• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

'ଚଗୁଲୁରେ.. ତୁ ମତେ ଶେଷରେ ବିଷ ଦେଇଦେଲୁ? ବଡ଼ଭାଇ ହିସାବରେ ମୁଁ ତୋର କି କ୍ଷତି କରିଥିଲି? ତତେ ସ୍ନେହରେ ବଢ଼େଇବା କଣ ମୋ ପାଇଁ ପାପ ଥିଲା? ଶେଷରେ ମତେ ସ୍ଲୋ ପଏଜନ୍ ଦେଇ ମାରିଲୁ?'

ମୃତ୍ୟୁବରଣ କରିବା ପୂର୍ବରୁ, ଇଏ ହେଉଛି ଜଣେ ବଡ଼ଭାଇ, ତା ସାନଭାଇକୁ ଫୋନରେ କହୁଥିଲା ଶେଷ କେଇପଦ କଥା। ଏମିତି ଏକ ଦୀର୍ଘ ଅଡିଓ ଏବେ ଭାଇରାଲ୍ ହେଉଛି, ଯାହା ପଛର ସତ୍ୟତା ଜାଣିଲେ ଆପଣଙ୍କ ଦେହ ଥରି ଉଠିବ। ଭାଇ-ଭାଇ ସଂପର୍କ ଉପରେ ସନ୍ଦେହ ଆସିବ। ଭାଇ-ଭାଇ ସମ୍ପର୍କ କେତେ ନିବିଡ, ଆମ ସମାଜରେ ତା'ର ଅନେକ ଉଦାହରଣ ରହିଛି। କଥାରେ କଥାରେ ଆମେ କହୁ, ଯଦି ଦୁନିଆ ସହ ଲଢିବାକୁ ଚାହୁଁ, ତେବେ ସାଥୀରେ ଭାଇଟିଏ ଥିବା ଦରକାର। କାରଣ ବିପତ୍ତି ଆସିଲେ ସବୁବେଳେ ଭାଇ ହିଁ ଭାଇ ପାଖରେ ଛିଡ଼ାହୁଏ।

କିନ୍ତୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ଶାଳପଡ଼ାରେ ଘଟିଥିବା ଏକ ଘଟଣା ଆପଣଙ୍କ ଛାତି ଥରେଇ ଦେବ। ଭାଇଟିଏ କେମିତି ନିଜ ଭାଇର ଭଗାରୀ ହୁଏ, ଆଉ ସେ କେତେ ସାଂଘାତିକ ଭାବରେ ପ୍ରତିଶୋଧ ନେଇପାରେ, ତାହା ଜାଣିଲେ ଆପଣଙ୍କୁ ହୁଏତ କଷ୍ଟ ହେବ। ବଡ଼ ଭାଇର ସ୍ନେହ ଆଦର ଭୁଲିଗଲା ସାନଭାଇ। ବଡ଼ ଭାଇର ବିଶ୍ବାସରେ ବିଷ ମିଶେଇ ଦେଇଛି ତା ପ୍ରିୟ ସାନଭାଇ। ହାତଖର୍ଚ୍ଚ କରିବାକୁ ସାନଭାଇକୁ ଯେଉଁ ଟଙ୍କା ଦେଇଥିଲା, ସେଇ ଟଙ୍କାରେ ବିଷ କିଣି ବଡ଼ଭାଇକୁ ଖାଇବାରେ ଦେଇ ଦେଇଥିଲା। ବଡ଼ ଭାଇର ଆକଟ ସହିନପାରି ସ୍ଲୋ-ପଏଜନ୍ ଦେଇ ସେ ତା ବଡ଼ଭାଇକୁ ମାରିଦେଇଛି।

ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିବା ପରେ, ଜୀବନର ଶେଷ ମୁହୂର୍ତ୍ତରେ ବଡ଼ଭାଇ ଫୋନ୍ କରିଛି ସାନଭାଇକୁ। ସେହି ଫୋନ୍ ଅଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଚି। ଶୁଣନ୍ତୁ ସେଇଥିରୁ କେଇପଦ।

