ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା ।

ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ

ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା । ଶନିବାର ରାତି ପ୍ରାୟ ୧୨ଟା । ରେମୁଣା ଅଞ୍ଚଳରୁ ଏକ କାଠ ବୋଝେଇ ପିକପ୍ ଭ୍ୟାନ ଆସୁଥିବା ଖବର ପାଇ ତାକୁ ରାସ୍ତାରେ ଜବତ କରିଥିଲେ ନୀଳଗିରି ରେଞ୍ଜର ଆଇଶା ଏ ନିଶା । କାଠ ସହ ଗାଡ଼ିଟିକୁ ସିଜ୍ କରିବା ପରେ ଏହାକୁ ସ୍ଥାନୀୟ ସଜନାଗଡ଼ ନର୍ସରୀକୁ ଆଣୁଥିଲେ ।

ତେବେ ବାଟରେ ହଠାତ ସଜନାଗଡ଼-ଅଯୋଧ୍ୟା ମୁଖ୍ୟ ରାସ୍ତା ଉପରେ ପଡ଼ିଥିଲା ଏକ ବିଶାଳ ଶାଳ ଗଛ । କୁହାଯାଉଛି, ମାଫିଆମାନେ ଗାଡ଼ିଟିକୁ ବନ ବିଭାଗଠାରୁ ମୁକୁଳାଇ ନେବାକୁ ଗଛ କାଟି ଏଭଳି ଚାଲ୍ ଖେଳିଥିଲେ । ତେବେ ଆଗରେ ରାସ୍ତା ଜାମ୍ ଦେଖି ତୁରନ୍ତ ଦିଗ ବଦଳାଇ ଭାଲୁକାଶୁଣି ରାସ୍ତାରେ ଯିବାକୁ ଉଦ୍ୟମ କରିଥିଲେ ବନ ବିଭାଗ ଟିମ୍ । ହେଲେ ସେଠାରୁ କିଛି ବାଟ ଆସିବା ଭିତରେ ଏ ରାସ୍ତାରେ ବି ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ରାସ୍ତା ଉପରେ ଏକ ବଡ଼ ଶାଳ ଗଛ କାଟି ଅବରୋଧ କରି ସାରିଥିଲେ କାଠ ମାଫିଆ ।

ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା । ଆଉ ସେଠାରୁ ପୋଲିସ ଏସ୍କର୍ଟରେ ସଜନାଗଡ଼ ନର୍ସରୀକୁ ଯାଇଥିଲା ଜବତ କାଠ ଗାଡ଼ି ।

ନୀଳଗିରି ରେଞ୍ଜରଙ୍କ ଉପସ୍ଥିତ ବୁଦ୍ଧି ପରେ କାଠ ମାଫିଆଙ୍କ ସବୁ ଚାଲ୍ ଫେଲ ମାରିବାରୁ ରାତି ପ୍ରାୟ ୩ଟା ବେଳେ ସଜନାଗଡ଼ ନର୍ସରୀକୁ କିଛି ମୁଖାପିନ୍ଧା ଲୋକ ଆସି ଗେଟ୍ ଭଙ୍ଗାରୁଜା କରିଥିଲେ । ଏପିରିକି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଆସିଥିବା କିଛି ଦୁର୍ବୃତ୍ତ ନର୍ସରୀ ଭିତରେ ଥିବା କର୍ମଚାରୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିବା କୁହାଯାଉଛି ।

ନୀଳଗିରି ଅଞ୍ଚଳରୁ କାଠ ଚୋରାଚାଲାଣ ବେଳେ ବନ ବିଭାଗ ଗଲା ଦୁଇ ବର୍ଷ ଭିତରେ ୨୯ଟି ଗାଡ଼ି ଜବତ କରିଛି । ତେବେ ଆଗରୁ କାଠ ମାଫିଆମାନେ ବନ ବିଭାଗକୁ ଏମିତି ଫିଲ୍ମ ଷ୍ଟାଇଲରେ ଚ୍ୟାଲେଞ୍ଜ୍ ଦେବା ଓ ରାତି ଅଧିଆ ଆତଙ୍କରାଜ, କେବେ ଦେଖିବାକୁ ମିଳିନଥିଲା।