• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୯ରେ ୨୩ ହଜାର ୧୮୩ । ୨୦୨୦ରେ ୨୫ ହଜାର ୪୮୯ । ୨୦୨୧ରେ  ୩୧ ହଜାର ୩୫୨ । ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ମହିଳା ବିରୋଧୀ ଅପରାଧର ଇଏ ହେଉଛି ଟ୍ରେଣ୍ଡ୍ । ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍‌ସିଆର୍‌ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।

କେବଳ ସେତିକି ନୁହେଁ ଏକ୍ଷେତ୍ରରେ ଦେଶର ଟପ୍ ୫ ରାଜ୍ୟ ମଧ୍ୟରେ ୩ ନମ୍ବରରେ ରହିଛି ଆମ ରାଜ୍ୟ । ଓଡ଼ଶା ଉପରକୁ ଆସାମ୍ ଦୁଇ ନମ୍ବର ଓ ଦିଲ୍ଲୀ ୧ ନମ୍ବରରେ ରହିଛି । ତେବେ ମହିଳାଙ୍କ ପ୍ରତି ଅସଦାଚରଣ ମାମଲାରେ କିନ୍ତୁ ଓଡ଼ିଶା ସବୁ ରାଜ୍ୟକୁ ପଛରେ ପକାଇ ୧ ନମ୍ବର ସ୍ଥାନରେ ରହିଛି । ୨୦୨୧ରେ ରାଜ୍ୟରେ ୧୪ ହଜାର ୮୫୩ଟି ଅସଦାଚରଣ ଘଟଣା ଘଟିଥିଲା ବେଳେ ପୀଡ଼ିତଙ୍କ ସଂଖ୍ୟା ହେଉଛି ୧୪ ହଜାର ୮୯୧ ।

ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଓ ସଂପର୍କୀୟଙ୍କ ଦ୍ୱାରା ଉତ୍ପୀଡ଼ନ ଭଳି ମାମଲା ବି ବଢ଼ିଛି । ସେଭିତରୁ ୧୪୫୬ ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫ ହଜାର ୧୭୫ଟି ଅପହରଣ ଏବଂ ସ୍ୱାମୀ ଓ ସଂପର୍କୀୟଙ୍କ ଦ୍ୱାରା ୪୮୮୯ଟି ନିର୍ଯାତନା ଘଟଣା ଘଟିଛି । ଅପରପକ୍ଷେ ୨୯୩ଟି ଯୌତୁକ ଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ରାଜ୍ୟରେ ୧ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ସଂଖ୍ୟା ୧୧୨.୯ରୁ ବଢ଼ି ୧୩୭. ୮ରେ ପହଞ୍ଚିଛି ।

ଏନ୍‌ସିଆର୍‌ବିର ରିପୋର୍ଟକୁ ଅସ୍ତ୍ରକରି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜିକା ଦିନରେ ରାଜ୍ୟରେ ଆଇନ୍‌ଶୃଙ୍ଖଳା ସ୍ଥିତି କଣ ତାହା ଏଥିରୁ ପ୍ରମାଣିତ ହେଉଛି ବୋଲି ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଯାହାର ଜବାବ ରଖିଛି ବିଜେଡି ।

ଅପରପକ୍ଷେ ଏନ୍‌ସିଆର୍‌ବିର ରିପୋର୍ଟରୁ ରାଜ୍ୟରେ ବଢିଚାଲିଥିବା ଆତ୍ମହତ୍ୟା ଘଟଣାକୁ ନେଇ ଚିନ୍ତା ବଢ଼ିଛି । ରିପୋର୍ଟ କହୁଛି ରାଜ୍ୟରେ ଗତବର୍ଷ ୫ ହଜାର ୬୫୧ ଜଣ ଅର୍ଥାତ୍ ଦିନକୁ ପାଖାପାଖି ୧୫ ଜଣ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪ ହଜାର ୪୧୨ ଓ ମହିଳାଙ୍କ ସଂଖ୍ୟା ୧୨୩୯ ରହିଛି । ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି ।

ପାରିବାରିକ ସମସ୍ୟାରୁ ରାଜ୍ୟରେ ୪୦୩୩ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ ୧୩୪ ବିବାହ ଜନିତ ହୋଇଥିବା ବେଳେ ୧୩୨ ଆତ୍ମହତ୍ୟା ପ୍ରେମ ଜନିତ ହୋଇଥିଲା । ଆତ୍ମହତ୍ୟାକାରୀଙ୍କ ଭିତରେ ରହିଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ  ଛାତ୍ରଙ୍କ ସଂଖ୍ୟା ୬୯୭ ରହିଥିବାବେଳେ ୧୩୭ ଛାତ୍ରୀ ରହିଛନ୍ତି ।