Advertisment

ମୋଡ ନେଇଛି ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା

ମୋଡ ନେଲା ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା। କୁଖାତ ଜାମତାରା ଗ୍ୟାଙ୍ଗ୍ ସହ ରାଜଧାନୀର ଇଂଜିନିୟରିଂ ଛାତ୍ରଙ୍କ ଲିଙ୍କ୍। ପୋଲିସ୍ ଉଠେଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍‌ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍।

author-image
Pramod Behera
ଅଦ୍ୟତନ ହୋଇଛି
The case of the missing engineering student has taken a turn

The case of the missing engineering student has taken a turn

ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ଇଂଜିନିୟରିଂ ଛାତ୍ର ନିଖୋଜ ମାମଲାରେ ଟ୍ୱିଷ୍ଟ୍‌। ଅଣଓଡିଆ ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍‌ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍। ସମ୍ବଲପୁର ଅଇଁଠାପାଲିର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗର ଖୋଳତାଡ଼ କରୁ କରୁ ପୋଲିସ୍ ଏହି ଛାତ୍ରଙ୍କ ପାଖରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ଠକେଇରେ ସଂପୃକ୍ତି ଜଣାପଡ଼ିବାରୁ ସେମାନଙ୍କୁ ଗିରଫ କରାଯାଇଛି।

Advertisment

ସୂଚନା ମୁତାବକ ସମ୍ବଲପୁରର ଅଇଁଠାପାଲିର ଜଣେ ବ୍ୟକ୍ତିଙ୍କୁ ଅନ୍ଲାଇନ୍‌ରେ ୨ ଲକ୍ଷ ଲୁଟ୍ ମାମଲାରେ ୨ ମେକାନିକାଲ୍‌ ଛାତ୍ରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍। ସେପଟେ ଗତ ୧୧ ତାରିଖରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୪ ଇଂଜିନିୟରିଂ ଛାତ୍ର ନିଖୋଜ ଘଟଣା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକେ ନିଖୋଜ ବୋଲି ଦର୍ଶାଇଥିବା ୪ ଛାତ୍ରଙ୍କ ଭିତରୁ ୨ ଜଣ ଅନ୍‌ଲାଇନ୍ ଠକେଇରେ ସଂପୃକ୍ତି ଜାମତାରା ଗ୍ୟାଙ୍ଗ୍ ସହ କାମ କରୁଥିବା ସୂଚନା ଦେଇଛି ସମ୍ବଲପୁର ପୋଲିସ।

ଗିରଫ ଦୁଇ ଛାତ୍ର ହେଲେ ଝାଡ଼ଖଣ୍ଡ ପୂର୍ବସିଂଭୂମ୍‌ର ବିଶାଳ ପାଣ୍ଡେ ଓ ବିହାର ଜାମୁଇର ଶେଖର ଗୌତମ୍। ଏମାନେ ଜାମତାରା ଗ୍ୟାଙ୍ଗ୍‌ର ପ୍ରତ୍ୟକ୍ଷ ସଦସ୍ୟ ରେହମତ ଅନ୍‌ସାରୀ ସହ ଠକେଇରେ ସାମିଲ ଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ସମ୍ବଲପୁର ପୋଲିସ ଏମାନଙ୍କଠାରୁ ୧ ଲକ୍ଷ ୧୩ ହଜାର ଟଙ୍କା, ୯ଟି ମୋବାଇଲ ଫୋନ୍, ବିଭିନ୍ନ ବ୍ୟାଙ୍କ୍‌ର ଏଟିଏମ୍ କାର୍ଡ ଓ ଏକ ଲାପ୍‌ଟପ୍ ଜବତ କରିଛି।

Advertisment

ତେବେ ସମ୍ବଲପୁର ଅଇଁଠାପାଲିର ସରୋଜ ଦାସ ନାମକ ଜଣେ ବ୍ୟକ୍ତି ଏକ ଅନ୍‌ଲାଇନ୍ ଆପ୍‌ରୁ ୩ ଲକ୍ଷ ୯୦ ହଜାର ଟଙ୍କା ଲୋନ୍ ଆବେଦନ କରିଥିଲେ। ସରୋଜ ସେହି ଆପ୍‌ର କଷ୍ଟମର କେୟାର ନମ୍ବର ସହ ଯୋଗାଯୋଗ କରିବା ଭିତରେ ଏହି ଠକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପରେ ତାଙ୍କ ନିକଟକୁ ୭୨୧୯୭୬୦୩୦୩ ନମ୍ବରରୁ ଏକ କଲ୍‌ ଆସିବା ସହ ତାଙ୍କ ଲୋନ୍ ଟଙ୍କା ମିଳିବାରେ ସହଯୋଗର ପ୍ରତିଶ୍ରୁତି ଦେଇ ତାଙ୍କ ମୋବାଇଲରେ ଏନି ଡେସ୍କ ନାଁରେ ଏକ ଆପ୍ ଡାଉନ୍‌ଲୋଡ୍ ପାଇଁ କୁହାଯାଇଥିଲା।

ଗଲା ୫ ତାରିଖରେ ସରୋଜଙ୍କ ଆକାଉଣ୍ଟ୍‌କୁ ଟଙ୍କା ଆସିବା ମାତ୍ରେ ସେଥିରୁ ୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। ସରୋଜ ଘଟଣା ସମ୍ପର୍କରେ ଅଇଁଠାପାଲି ପୋଲିସରେ ଅଭିଯୋଗ କରିବା ପରେ ସଂପୃକ୍ତ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଜାମତାରା ଗ୍ୟାଙ୍ଗ୍‌ର ଲିଙ୍କ୍‌ ପାଇଥିଲା ପୋଲିସ୍‌।

ଏପଟେ ପୋଲିସ ଉଠାଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ନିର୍ଦ୍ଦୋଷ ଥିବା ପ୍ରାଥମିକ ପ୍ରମାଣ ମିଳିବା ପରେ ସମ୍ବଲପୁର ପୋଲିସ ସେମାନଙ୍କୁ ଛାଡ଼ି ଦେଇଛି। ତେବେ ଏ ଠକେଇ ମାମଲାରେ ଆଉ କିଛି ଲୋକ ସଂପୃକ୍ତ ଥିବା ସୂଚନା ମିଳିବା ପରେ ସେମାନଙ୍କ ନିକଟରେ ପହଞ୍ଚିବାକୁ ତନାଘନା ଜାରି ରଖିଛି ସମ୍ବଲପୁର ପୋଲିସ୍‌।

(ରିପୋର୍ଟ: ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ସମ୍ବଲପୁରରୁ ସଞ୍ଜୟ ଜେନା)

Crime News
Advertisment
Advertisment