Advertisment

ମାଞ୍ଜା ସୂତା ନେଉଛି ଜୀବନ: ଦିନରେ କଟକ, ରାତିରେ ପୁରୀରେ ଅଘଟଣ

ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଯୁବକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Killer Kite Thread Claims Youth’s Life

Killer Kite Thread Claims Youth’s Life

କଟକ/ପୁରୀ: ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଯୁବକ। କଟକ ଓ ପୁରୀରେ ଏହି ଅଘଟଣ ଘଟିଛି। କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ବେକ କଟି ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ କମିଶନରେଟ ପୋଲିସ୍‌ ଚଢ଼ଉ କରିଛି। 

Advertisment

ମାଞ୍ଜା ସୂତା ବିକ୍ରି କରୁଥିବା ଅଭିଯୋଗରେ ଜଗତପୁରର ଜଣେ ବ୍ୟବସାୟୀଙ୍କୁ କମିଶନରେଟ୍ ପୋଲିସ ଅଟକ ରଖିଛି। ମାଞ୍ଜା ସୂତା ତିଆରି କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି। ଏହାସହ ଦୋଷୀଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚାଲିଛି ବୋଲି କଟକ ଡିସିପି କହିଛନ୍ତି। ଆଜି ନୟାସଡ଼କ, ନନ୍ଦିସାହିରେ ଥିବା ବିଭିନ୍ନ ଗୁଡ଼ି ଦୋକାନ ଗୁଡ଼ିକରେ ପୁରୀଘାଟ ପୋଲିସ୍‌ ରେଡ୍‌ କରିଛି। 

ଘଟଣା ପରେ CMC ମଧ୍ୟ ତତ୍ପରତା ଦେଖାଇଛି। ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ୍‌ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଞ୍ଜା ସୂତାର ବ୍ୟବହାର ଓ ବିକ୍ରି ନେଇ ଯାଞ୍ଚ କରାଯିବ ବୋଲି କଟକ ମହାନଗର ନିଗମର ଡେପୁଟି କମିଶନର କହିଛନ୍ତି।

Advertisment

ଗତକାଲି ଜଗତପୁର ପୀର ବଜାରରେ ମାଞ୍ଜା ସୂତାରେ ବେକ କଟି ଯିବାରୁ ଜୟନ୍ତ ସାମଲ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଜୟନ୍ତଙ୍କ ଘର ଭୈୟରପୁର ଅଞ୍ଚଳରେ ହୋଇ ଥିବାବେଳେ ସେ ନିଜ ସ୍ତ୍ରୀଙ୍କୁ ବାଇକରେ ବସାଇ ପୀର ବଜାର ରାସ୍ତାରେ ଯାଉଥିଲେ। ଗୁଡ଼ିର ମାଞ୍ଜା ଲଗା ସୂତା ତାଙ୍କ ବେକରେ ଲାଗି ଯାଇଥିଲା। ଫଳରେ ଏଥିରେ ତାଙ୍କ ବେକ କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜୟନ୍ତଙ୍କ ପରିବାର ଲୋକେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ।  

ସେହିପରି ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସନ୍ଧ୍ୟା ୬ଟା ବେଳେ ପୁରୀ ଟାଉନର କୁଣ୍ଢେଇବେଣ୍ଟ ସାହିର ଯୁବକ ଭଞ୍ଜବିହାରୀ ପାତ୍ର ନିଜର ଅସୁସ୍ଥ ପୁଅ ପାଇଁ ଔଷଧ ନେବାକୁ ବଡ଼ ଦାଣ୍ଡକୁ ଆସୁଥିଲେ। ତେବେ ମେଡିକାଲ୍‌ ଛକ ପାଖ ମାଳିଜାଗାରେ ମାଞ୍ଜା ସୂତା ତାଙ୍କ ବେକରେ ଲାଗି ଯାଇଥିଲା। ବେକ କଟି ଯାଇ ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ି ଯାଇଥିଲେ। ଜଣେ ଯୁବକ ପୋଲିସ ସହାୟତାରେ ଭଞ୍ଜବିହାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ଏହାପରେ ତାଙ୍କ ବେକରେ ଅସ୍ତ୍ରୋପଚାର କରାଯାଇଛି। ଏବେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି।  

Odisha Kite
Advertisment
Advertisment