• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନେ ସେ ଥିଲା ବାହୁବଳୀ ଡନ୍, ପରେ ବନିଲା କ୍ଷମତାଶାଳୀ ରାଜନେତା । ଆଉ ଆଜି ସେ ଇତିହାସ । ଆମେ କହୁଛୁ ଉତ୍ତରପ୍ରଦେଶରେ ଗତରାତିରେ ହତ୍ୟାର ଶିକାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଅତିକ୍ ଅହମ୍ମଦ କଥା । ପୋଲିସ ମେଡିକାଲ ଟେଷ୍ଟ ପାଇଁ ନେଉଥିବା ବେଳେ, ତାକୁ ଓ ତା ଭାଇ ଅଶ୍ରଫକୁ ଗୁଳି କରି ହତ୍ୟା କରିଛନ୍ତି ୩ ଦୁର୍ବୃତ୍ତ । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ତନାଘନା ଚଳାଇଥିବା ବେଳେ, ଏହାର ତଦନ୍ତ ପାଇଁ ୩ ଜଣିଆ ନ୍ୟାୟିକ ପ୍ୟାନେଲ୍ ଗଠନ କରିଛନ୍ତି ଯୋଗୀ ସରକାର । ପୂରା ଉତ୍ତରପ୍ରଦେଶ ଏବେ ହାଇଆଲର୍ଟରେ ।

ଅତିକ୍ ୨୦୦୪ରେ ଗଣମାଧ୍ୟମକୁ ତାର ହତ୍ୟାକରାଯିବାନେଇ କହିଥିଲା । ଆଉ ଏହାର ୧୯ ବର୍ଷ ପରେ ସତକୁ ସତ ସେୟା ହେଲା । ଦିନେ ଯାହା ନାଁ ଶୁଣିଲେ ଆହ୍ଲାବାଦ ଥରହର ହେଉଥିଲା, ଯାହା ଇସାରାରେ ଉମେଶ ପାଲଙ୍କୁ ସର୍ବସମ୍ମୁଖରେ ଗୁଳି ମାରି ହତ୍ୟା କରାଗଲା, ତାର ପରିଣତି ବି ଶେଷରେ ସେୟା ହେଲା । ଗତରାତିରେ ମିଡିଆ ଓ ପୋଲିସ ସାମ୍ନାରେ ଗୁଳିଖାଇ ମଲା ପ୍ରୟାଗରାଜର ଗ୍ୟାଙ୍ଗଷ୍ଟର୍ ତଥା ରାଜନେତା ଅତିକ୍ ଅହମ୍ମଦ ଏବଂ ତା ଭାଇ ତଥା ଡାହାଣ ହାତ ଅଶ୍ରଫ୍ ଅହମ୍ମଦ ।

ହାତକଡ଼ି ପଡ଼ିଥିବା ବେଳେ ପଏଣ୍ଟ ବ୍ଲାଙ୍କରୁ ଚାଲିଲା ଗୁଳି, ତଳେ ଲୋଟିଥିଲା ଉଭୟଙ୍କ ନିସ୍ତେଜ ରକ୍ତାକ୍ତ ଶରୀର । ଆଉ ଇଏ ଆଜିର ଦୃଶ୍ୟ। ଚାରିଆଡ଼େ ଟାଇଟ୍ ସିକ୍ୟୁରିଟି । ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ୧୪୪ ଧାରା । ଅଯୋଧ୍ୟା ରାମମନ୍ଦିର ସମେତ ବିଭିନ୍ନ ଧର୍ମସ୍ଥଳୀ ଅଞ୍ଚଳ ଉପରେ ସ୍ପେଶାଲ୍ ଫୋକସ୍ । ଉମେଶ ପାଲଙ୍କ ଘର ସାମ୍ନାରେ ବି ପୋଲିସ ପଇଁତରା ।

