• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସତ ହେଲା ସନ୍ଦେହ । କଣ୍ଢେଇ କହିଦେଲା କିଲର କିଏ ? ନାବାଳିକା ଯୁକ୍ତ ଦୁଇ ଛାତ୍ରୀର ତଣ୍ଟି କାଟି ହତ୍ୟା ଘଟଣାର ମାତ୍ର ୨୪ ଘଂଟାରେ ସତ୍ୟାସତ୍ୟ ସାମ୍ନାକୁ ଆଣିଛି ପୋଲିସ୍‌ । ହତ୍ୟା ହେବାର ମାତ୍ର ୨୪ ଘଂଟା ମଧ୍ୟରେ ପ୍ରକୃତ ହତ୍ୟାକାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ପୂରା ବଲାଙ୍ଗିର ଜିଲ୍ଲାରେ ଏହି ହତ୍ୟାକୁ ନେଇ ଚର୍ଚ୍ଚା ଚାଲିଛି ।

ଟେଡ଼ି ପାଇଁ ଟେନସନ ହୋଇଥିଲା ପ୍ରେମିକ ମିଲନ୍‌ । ମିଲନ୍ ପାଖରୁ ପାଇଥିବା ଉପହାର ଟେଡିକୁ ଫେରାଇ ଦେଇଥିଲେ ନାବାଳିକା ପ୍ରେମିକା ଶେଷାଦ୍ରୀ । କିନ୍ତୁ ଏଥିରେ ରାଗିଯାଇଥିବା ଅଭିଯୁକ୍ତ ପ୍ରେମିକ ପ୍ରଥମେ ବୁଝାସୁଝା କରିଥିଲା ...ଏମିତିକି ସମ୍ପର୍କ ଅତୁଟ ରଖିବା ପାଇଁ ଅନୁରୋଧ କରିଥିଲା । କିନ୍ତୁ ରିଲେସନ ଅଧିକ ବଢାଇକୁ ଚାହୁଁନଥିବାରୁ ବ୍ରେକଅପ କରିବା ଲାଗି ବାରବାର କହିଥିଲେ ଶେଷାଦ୍ରୀ । ଖାଲି ଏତିକି ନୁହେଁ ବରଂ ମିଲନ୍‌ ଦେଇଥିବା କଣ୍ଢେଇକୁ ଫେରାଇ ଦେବାକୁ ସେ ବାରମ୍ବାର କହିଥିଲେ । ତେଣୁ ରାଗିଯାଇ ପ୍ରେମିକାଙ୍କ ମୁଣ୍ଡଙ୍କୁ କାନ୍ଥରେ ବାଡେଇ ଦେଇଥିଲେ ମିଲନ୍‌ ।

ବାସ୍‌ ଏତିକିରେ ମିଲନର ରାଗ କମିନଥିଲା ବରଂ ଅଚେତ୍‌ ହେବା ପରେ ପ୍ରେମିକାଙ୍କୁ ଧାରୁଆ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲା । ଆଉ ବର୍ତ୍ତମାନ ସମୟରେ ସେହି ଧରୁଆ କଟୁରୀ, ଆଉ ଶେଷଦ୍ରୀଙ୍କ ବାପାଙ୍କ ସାର୍ଟ ପୋଲିସ ଜବତ କରିଛି । ଯେଉଁଥିରେ ରକ୍ତ ଜୁଡୁବୁଡୁ ହାତ ପୋଛିଥିଲା ମିଲନ । କେଉଁପଟୁ, କେମିତି ଘରେ ପଶିଥିଲା.. କେଉଁ ଜାଗାରେ ହତ୍ୟା କରିଥିଲା...ହତ୍ୟାପରେ କେମିତି ଫେରାର ମାରିଥିଲା? ଅନ୍ୟ ଦୁଇଜଣ ବନ୍ଧୁ କେମିତି ସହଯୋଗ କରିଥିଲେ, ସବୁକୁ ବି ବଖାଣିଥିଲା ହତ୍ୟା ଅଭିଯୁକ୍ତ ମିଲନ । ହତ୍ୟା ପରେ ଅଭିଯୁକ୍ତ ଫେରାର୍‌ ମାରୁଥିଲା ହେଲେ ପୋଲିସ୍‌ ହାତରେ ଧରାପଡିଛି । ମିଲନ ସିନା ଧରାପଡିଛି ହେଲେ ଅନ୍ୟ ସହଯୋଗୀ ଏବେବି ଫେରାର ଅଛନ୍ତି ।

୧୩ ତାରିଖରେ ହୋଇଥିବା ଏହି ହତ୍ୟାକାଣ୍ଡକୁ ନେଇ ପୂରା ଜିଲ୍ଲାରେ ବଢିଥିଲା ଚର୍ଚ୍ଚା । ଏମିତିକି ଘଟଣା କାହିଁକି ଘଟିଲା ସେନେଇ ପୋଲିସ କିଛି ସୂଚନା ପାଇନଥିଲା । କିନ୍ତୁ କଣ୍ଢେଇ ଦେହରେ ଥିବା ଲେଖାରୁ ହିଁ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚିପାରିଛି । ତେବେ ଟିନ ଏଜ ପ୍ରେମର ଭୟଙ୍କର କ୍ଲାଇମାକ୍ସ ଦେଖିବାକୁ ମିଳିଛି । ସେପଟେ କିନ୍ତୁ ବଲାଙ୍ଗିର ପୋଲିସର ଅନୁରୋଧ... ନାବାଳକ, ନାବାଳିକା ସ୍ମାର୍ଟ ଫୋନ ବ୍ୟବହାର ସମୟରେ ଅଭିଭାବକ ନଜର ଦିଅନ୍ତୁ । ଏପଟେ ଝିଅର ହତ୍ୟାକାରୀକୁ ଫାଶୀ ଜିଦ୍‌ରେ ଅଟଳ ଶେଷାଦ୍ରୀଙ୍କ ମାଆ ।

 

  • Reported by:
  • MANARANJAN JOSHI , Ghateswar Mishra