• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଳା ପୁଳା ଟଙ୍କା । ଗଣ୍ଡା ଗଣ୍ଡା ସୁନା ଇଟା । କେଜି କେଜି ଚନ୍ଦନ କାଠ । ବାହାରକୁ ସାଧାରଣ ଅତର ବ୍ୟବସାୟୀ, ଭିତରେ ଭିତରେ ଅମାପ ସଂପତ୍ତିର କୁବେର । ଉତ୍ତରପ୍ରଦେଶ କାନପୁରର ପୀୟୂଷ ଜୈନ । ୬ ଦିନ ଧରି ଟଙ୍କା ଗଣି ଗଣି ନୟାନ୍ତ ହେବା ପରେ, ଏବେ ସୁଦ୍ଧା ପୀୟୂଷଙ୍କ କାନପୁର ଓ କନ୍ନୌଜ ସ୍ଥିତ ୩ଟି ଘର ଏବଂ ଫ୍ୟାକ୍ଟ୍ରି ଆଦିରୁ ୧୯୪ କୋଟି ୪୫ ଲକ୍ଷ ଟଙ୍କା କ୍ୟାଶ୍, ୨୩ କିଲୋ ସୁନା ଓ ୬ କୁଇଣ୍ଟାଲ ଚନ୍ଦନ କାଠ ଜବତ କରିଛି ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ଜିଏସ୍‌ଟି ଇଣ୍ଟଲିଜେନ୍ସ ବା DGGI ।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍‌ଡାଇରେକ୍ଟ ଟାକ୍ସେସ୍ ଆଣ୍ଡ୍ କଷ୍ଟମ୍‌ସ ବା CBIC ଦ୍ୱାରା ଏହା ସବୁଠୁ ବଡ଼ ସିଜର୍ ବୋଲି କହିଛି DGGI । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ବ୍ୟବସାୟୀ ପୀୟୂଷ ଜୈନଙ୍କୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିବା ବେଳେ, ଏହି କୋଟିପତିଙ୍କୁ କାକାଦେବ ଥାନାରେ ତଳେ ଶୋଇ ପ୍ରଥମ ରାତି କଟାଇବାକୁ ପଡ଼ିଥିଲା । ଆଜି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କାନପୁର କୋର୍ଟ ।

ଗତ ବୁଧବାର କାନପୁର ସ୍ଥିତ ଜୈନଙ୍କ ରାଜମହଲ ଭଳି କୋଠାରେ ଆରମ୍ଭ ହୋଇଥିଲା ଜିଏସ୍‌ଟି ରେଡ୍ । ଘର ଭିତରୁ ଯାହା ମିଳିଲା ତାହା କିଛି ଖଜାନାଠୁ କମ୍ ନଥିଲା । ଆଠ ଆଠଟି ଟଙ୍କା ଗଣା ମେସିନ୍ ଲଗାଇ ୧୭୭ କୋଟିରୁ ଅଧିକ ଟଙ୍କାର ନୋଟ୍ ଗଦାକୁ ଗଣିଥିଲେ ଜିଏସ୍‌ଟି ଓ ଆୟକର ଅଧିକାରୀ । ଏହାପରେ କନ୍ନୌଜର ଘର, ଫ୍ୟାକ୍ଟ୍ରି ଆଦିରେ କାନ୍ଥ, ଛାତ ଆଦି ଭାଙ୍ଗି ଟଙ୍କା ଖୋଜା ଚାଲିଥିଲା । ଶେଷରେ ୧୯୪ କୋଟି ୪୫ ଲକ୍ଷ ଟଙ୍କା କ୍ୟାଶ୍, ୨୩ କିଲୋ ସୁନା ଓ ୬ କୁଇଣ୍ଟାଲ ଚନ୍ଦନ କାଠ ସହ ବହୁ କାଗଜପତ୍ର ଜବତ ହୋଇଛି ।

ପୀୟୂଷଙ୍କ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିରୁ ଜବତ ୨୩ କୋଲି ସୁନା ଉପରେ ବିଦେଶୀ ଷ୍ଟାମ୍ପ ଥିବାରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ DRI ଏହାର ଖୋଳତାଡ଼ କରିବ । ସେଠାରୁ ଜବତ ୬ କୋଟି ମୂଲ୍ୟର ଚନ୍ଦନ କାଠ ଓ ଚନ୍ଦନ ତେଲ ବେଆଇନ ଥିବାରୁ ତାର ମଧ୍ୟ ତଦନ୍ତ ଚାଲିଛି । ସେପଟେ DGGI ସୂଚନା ଅନୁସାରେ, ବିନା ଜିଏସ୍‌ଟି ଦାଖଲରେ ବିଭିନ୍ନ ସାମଗ୍ରୀ ବିକି ଏତେ ବିପୁଳ ସଂପତ୍ତି ହାତେଇଥିବା ସ୍ୱୀକାର କରିଛନ୍ତି ପୀୟୂଷ ।

ଅହମ୍ମଦାବାଦର DGGI ଏକ ଟ୍ରକ୍‌କୁ ଜବତ କରିବା ପରେ ପୀୟୂଷଙ୍କ ଗୁମର ଖୋଲିଥିଲା । ଟ୍ରକ୍‌ରେ ବୋଝେଇ ସାମଗ୍ରୀ ଯାଞ୍ଚ ବେଳେ ବିଭିନ୍ନ ଜାଲ୍ କଂପାନୀ ନାଁରେ ବିଲ୍ ବନାଯାଇଥିବା, ଇୱେ ବିଲ୍ ଫାଙ୍କିବା ପାଇଁ ୫୦ ହଜାର ଟଙ୍କା ତଳକୁ ସବୁ ବିଲ୍ ଥିବା ଆଦି ନଜରକୁ ଆସିବା ପରେ ସନ୍ଦେହ ଉପୁଜିଥିଲା ।