ଜ୍ୟୋତି ମଲହୋତ୍ରାର କ୍ଲୋଜ ଲିଙ୍କରେ ଥିଲା ଆଉ ଜଣେ ୟୁଟ୍ୟୁବର୍ । ପାକିସ୍ତାନ ପାଇଁ କରୁଥିଲା ଗୁଇନ୍ଦାଗିରି । ପାକିସ୍ତାନର ଗୁପ୍ତଚର ସାଜିଥିବା ଯଶବୀର ସିଂହକୁ ବାନ୍ଧିଲା ପୋଲିସ୍ । ବୁଲିବାକୁ ଏହି ଅଭିଯୁକ୍ତ ତିନି ଥର ଯାଇଛି ପାକିସ୍ତାନ ।
ପାକିସ୍ତାନର ଆତଙ୍କବାଦ ଲିଙ୍କରେ ପଞ୍ଜାବ ପୋଲିସର ସ୍ପେଶାଲ୍ ଅପରେସନସ ସେଲ୍ ଆଉ ଜଣଙ୍କୁ ଧରି ଗିରଫ କରିଛି । ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ସମର୍ଥିତ ଗୁଇନ୍ଦାଗିରି ନେଟୱର୍କରେ ଯଶୱନ୍ତ ଥିବାର କହିଛି ପୋଲିସ୍ । ରୂପନଗରର ମହ୍ଲାନ ଗାଁର ବାସିନ୍ଦା ହେଉଛି ଯଶବୀର । ସେ ‘ଜନ ମହଲ’ ନାମରେ ଏକ ଏକ ୟୁଟ୍ୟୁବ ଚାନେଲ୍ ଚଲାଉଛି ।
Also Read
ପାକିସ୍ତାନୀ ହାଣ୍ଡଲରଙ୍କ ସହ ସେ ନିୟମିତ ସଂପର୍କରେ ଥିବାର କହିଛନ୍ତି ପଞ୍ଜାବ ପୋଲିସ ଡିଜିପି । ପୂର୍ବରୁ ଗିରଫ ହୋଇଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ସହ ଯଶବୀରର ଭଲ ସଂପର୍କ ଥିଲା । ଏପରିକି ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଇଶାନ-ଉର୍- ରହିମ ଓରଫ ଡାନିଶ ସହ ମଧ୍ୟ ଯୋଗାଯୋଗରେ ଥିଲା ଯଶବୀର । ଦିଲ୍ଲୀରେ ଅନୁଷ୍ଠିତ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମକୁ ଯଶବୀରକୁ ନିମନ୍ତ୍ରଣ କରାଯାଇଥିଲା । ସେଥିରେ ଯୋଗ ଦେଇ ଯଶବୀର ପାକିସ୍ତାନ ସେନାବାହିନୀର ବରିଷ୍ଠ ଅଧିକାରୀ ଓ ବ୍ଲଗରଙ୍କ ସହ ଆଲୋଚନା କରିଥିଲା । ସେ ୨୦୨୦, ୨୦୨୧ ଓ ୨୦୨୪ରେ ପାକିସ୍ତାନ ଗସ୍ତ କରିଥିଲା ।
ଅଧିକ ପଢ଼ନ୍ତୁ: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା
ତା ଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ ଡିଭାଇସେସରେ ପାକିସ୍ତାନର ବହୁ କଣ୍ଟାକ୍ଟ ନମ୍ୱର ରହିଛି । ଏବେ ଏହାର ଫରେନସିକ ଆନାଲିସିସ କରାଯାଉଛି ବୋଲି କହିଛନ୍ତି ପଞ୍ଜାବ ଡିଜିପି । ତେବେ ବଡ଼ କଥା ହେଉଛି, ଜ୍ୟୋତି ମଲହୋତ୍ରା ଗିରଫ ହେବା ପରେ ଯଶବୀର ବିଭିନ୍ନ ସମୟରେ କରିଥିବା ଯୋଗାଯୋଗର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା ।
ଯଶବୀର ଜଟ୍ ରାନ୍ଧାୱା ଓରଫ ଶାକିର ସହ ମଧ୍ୟ କଣ୍ଟାକ୍ଟରେ ଥିଲା । ଶାକିର ହେଉଛି ପାକିସ୍ତାନ ଗୁଇନ୍ଦାଗିରି ନେଟୱର୍କର ଜଣେ ପ୍ରମୁଖ ବ୍ୟକ୍ତି । ଯଶବୀର ବିରୋଧରେ ମୋହାଲିରେ ଏକ କେଶ୍ ରୁଜୁ ହୋଇଛି । ଏହି ଗୁଇନ୍ଦାଗିରି ନେଟୱର୍କରେ କେଉଁମାନେ ଜଡିତ ଅଛନ୍ତି ଓ ଏମାନଙ୍କୁ କେଉଁମାନେ ସହାୟତା କରୁଛନ୍ତି, ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍ । ଜାତୀୟ ସୁରକ୍ଷାକୁ ପଞ୍ଜାବ ପୋଲିସ ଅଗ୍ରାଧିକାର ଦେଉଥିବାର କହିଛନ୍ତି ଡିଜିପି । ଦେଶରେ ରହି ଦେଶ ବିରୋଧରେ କାମ କରୁଥିବା କାହାରିକୁ ବି ଛଡାଯିବ ନାହିଁ ବୋଲି କହିଛି ପୋଲିସ୍ ।