Viral Phone Audio: ‘ବଡ଼ ଭାଇ- ଚଗୁଲୁ ... ପୁରା ମୁଁ ସୁସ୍ଥ ମଣିଷଟା, ପୁରା ମତେ ଡିଫେକ୍ଟ କରିଦେଲୁ । କ’ଣ କ୍ଷତି କରିଥିଲି ବେ ତୋର .. ଟିକେ ତାଗିଦ କରିଥିବି ବଡ଼ଭାଇଟା, କରିବନି ନା ଜଣେ ବିଜନେସକୁ ସୁଦୃଢ କରିବା ପାଇଁ ତତେ । ମୁଁ ତ ବସିକି ପାଠ ପଢୁଥିଲି ହିଂସା ହେଲାକି ତୋର । ୨୪ ଘଣ୍ଟା ବସି ପାଠ ପଢୁଥିଲା କ’ଣ କ୍ଷତି କଲି ତୋର । ମତେ ଡାକିକି ଆଣି ବିଷ ଦେଇ ଦେଲୁ ବହି ପାଖରୁ ଉଠେଇକି । ତେତେ କହିଥିଲି ବର୍ଷେ ପରେ ମୁଁ ଚାକିରି କରିଥିଲେ, ଆଇଦର ତୁ ଫାର୍ମ ସମ୍ଭାଳିବୁ, ନହେଲେ ଫାର୍ମ ସହିତ ପାଠ ପଢିବୁ। ନ ହେଲେ ଫାର୍ମ ଛାଡ଼ି ଦେଇକି ପାଠ ପଢିବୁ ମୁଁ ପାଇସା ଦେବି । କହିଥିଲି ତ... ମୁଁ କଥାଟା ଯାହା କହିଥାଏ ଏପଟ ସେପଟ କରେ କି ? କ’ଣ ପାଇଁ ଏମିତି କଲୁ? ମତେ ମାରି ଦେଇଥିଲେ ତୋ ଜୀବନଟାକୁ ଠିକ୍ କରିଦେଇଥାନ୍ତୁ...’

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିକଟ ଶାଳପଡ଼ାସ୍ଥିତ ଗୁଣ୍ଡିଚା କଲୋନୀରେ ଘଟିଛି ଏହି ଦୁଃଖଦ ଘଟଣା। ଏ ଦୁଇ ପୁଅ ହେଉଛନ୍ତି ସେହି କଲୋନୀରେ ରହୁଥିବା ପ୍ରଦୀପ ଦାସଙ୍କ ୪ ସନ୍ତାନଙ୍କ ଭିତରୁ ଦୁଇଜଣ। ଏମାନଙ୍କୁ ମିଶାଇ ପ୍ରଦୀପଙ୍କର ୩ ପୁଅ ଓ ଗୋଟିଏ ଝିଅ। ସାନଭାଇ ସତ୍ୟବ୍ରତ ହିଁ ଘଟାଇଛି ଏହି ଅଘଟଣ। ବଡ଼ଭାଇ ତାକୁ ତାଗିଦ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ବଡ଼ଭାଇ ଦେବବ୍ରତର ଖାଦ୍ୟରେ କିଛିଦିନ ହେଲା ନିୟମତ ଅଳ୍ପ ଅଳ୍ପ ବିଷ ମିଶାଇ ଆସୁଥିଲା। ଫଳରେ ଧୀରେ ଧୀରେ ଦେବବ୍ରତଙ୍କ ଦେହ ଖରାପ ହୋଇ ଚାଲିଥିଲା। ସମୟ ଏମିତି ଆସିଲା ସେ ମେଡିକାଲରେ ପଡ଼ିଲେ ଆଉ ତାଙ୍କୁ ବିଷ ଦିଆଯାଇଛି ବୋଲି ଯେତେବେଳେ ଜାଣିଲେ, ସେତେବେଳେ ତାଙ୍କ ପାଖରେ ଆଉ ସମୟ ନଥିଲା। ସେ ଭାଇକୁ ଫୋନ୍ କରି ଯାହା ସବୁ କହିଥିଲେ, ଶୁଣନ୍ତୁ ସେଥିରୁ ଆଉକିଛି ଲୋମଟାଙ୍କୁରା ଧାଡ଼ି।

