• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିରୁପତି ମନ୍ଦିର ଯିବାକୁ କାହାର ବା ଇଚ୍ଛା ନଥାଏ । ଭଗବାନଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଲମ୍ବା ଧାଡ଼ିରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମିଳିଥାଏ ଭଗବାନ ତିରୁପତି ବାଲାଜିଙ୍କ ଦର୍ଶନ । ଆଉ ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ଲାଗିଥାଏ ଟିକେଟ । କିନ୍ତୁ ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।

ଆପଣଙ୍କୁ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଆମ ଉପରେ ଆପଣ ରାଗୁଥିବେ ନିଶ୍ଚୟ । ଦର୍ଶନ ପାଇଁ ଟିକଟ ତ କିଣିବେ ପୁଣି ତାହା ନକଲି କେମିତି ହେବ ? ଭଗବାନଙ୍କ ନାଁରେ ବା ଭଗବାନଙ୍କ ମନ୍ଦର ପାଇଁ କ’ଣ କିଏ କେବେ ନକଲି ଟିକଟ ବିକ୍ରି କରିପାରିବେ ? ଏଭଳି ନାନା ପ୍ରଶ୍ନ ଏବେ ଆପଣଙ୍କ ମନକୁ ଆସୁଥିବ ।

ତେବେ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ହେଲା, ନିକଟରେ ସାଇବର ପୋଲିସ ପ୍ରାୟ ୪୧ଟି ନକଲି ୱେବସାଇଟ୍‌ ବନ୍ଦ କରିଛି । ଏହି ୱେବ୍‌ସାଇଟ୍‌ମାନେ ତିରୁପତି ମନ୍ଦିର ପାଇଁ ଟିକଟ ବିକ୍ରି କରୁଥିଲେ, ଯାହାକି ନକଲି ଥିଲା । ଏମାନଙ୍କର କେବଳ ଟିକଟ ନକଲି ନୁହେଁ ବରଂ ତିରୁପତିଙ୍କ ନାଁରେ ଖୋଲାଯାଇଥିବା ଏହି ୪୧ଟି ଯାକ ୱେବ୍‌ସାଇଟ୍‌ ହିଁ ନକଲି । ଲୋକମାନେ ଏହି ୱେବ୍‌ସାଇଟ୍‌ ହାବୁଡ଼ରେ ପଡ଼ି ତିରୁପତି  ବାଲାଜିଙ୍କ ଦର୍ଶନ ପାଇଁ ଏଥିରୁ ଟିକଟ କିଣୁଛନ୍ତି ହେଲେ ପରେ ଏହା ନକଲି ସାବ୍ୟସ୍ତ ହେଉଛି । ଯାହାଫଳରେ ସେମାନଙ୍କୁ ନାନା ହଟହଟା ହେବାକୁ ପଡ଼ୁଛି । ଏମିତି ପ୍ରାୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁ ଠକେଇର ଶିକାର ହୋଇଥିବା ସୂଚନା ରହିଛି । ଆଉ ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ସାଇବର ପୋଲିସ ଏନେଇ ପଦକ୍ଷେପ ନେଇଛି ।

ତେବେ ଆପଣ ଯଦି କେବେ ତିରୁପତି ଦର୍ଶନ ପାଇଁ ଟିକଟ କିଣୁଛନ୍ତି ତେବେ ସାବଧାନ । ତାହା ନକଲି ସାବ୍ୟସ୍ତ ହୋଇପାରେ । ତେଣୁ ଟିକଟ କିଣିବା ପୂର୍ବରୁ ତାକୁ ଭଲ ଭାବେ ପରଖନ୍ତୁ । ଆଉ ଟିକଟ କିଣି ସାରିବା ପରେ ମଧ୍ୟ ତାକୁ ଭଲ ଭାବେ ଦେଖନ୍ତୁ ।

ଏହି ନକଲି ୱେବ୍‌ସାଇଟ୍‌ ଗୁଡ଼ିକ କେବଳ ସାଧାରଣ ଟିକଟ ନୁହେଁ, ଭିଆଇପି (VIP) ଟିକଟ ମଧ୍ୟ ବିକୁଛନ୍ତି । ୱେବସାଇଟ୍‌ ଜରିଆରେ ସେମାନେ ଟଙ୍କା ନେଇ ଏକ ରିସିପ୍ଟ ଦେଇଥାନ୍ତି । ଆଉ ସେହି ରିସିପ୍ଟ ନେଇ ମନ୍ଦିର କାଉଣ୍ଟର ପାଖରେ ପହଞ୍ଚିଲା ବେଳେ ଭକ୍ତ ଜାଣିବାକୁ ପାଇଥାଏ ଯେ, ତାହା ନକଲି ।

ଏହି ନକଲି ୱେବ୍‌ସାଇଟ୍‌ ଓ ନକଲି ଟିକଟ କାରବାରରେ ରାଜସ୍ଥାନ ଓ ଉତ୍ତର ପ୍ରଦେଶର କିଛି ଗ୍ୟାଙ୍ଗ ସମ୍ପୃକ୍ତ ଥିବ ଅଭିଯୋଗ ହୋଇଛି । ଏବେ ସୁଦ୍ଧା ୪୧ ନକଲି ୱେବ୍‌ସାଇଟ୍‌ ସହ ୧୩  ନକଲି ଆପ୍‌ ମଧ୍ୟ ବ୍ୟାନ୍ କରିଛି ସାଇବର ପୋଲିସ ।