ଆଇନଶୃଙ୍ଖଳା ସୁନିଶ୍ଚିତ କରିବାକୁ ଗୃହସଚିବ ଓ ଡିଜିପିଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ପୋଲିସକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରୟାଗରାଜର କିଛି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଅତିକ୍ ଓ ଅଶ୍ରଫ ହତ୍ୟାକାଣ୍ଡର ତଦନ୍ତ ପାଇଁ ୩ ଜଣିଆ ନ୍ୟାୟିକ ପ୍ୟାନେଲ୍ ଗଠନ କରିଛନ୍ତି ୟୁପି ସରକାର ।

ପ୍ରଶ୍ନ ଉଠୁଛି କିଏ ଏହି ୩ ହତ୍ୟାକାରୀ? କାହିଁକି ସେମାନେ ଟାର୍ଗେଟ୍ କଲେ ଅତିକ ଓ ଅଶ୍ରଫକୁ ? ଗ୍ୟାଙ୍ଗୱାର୍ ନା ଆଉ କିଛି ? ଗିରଫ ୩ ଦୁର୍ବୃତ୍ତ ଲବଲେଶ ତିୱାରୀ, ସନ୍ନି ସିଂ ଓ ଅରୁଣ ମୌର୍ଯ୍ୟ । ପୋଲିସର FIR ଅନୁସାରେ ସେମାନେ ସ୍ୱୀକାର କରିଛନ୍ତି ଯେ, ଅତିକ୍ ଓ ଅଶ୍ରଫ୍ ଗ୍ୟାଙ୍ଗର ମୂଳପୋଛ କରି ନିଜେ ବଡ଼ ଗ୍ୟାଙ୍ଗଷ୍ଟର ବନିବା ପାଇଁ ଏବଂ ଅଣ୍ଡରୱାଲଡରେ ଖ୍ୟାତି ଅର୍ଜିବା ପାଇଁ ସେମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି । ଏମାନଙ୍କ ବିରୋଧରେ ଆଗରୁ ବି ଏକାଧିକ ସଂଗୀନ ମାମଲା ରହିଛି ଉତ୍ତରପ୍ରଦେଶର ବିଭିନ୍ନ ଥାନାରେ ।

ସେପଟେ ଆଶଙ୍କା କରାଯାଉଛି ଯେ, ଏହି ହତ୍ୟାକାଣ୍ଡ ସହିତ ଆଉ ଏକ ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟିର ଲିଙ୍କ୍ ରହିଛି । ଅତିକକୁ ମାରିବା ପାଇଁ ବ୍ୟବହୃତ ତୁର୍କୀ ନିର୍ମିତ ଜିଗାନା ପିସ୍ତଲ ସନ୍ନି ସିଂକୁ ସୁନ୍ଦର ଭାଟିଠୁ ହିଁ ମିଳିଥିବା ଚର୍ଚ୍ଚା ହେଉଛି । ତେଣେ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୨ ଓ ୩୦୭ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଏହି ଘଟଣାର ୨ ଦିନ ଆଗରୁ ପୁଅ ଅସଦକୁ ପୋଲିସ ଏନକାଉଣ୍ଟର ଏବଂ ଗତକାଲି ବାପା ଅତିକ ଓ କାକା ଅଶ୍ରଫକୁ ପୋଲିସ ହେପାଜତରେ ହତ୍ୟା କରାଯିବା ପରେ, ଏହାକୁ ନେଇ ୟୁପି ପଲିଟିକ୍ସ ସରଗରମ ହୋଇଛି ।

ଗତରାତିର ଏହି ଘଟଣା ବେଳେ, ଜଣେ ସାମ୍ବାଦିକ ଓ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଚର୍ଚ୍ଚାର ବିଷୟ ହେଉଛି ଯେ, ୩ ହତ୍ୟାକାରୀ ବୁମ୍ ଓ କ୍ୟାମେରା ସହିତ ସାମ୍ବାଦିକ ବେଶରେ ଯାଇ ଗୁଳି ଚଳାଇଥିଲେ । ତେଣେ ସାମ୍ବାଦିକଙ୍କ ସୁରକ୍ଷା ଓ ନିରାପତ୍ତା ସଂପର୍କିତ SOP ଆଣିବାକୁ ଚିନ୍ତା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।