• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁହାଯାଏ ଅଭାବେ ସ୍ୱଭାବ ନଷ୍ଟ । ପରିସ୍ଥିତିରେ ପଡ଼ି ସାଧାରଣ ଲୋକେ ଅନେକ ବଡ଼ ଅପରାଧ କରିପକାନ୍ତି । ପରେ ଭାବିଲା ବେଳକୁ ସବୁ ଶେଷ ହୋଇ ସାରିଥାଏ । ଛତିଶଗଡର ରାୟପୁରରେ ଏପରି ଏକ ଘଟଣା ଘଟିଛି । ଠିକ୍‌ ସମୟରେ ଦରମା ଏବଂ ଦିପାବଳୀ ବୋନସ ନମିଳିବାରୁ ଜଣେ କର୍ମଚାରୀ ଡକାୟତ ପାଲଟି ଯାଇଛନ୍ତି । ନିଜର କିଛି ସହଯୋଗୀଙ୍କ ସହ ସେ ନିଜ କମ୍ପାନୀରୁ ହିଁ ମୋଟା ଅଙ୍କର ଟଙ୍କା ଉଡ଼ାଇ ନେଇଛନ୍ତି ।

ଆଉ ସବୁଠାରୁ କଡ଼ କଥା ହେଲା ଟଙ୍କା ଲୁଟିବା ପରେ ଏକ ମିଥ୍ୟା କାହାଣୀ ମଧ୍ୟ ରଚିଥିଲେ, ହେଲେ ସତ କେତେଦିନ ବା ଲୁଚି ଥାଆନ୍ତା । ପୋଲିସ ଛାନଭିନ୍‌ ପରେ ଡକାୟିତିର ପ୍ଲାନିଂ ପ୍ଲଟିଂ ସମ୍ପର୍କରେ ଜାଣିପାରିଥିଲେ । ଆଉ ବର୍ତ୍ତମାନ କର୍ମଚାରୀ ଜଣଙ୍କୁ ପୋଲିସ ଗିରଫ କରିଛି ।

ଅକ୍ଟୋବର ୧୮ରେ ଛତିଶଗଡ଼ ସିଲାରିର ତରେସରରେ ଏହି ଘଟଣା ଘଟିଥିଲା । ଏସପି ଗୋୟଲ ନାମକ ଏକ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ଶ୍ରମିକଙ୍କ ନଗଦ ଦରମା ନେଇ ବ୍ୟାଙ୍କ୍‌ ଅଭିମୁଖେ ଯାଉଥିଲେ । ଆଉ ରାସ୍ତାରେ ହିଁ ସେ ଲୁଟର୍‌ ଶିକାର ହୋଇଥିଲେ । ଏନେଇ କମ୍ପାନୀର କର୍ମଚାରୀ ସୁଶାନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ରାସ୍ତା କଡ଼ରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା । ଆଉ ଏଥିରେ ଧରାପଡ଼ିଲା ଚୋର । କମ୍ପାନୀର କର୍ମଚାରୀ ହିଁ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଥିଲା । ପରେ ଅପରାଧୀ ବିଦ୍ୟାଧରଙ୍କୁ ପଚରାଉଚରା କରିବା ପରେ ସେ ସବୁ କଥା ମାନି ନେଇଥିଲେ । ବନ୍ଧୁଙ୍କ ସାହାଯ୍ୟ ଟଙ୍କା ଲୁଟ୍‌ କରିଥିବା ସ୍ୱୀକାର କରିଥିଲେ ।

ବିଦ୍ୟାଧର ପୋଲିସକୁ କହିଛି, ସ୍ୱଳ୍ପ ବେତନ ହେତୁ ମ୍ୟାନେଜମେଣ୍ଟ୍‌ ସହିତ ତାଙ୍କର ଅନେକ ଥର ଝଗଡ଼ା ହୋଇଛି । ଏପରିକି ଦିପାବଳିରେ ତାଙ୍କୁ ବୋନସ୍ ମଧ୍ୟ ଦିଆଯାଇ ନଥିଲା । ତେଣୁ ସେ ଟଙ୍କା ରୋଜଗାର ପାଇଁ ଏପରି ସଟକଟ୍‌ ଆପଣାଇଥିଲେ । ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧରକୁ ପୋଲିସ୍‌ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ଅଛନ୍ତି ।