Viral Phone Audio: ‘ତୁ ମୋ ଜୀବନଟାକୁ ପୂରା ଡିଫେକ୍ଟ କରିଦେଲୁ। ମୁଁ ଆଉ ଠିଆ ହୋଇପାରୁନି, କଥା କହିପାରୁନି, ଆଖିକି ଦେଖାଯାଉନି। ମୋର ଆଉ ଏ ଜୀବନରେ କ’ଣ ହେବ ? ସମସ୍ତେ କହୁଛନ୍ତି କେସ୍ କରିବା ପାଇଁ। ମା’ ପେଟର ଭାଇ ବୋଲି କେସ୍ କରୁନି। ତୋର ଦୟାମାୟା ବୋଲି କିଛି ରହିଲାନି? ତୋ ଉପରେ ମୁଁ ଯଦି କେବେ ରାଗିଛି, ଫାର୍ମ ପାଇଁ ରାଗିଛି। ମୋ ନିଜ କାମ ପାଇଁ କେବେବି ରାଗେନି। ରାଗିଲେ ପୁଣି ତତେ ଥାପୁଡ଼େଇକି କଥାହୁଏ କି ନାହିଁ? ଖାଇଦେବୁ ଯା ବୋଲି କେତେଥର କହିଛି ? ତୁ ମତେ କେତେଥର କହିଛୁ, ନନା ଖାଇଦେଏ ବୋଲି? ମୁଁ ତତେ କେତେଥର କହିଛି ଖାଇଦେ ବୋଲି? ସେଇଟା ଗୋଟେ ସ୍ନେହ, ଯାହାକୁ ତୁ ବୁଝିପାରିଲୁ ନାହିଁ। ଶେଷରେ ମତେ ମାରିଦେଲୁ, ତୁ ଗୋଟେ ସାଇକୋ ରୋଗୀ ବୋଲି ଏବେ ଜାଣୁଛି… ଗୋଟେ ରିକ୍ବେଷ୍ଟ କରିବି ରଖିବୁ?

ମତେ ବେଶୀ କଷ୍ଟ ହେଉଛି, ବିଷ ତୁ ଦେଇଛୁ ବୋଲି, ଅନ୍ୟକେହି ଦେଇଥିଲେ ଏତେ ବାଧି ନଥାନ୍ତା। ତୋ ହାତଗୋଡ଼ ଧରି କହୁଛି, ମତେ କି ବିଷ ଜେଇଠୁ.. ତା ନାଁଟା କହ... ଡାକ୍ତର ମତେ ଚିକିତ୍ସା କରିବାରେ ସୁବିଧା ହେବ। ମୁଁ ଆଉ କିଛି କହିପାରୁନି। ମତେ ବହୁତ କଷ୍ଟ ହେଉଛି। ମୁଁ ଭାବୁଛି ମତେ ତୁ ୪ଥର ବିଷ ଦେଇଛୁ। କେତେଥର ଦେଇଛୁ ଗଣିକି ଟିକେ କହ। କ’ଣ କ’ଣ ଦେଇଛୁ ପ୍ଲିଜ୍‌ ଟିକେ କହ। ମୁଁ ଏବେବି ତୋର କିଛି କ୍ଷତି କରିବାକୁ ଚାହୁଁନି। ତୁ ମୋତେ କଷ୍ଟରୁ ମୁକ୍ତି ଦେ।

ବଡ଼ଭାଇଙ୍କ ପ୍ରଶ୍ନରେ ସାନଭାଇ ବିଷ ବୋତଲର ଫଟୋ ଉଠେଇ ତାଙ୍କୁ ପଠେଇଛନ୍ତି ବୋଲି କହିଛନ୍ତି । ସେହିପରି ସେ ୪ ଥର ଖାଦ୍ୟରେ ବିଷ ମିଶାଇ ତାଙ୍କ ବଡ଼ଭାଇକୁ ଦେଇଥିବା ମଧ୍ୟ ଭାଇରାଲ ହେଉଥିବା ଅଡିଓରେ ସ୍ୱୀକାର କରିଛନ୍ତି । ଏହା ସହ କେଉଁ ବିଷ ଦେଇଥିଲେ ତାହାର ନାଁ ମଧ୍ୟ ସେ ତାଙ୍କ ବଡ଼ଭାଇଙ୍କୁ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now