/odishatv-khabar/media/post_attachments/uploadimage/library/16_9/16_9_0/Teen_Talaq_1690981327.jpg)
Teen Talaq
ପୁରୁଷ ଜାତି ପାଇଁ କଳଙ୍କ ! ଗର୍ଭବତୀ ପତ୍ନୀଙ୍କୁ ଏମିତି ମାଡ଼ ମାରିଲେ ଯେ, ନଷ୍ଟ ହୋଇଗଲା ପେଟରେ ଥିବା ଛୁଆ । ଦୁନିଆ ଦେଖିବା ପୂର୍ବରୁ ପେଟ ଭିତରେ ହିଁ ଚାଲିଗଲା ଜୀବନ । ଆଉ ରାସ୍ତା ମଝିରେ ପତ୍ନୀଙ୍କୁ ଦେଲେ ତିନ ତଲାକ୍ । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ତେବେ ପୁରା ଘଟଣାଟି ହେଲା...
ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ପତ୍ନୀଙ୍କୁ ଅଧିକ ଯୌତୁକ ଦାବି କରି ମାରପିଟ୍ କରୁଥିଲା । ଖାଲି ସ୍ୱାମୀ ନୁହେଁ ଶ୍ୱଶୁର ଘର ଲୋକ ସମସ୍ତେ ମିଶି ବୋହୂକୁ ନିର୍ଯାତନା ଦେଉଥିଲେ । ଏଭଳି ଅଭିଯୋଗ କରିଛନ୍ତି ଖୋଦ ପୀଡ଼ିତା । ତାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୨୦ରେ ତାଙ୍କର ବିବାହ ହୋଇଥିଲା । ତାଙ୍କ ବାପାଙ୍କର ସାମର୍ଥ୍ୟଠାରୁ କାହିଁ କେତେ ଗୁଣରେ ଅଧିକ ଯୌତୁକ ସେ ଆଣିଥିଲେ । ହେଲେ ସେତିକିରେ ଶ୍ୱଶୁର ଘର ଲୋକଙ୍କ ମନ ବୁଝିନଥିଲା । ତାଙ୍କୁ ଆହୁରି ଦୁଇ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରୁଥିଲେ । ଏମିତିକି ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ ।
ନିର୍ଯାତନାର ପରିମାଣ ତଥା ଡାଉରୀ ଲୋଭ ଏତେ ମାତ୍ରାରେ ଥିଲା ଯେ ପେଟରେ ଛୁଆ ଥିବା ବେଳେ ବି କାହାରିକୁ ଟିକେ ଦୟା ଲାଗିନଥିଲା । ଗର୍ଭବତୀ ସମୟରେ ବି ମହିଳାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ ଶ୍ୱଶୁର ଘର ଲୋକ । ଫଳରେ ସ୍ୱାମୀଙ୍କ ମାଡ଼ରେ ମହିଳାଙ୍କ ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଇଥିଲା । କଥା ସେତିକିରେ ସରି ନାହିଁ, ଯୌତୁକ ଆଣିବାକୁ ମହିଳା ରାଜି ନହେବାରୁ ତାଙ୍କ ସ୍ୱାମୀ ରାସ୍ତା ମଝିରେ ଦେଇଥିଲେ ତିନ୍ ତଲାକ୍ । ଏହା ପରେ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରମାଣ ମିଳିଲେ ପୁରା ପରିବାରକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)