• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୋର ଫେରାଇଲେ ଚୋରି ଗହଣା । କୋରିୟର୍‌ କରି ୫ ଲକ୍ଷ ଟଙ୍କାର ଗହଣା ଫେରାଇ ଦେଇଛନ୍ତି ଚୋର ଗ୍ୟାଙ୍ଗ୍‌ । କଥାଟି ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ନିରାଟ ସତ କଥା । ଗାଜିଆବାଦର ରାଜନଗର ଏକ୍ସଟେନସନ୍ ଫର୍ଚୁନ୍ ସୋସାଇଟିରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଚୋରି ହେବାର କିଛି ଦିନ ପରେ ପୀଡ଼ିତାଙ୍କ ନାମରେ ଏପରି ଏକ କୋରିୟର୍‌ ଆସିଛି । ୨୩ ଅକ୍ଟୋବର ବିଳମ୍ବିତ ରାତିରେ ଏଠାକର ଏକ ଫ୍ଲାଟରୁ ୨୦ ଲକ୍ଷ ୨୫ ହଜାର ମୂଲ୍ୟର ଅଳଙ୍କାର ଚୋରି କରିଥିଲେ ଚୋର । ଏହା ଦେଖି ପୀଡିତ ଏବଂ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ବର୍ତ୍ତମାନ କୋରିଅର ଆଧାରରେ ଚୋରକୁ ଖୋଜୁଛି ପୋଲିସ୍ ।

ପୀଡିତ ପ୍ରୀତି ସିରୋହି ମୂଳତ ବୁଲନ୍ଦଶହରର ବାସିନ୍ଦା । ସେ ନିଜ ପରିବାର ସହିତ ରାଜନଗର ଏକ୍ସଟେନ୍ସନର ଫର୍ଚୁନ୍ ରେସିଡେନ୍ସିରେ ରୁହନ୍ତି । ଦୀପାବଳି ପାଳନ କରିବାକୁ ପ୍ରୀତି ତାଙ୍କ ପରିବାର ସହିତ ୨୩ ଅକ୍ଟୋବରରେ ବୁଲନ୍ଦଶହର ଯାଇଥିଲେ । ହେଲେ ଅକ୍ଟୋବର ୨୭ ସନ୍ଧ୍ୟାରେ ଫେରି ଆସିବା ପରେ ଦେଖିଲେ ତାଙ୍କ ଘର କବାଟ ଅଧା ଆଉଜା ହୋଇ ରହିଛି । ଫ୍ଲାଟ ଏବଂ ଆଲମାରୀର ତାଲା ଭାଙ୍ଗି ରଖାଯାଇଥିବା ନଗଦ ଟଙ୍କା ଏବଂ ଅଳଙ୍କାର ନେଇଯାଇଛନ୍ତି ଚୋର । ସଙ୍ଗେ ସଙ୍ଗେ ସେ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ହେଲେ ଅଚାନକ୍‌ ଅକ୍ଟୋବର ୨୯ ସନ୍ଧ୍ୟାରେ ହଠାତ୍ ସଂଧ୍ୟା ପ୍ରାୟ ୬ଟା ସମୟରେ କୋରିୟରରେ ଏକ ପାର୍ସଲ ଆସିଥିଲା । ପ୍ରୀତି ସିରୋହି ସେହି ପାର୍ସଲ୍ ଖୋଲି ଦେଖିଲା ବେଳକୁ ସେଥିରେ ତାଙ୍କ ନାମ, ଫ୍ଲାଟ ଏବଂ ମୋବାଇଲ୍ ନମ୍ବର ମଧ୍ୟ ଲେଖାଯାଇଥିଲା । ପାର୍ସଲ ଖୋଲିବା ପରେ ଚୋରି ହୋଇଥିବା ଅଳଙ୍କାର ପାଇଲେ । ତେବେ ପାର୍ସଲରେ ମାତ୍ର ୪.୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଥିଲା । ଏହି ଅଳଙ୍କାର ମିଳିବା ପରେ ତୁରନ୍ତ ସେ ପୋଲିସକୁ ଖବର କରିଥିଲେ ।

ଆଉ ଖବର ପାଇବା ପରେ ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ୍‌ । ରାଜଦୀପ ଜୁଏଲର୍ସ ହାପୁରଙ୍କ ନାମରୁ ପାର୍ସଲ ଆସିଥିବା ଜଣାପଡ଼ିଥିଲା । ପୋଲିସ ହାପୁର ସାରଫା ମାର୍କେଟରେ ପହଞ୍ଚିଥିଲା, କିନ୍ତୁ ସେହି ନାମରେ କୌଣସି ଦୋକାନ ନଥିଲା । ବର୍ତ୍ତମାନ ସିସିଟିଭି ଫୁଟେଜ୍‌ ମାଧ୍ୟମରେ ଚୋରଙ୍କୁ ଖୋଜିବା ପାଇଁ ଚେଷ୍ଟା କରାଯାଉଛି। ଖୁବ ଶୀଘ୍ର ଚୋର ଗ୍ୟାଙ୍ଗକୁ ଧରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଉଛି ।