• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରାସ୍ତା ନାଁରେ ଶହଶହ ଗଛ କାଟିଦେଲେ

  • ବନ ବିଭାଗ, ପୂର୍ତ୍ତ ବିଭାଗ ମଧ୍ୟରେ ଦୋଷ ଲଦାଲଦି

  • କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥୁକୁନ୍ଥୁ ବନ ବିଭାଗ

ରାସ୍ତା କଡରେ ପଡ଼ିଛି ଶହଶହ ଗଛ । ଦିନ ଦ୍ୱିପ୍ରହରେ ପୂର୍ତ୍ତ ବିଭାଗ ଓ ବନ ବିଭାଗକୁ ଲଣ୍ଠନ ଦେଖାଇ ଗଛ କାଟିଦେଲେ ଦୁର୍ବୃତ୍ତ । ଆଉ ଗଛ କଟା ହେବା ପରେ ବନ ବିଭାଗ, OFDC ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଚାଲିଛି ଦୋଷ ଲଦାଲଦି । ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥୁକୁନ୍ଥୁ ହେଉଛି ପ୍ରଶାସନ । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚାଲିଛି ଚର୍ଚ୍ଚା ।

ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ନବରଙ୍ଗପୁର - କୋଷାଗୁମୁଡ଼ା ଭାୟା ରାଜୋଡା ରାସ୍ତାର ୨୨ କିଲୋମିଟର ଉନ୍ନତୀକରଣ ପାଇଁ ୪୪ କୋଟି ଟଙ୍କା ମଞ୍ଜୁର ହୋଇଛି l ଏମିତିକି ରାସ୍ତା କାମ ବି ଆରମ୍ଭ ହୋଇଗଲାଣି । ରାସ୍ତା କାମ ଲାଗି ବାଧା ସୃଷ୍ଟି କରୁଥିବା ଗଛ ଗୁଡିକୁ କାଟିବା ପୂର୍ବରୁ ଚିହ୍ନଟ କରିବା ପାଇଁ ପୂର୍ତ୍ତ ବିଭାଗ , ନବରଙ୍ଗପୁର ବନ ବିଭାଗର ଅନୁମତି ପାଇଁ ଚିଠି ଲେଖିବା ପରେ ସ୍ଥାନୀୟ ବନ ବିଭାଗ,ରାଜସ୍ୱ ବିଭାଗ ଓ ପୂର୍ତ୍ତ ବିଭାଗର ଏକ ମିଳିତ ଟିମ୍‌ ତଦନ୍ତ କରିଥିଲେ । ପରେ ୪୫୦ ଗଛ କଟାଯିବା ନେଇ ନିଷ୍ପତ୍ତି ହୋଇଥିଲା । ହେଲେ ୪୫୦ ବଦଳରେ ହଜାରହଜାର ଗଛ କାଟିନେଲେ ଦୁର୍ବୃତ୍ତ ।

ଅଧିକ ପଢ଼ନ୍ତୁ: ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ୪୫୦ ଗଛ କାଟିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ମନଇଚ୍ଛା ଗଛ କାଟିନେଲେ ଦୁର୍ବୃତ୍ତ । ଏମିତିକି ଗଛ କଟାଯିବା ପରେ ତିନୋଟି ବିଭାଗ ତିନୋଟି ବିଭାଗ ଉପରେ ଦୋଷ ଲଦୁଛନ୍ତି ।  ନିୟମ ଅନୁଯାୟୀ ବନ ବିଭାଗ ଅନୁମତି ଦେବା ପରେ ସେହି ଗଛ ଗୁଡିକ ବନ ନିଗମ (OFDC ) କାଟିବ। ପରେ ଗଛ ଗୁଡିକୁ ବିକ୍ରି କରିବ । ପରେ ୭୫ ପ୍ରତିଶତ ଅର୍ଥ ପୂର୍ତ୍ତ ବିଭାଗକୁ ଦେବାର ନିୟମ ରହିଛି । ହେଲେ ଏଠାରେ କୌଣସି ନିୟମ କାର୍ଯ୍ୟକାରୀ ହୋଇନାହିଁ । ବରଂ ଗଛ ଚିହ୍ନଟ ହେବା ପରେ ରାସ୍ତା କଡରୁ ଉଭାନ ହୋଇଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାସ୍ତା କଡରୁ ବହୁ ପୁରୁଣା ଗଛ କାଟି ମାଲେମାଲ ହେଲେ ମାଫିଆ । ଆଉ ରାଜସ୍ୱ ହରାଇଲା ପ୍ରଶାସନ । ଦିନ ଦ୍ୱିପ୍ରହରେ ଏମିତି ଦୁର୍ନୀତିକୁ ନେଇ ତାତିଛନ୍ତି ସ୍ଥାନୀୟ ବାସିନ୍ଦା । ଆଉ ତଦନ୍ତ କରି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ବି କରିଛନ୍ତି । ସେପଟେ ପୂରା ଘଟଣା ଲାଗି ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି ନବରଙ୍ଗପୁର ACF । କହିଛନ୍ତି , ପୂର୍ତ୍ତ ବିଭାଗ ଅଧୀନରେ ଗଛ ଥିଲା । ସେମାନେ ଥାନାରେ ଏତଲା ଦେବାର କଥା । ଅନ୍ୟପଟେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହୁଛନ୍ତି, ଗଛ କାଟିବାକୁ ବନ ବିଭାଗକୁ ପୂର୍ତ୍ତ ବିଭାଗ ଅନୁମତି ପତ୍ର ପାଇଁ ଆବେଦନ କରିଥିଲା । ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସେ ଅବଗତ ନାହାନ୍ତି । ସେହିଭଳି OFDC ମଧ୍ୟ ନିଜର ଦୋଷ ଝାଡ଼ିବା ସହ କହିଛନ୍ତି, ଗଛ ସମ୍ପର୍କରେ ତାଙ୍କୁ କେହି କିଛି କହିନାହାନ୍ତି ।

ଆଜିକା ଦିନରେ ଗଛ ଲଗାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଏଇଠି ଦିନ ଦ୍ୱିପ୍ରହରେ ଗଛ କଟାଯାଉଛି । ଆଉ ପ୍ରଶାସନିକ ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଯାହାକୁ ନେଇ ପୂରା ଜିଲ୍ଲାରେ ବଢିଛି ଚର୍ଚ୍ଚା ।

  • Reported by:
  • Naba Ghana Bishoi