• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୋତାମାଳ ପିନ୍ଧାଇଲେ, ପରିସ୍ରା ପିଆଇଲେ । ପ୍ରେମ ପାଇଁ ଯୁବକଙ୍କ ଉପରେ ଅକଥନୀୟ ତଥା ଅମାନବୀୟ ଅତ୍ୟାଚାର । ଝିଅ ଘର ଲୋକ ପ୍ରେମିକ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯେ ଶୁଣିଲେ ହୃଦୟ ଥରି ଉଠିବ । ରାଜସ୍ଥାନର ମୁଣ୍ଡିଆକାଲା ଅଞ୍ଚଳରେ ଏକ ଲିଭ୍‌-ଇନ୍ ସମ୍ପର୍କକୁ କେନ୍ଦ୍ର କରି ଏପରି ଘଟଣା ଘଟିଛି । ହଳେ ପ୍ରେମୀ ଯୁଗଳଙ୍କ ସମ୍ପର୍କକୁ ପରିବାର ସଦସ୍ୟ ବିରୋଧ କରିଥିଲେ । ଏହାକୁ ନେଇ ଏକ ପଞ୍ଚାୟତ ଡକାଯାଇଥିଲା ।  ଆଉ ପଞ୍ଚାୟତର ନିଷ୍ପତ୍ତି ପରେ ଯୁବକ ତାଙ୍କ ଭଉଣୀ ସହିତ ବର୍ବରତାର ସବୁ ସୀମା ପାର କରିଦେଲେ ଝିଅ ଘର ଲୋକ ।

ଅଧିକ ପଢ଼ନ୍ତୁ: ନଳକୂଅ ଛୁଇଁ ଦେବାରୁ ଦଳିତ ଯୁବକଙ୍କୁ ଭୟଙ୍କର ସଜା ! ପିଟି ପିଟି ଜୀବନ ନେଇଗଲେ ଦୁର୍ବୃତ୍ତ

ପ୍ରାୟ ୧୨ ଦିନ ପୂର୍ବେ ମାଲପୁରା ଥାନା ଅନ୍ତର୍ଗତ ମୁଣ୍ଡିଆକାଲା ଅଞ୍ଚଳର ଜଣେ ଯୁବତୀ ଘରୁ ଲୁଚି ପ୍ରେମିକ ସହ ଫେରାର ମାରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ସେମାନେ ଘରୁ ପଳାଇବା ପରେ ସ୍ୱାମୀସ୍ତ୍ରୀ ପରି ରହିଲେ । ହେଲେ ଝିଅ ଘର ଲୋକ ଉଭୟଙ୍କ ସମ୍ପର୍କକୁ ଘୋର ବିରୋଧ କରୁଥିଲେ । କୌଣସି ପ୍ରକାରେ ସୂଚନା ପାଇ ଦୀପାବଳି ପରେ ଝିଅକୁ ଘରକୁ ନେଇ ଆସିଥିଲେ । ଆଉ ଏହି ଘଟଣାକୁ ନେଇ ସୋମବାର ଏକ ପଞ୍ଚାୟତ ବସିଥିଲା । ଏଥିରେ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଡକାଯାଇଥିଲା ।

ଡକରା ପରେ ପଞ୍ଚାୟତରେ ପହଞ୍ଚିଥିଲେ ଯୁବକ ଓ ତାଙ୍କ ଭଉଣୀ । ଯୁବକ ଜଣକ ପ୍ରେମିକାଙ୍କ ବାପାଙ୍କୁ ୯୩ ହଜାର ଟଙ୍କା ଦେବା ପରେ ତାକୁ ସାଥୀରେ ନେଇପାରିବେ ବୋଲି ନିଷ୍ପତ୍ତି ଶୁଣାଇଥିଲେ ମୁଖିଆ । ଆଉ ନିଷ୍ପତ୍ତି ଶୁଣାଇବା ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଯାଇଥିଲେ ।

ହେଲେ ଯୁବକ ଜଣକ ନିଜ ଘରକୁ ଫେରିବା ପାଇଁ ଭଉଣୀ ସହ ଚାଲିଚାଲି ଯାଉଥିବା ସମୟରେ ପହଞ୍ଚି ଯାଇଥିଲେ ଝିଅର ପରିବାର ଲୋକ । ଜୋରଜବରଦସ୍ତି ଉଭୟଙ୍କୁ ଧରି ଏକ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଆଉ ଜଙ୍ଗଲ ଭିତରେ ଆରମ୍ଭ ହୋଇଯାଇଥିଲା ନାରକୀୟ କାଣ୍ଡ । ସେଠାରେ ରାତିସାରା ବନ୍ଧକ କରି ରଖିଥିଲେ ।

ସେଠାରେ ଯୁବକ ଜଣଙ୍କୁ ଜୋତାମାଳ ପିନ୍ଧାଇବା ସହ ପରିସ୍ରା ପିଆଇଥିଲେ । କେବଳ ଏତିକି ନୁହେଁ ଯୁବକଙ୍କ ମୁଣ୍ଡରେ ଗରମ ଚେଙ୍କ ମଧ୍ୟ ଦେଇଥିଲେ । ଏହାସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ । ଆଉ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ ।

ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଲୋକଙ୍କୁ ଖୋଜୁଛି ପୋଲିସ୍‌ ।