସତ୍ୟେନ୍ଦ୍ର ସିଂ ସହ ମଧ୍ୟ ଗୁଡ୍ଡୁ ମୁସଲିମ୍‌ର ଭଲ ସମ୍ପର୍କ ଥିଲା । ସେ ସମୟରେ ସତ୍ୟେନ୍ଦ୍ର ସିଂ ଗ୍ୟାଙ୍ଗ ଓ ଶ୍ରୀପ୍ରକାଶ ଶୁକ୍ଳା ଗ୍ୟାଙ୍ଗ ମଧ୍ୟରେ ଗ୍ୟାଙ୍ଗୱାର ଚାଲିଥିଲା । ଆଉ ଏଥିରେ ମୁଖ୍ୟ ଖେଳୁଆଡ଼ ଥିଲା ଗୁଡ୍ଡୁ ମୁସଲିମ୍‌ । ୧୯୯୭ରେ ସତ୍ୟେନ୍ଦ୍ର ସମ୍ପର୍କରେ ଶ୍ରୀପ୍ରକାଶକୁ ଖବର ଦେଇଥିଲା ଗୁଡ୍ଡୁ । ଆଉ ଦଗାଦିଆ ଗୁଡ୍ଡୁ ପାଇଁ ଶ୍ରୀପ୍ରକାଶ ଗୁଳିରେ ପ୍ରାଣ ହରାଇଥିଲା ସତ୍ୟେନ୍ଦ୍ର ସିଂ ।

ସନ୍ତୋଷ ସିଂଙ୍କ ସହ ମଧ୍ୟ ବିଶ୍ୱାସଘାତକତା ହୋଇଛି

ଗୁଡ୍ଡୁ ମୁସଲିମ ସନ୍ତୋଷ ସିଂଙ୍କ ସହ ମଧ୍ୟ ବିଶ୍ୱାସଘାତକତା କରିଥିଲେ । ସନ୍ତୋଷ ସିଂ ପେଶାରେ ଜଣେ କଣ୍ଟ୍ରାକ୍ଟର ଥିବାବେଳେ ତାଙ୍କ ସହ ଗୁଡ୍ଡୁର ଭଲ ବନ୍ଧୁତା ଥିଲା । ହେଲେ ବନ୍ଧୁତା ତଥା ବିଶ୍ୱାସ ବଦଳରେ ମୃତ୍ୟୁ ଦେଇଥିଲା ଅପରାଧୀ । ସନ୍ତୋଷ ସିଂଙ୍କୁ ବିଷ ଦେଇ ହତ୍ୟା କରିଥିଲା ଗୁଡ୍ଡୁ ମୁସଲିମ ।

ଉମେଶପାଲ ହତ୍ୟା ମାମଲାରେ ବି ନାମ ଆସିଛି

ସେହିଭଳି ଉମେଶ ପାଲ ହତ୍ୟାକାଣ୍ଡରେ ମଧ୍ୟ ଗୁଡ୍ଡୁ ମୁସଲିମର ନାମ ମଧ୍ୟ ଆସିଛି । ଫେବୃଆରୀ ୨୪ରେ ଗୁଡ୍ଡୁ ମୁସଲିମ ହିଁ ଅସଦକୁ ବାହାରକୁ ଆସି ଉମେଶପାଲଙ୍କୁ ଗୁଳି ଚଳାଇବାକୁ କହିଥିଲେ । ଅନ୍ୟପଟେ ଝାନ୍ସିରେ ଅସଦ୍‌ର ଏନକାଉଣ୍ଟରରେ ବି ଗୁଡ୍ଡୁର ନାମ ଆସୁଛି ।

ଅତିକ୍‌-ଅଶରଫ ହତ୍ୟାକାଣ୍ଡ

ମୃତ୍ୟୁ ପୂର୍ବରୁ ଗୁଡ୍ଡୁ ମୁସଲିମର ନାମ ନେଇଥିଲେ ମାଫିଆ ବ୍ରଦର୍ସ ଅତିକ୍‌ ଅହମ୍ମଦ ଏବଂ ଭାଇ ‌ଅଶରଫ । କିଛି କହିବା ପୂର୍ବରୁ ପଏଣ୍ଟ ବ୍ଲାଙ୍କରୁ ବାଜିଥିଲା ଗୁଳି ।... ଗୁଡ୍ଡୁର ନିର୍ଦ୍ଦଶରେ ହିଁ ଦୁଇ ମାଫିଆ ଭାଇଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଦିନେ ଅତିକ୍‌ର ଡାହାଣ ହାତ ଥିବା ଗୁଡ୍ଡୁ ତାକୁ ହିଁ ରାସ୍ତାରୁ ହଟେଇ ଦେଲା ।