• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ସରକାର ଜୋର ଦେଇ କହୁଛନ୍ତି, ରାଜ୍ୟରେ ଚାଲିଛି ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର। ବିରୋଧୀ କହୁଛନ୍ତି, ଓଡ଼ିଶାରେ ହେଉଛି ବିଶ୍ୱସ୍ତରୀୟ ଦୁର୍ନୀତି । ତେବେ କାହା କଥା ସତ । ଗତକାଲି ବିଧାନସଭାରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ପିସିି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ  ଗ୍ରାଉଣ୍ଡରେ ସ୍ଥିତି ପରଖିଥିଲା ଓଟିିଭି।

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି । କେନ୍ଦ୍ରାପଡ଼ା ବ୍ଲକ୍ ଅଫିସ୍‌ରେ ବିନା ପିସିରେ କିଛି କାମ ହେଉନଥିବାରୁ ଏହାର ବିରୋଧ କରି ବ୍ଲକ୍ ଅଫିସ ଆଗରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଧୁମାତ ପଞ୍ଚାୟତବାସୀ । ସେମାନଙ୍କ ଅଭିଯୋଗ ଗରିବଙ୍କୁ ଇନ୍ଦିରା ଆବାସ ପାଇଁ ବି ୫ ହଜାର ଟଙ୍କା ପିସି ଦାବି କରୁଛନ୍ତି ସରପଞ୍ଚଙ୍କ ଦଲାଲ । 

କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଦିଣ୍ଡା ରଜାଗୁଡ଼ା ଗାଁର ଡମ୍ବରୁ ଜାନି । ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଥିଲେ । ବ୍ଲକ୍ କର୍ତ୍ତୃପକ୍ଷ ତାଙ୍କୁ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ଦେବା କଥା । ତେବେ ଲକ୍ଷେ ଟଙ୍କା ଦେବା ପରେ ଆଉ ୩୦ ହଜାର ଟଙ୍କା ପାଇଁ ଜାନିଙ୍କୁ ବାରମ୍ବାର ପଞ୍ଚାୟତରୁ ବ୍ଲକ୍ ଓ ବ୍ଲକରୁ ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼ୁଛି । ହେଲେ ଟଙ୍କା ମିଳୁନଥିବାରୁ ତାହା ପିସି ବାବଦରେ କଟା ଯାଇଥିବା ଶୁଣିବାକୁ ପାଉଛନ୍ତି ଜାନିଙ୍କ  ସମ୍ପର୍କୀୟ ।

ବାଲେଶ୍ୱର ସୋରୋ ପୌରପାଳିକାରେ ଉନ୍ନୟନ କାମ କରୁଥିବା ଇଏ ଜଣେ କଣ୍ଟ୍ରାକ୍ଟର । ସ୍ଥାନୀୟ ଅନନ୍ତପୁର ଛକରେ ସେ ନିକଟରେ ୫୧ ଲକ୍ଷ ଟଙ୍କା ବ୍ୟୟରେ ଏକ ମାର୍କେଟ୍ କଂପ୍ଲେକ୍ସ ତିଆରି କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ବିଲ୍ ମିଳୁନି । ତାଙ୍କର ଅଭିଯୋଗ ମୁନିସିପାଲିଟି ଜେଇଙ୍କୁ ଦାବି ଅନୁସାରେ ପିସି ନଦେବାରେ ତାଙ୍କ ପାଉଣାକୁ ଅଟକାଇ ରଖାଯାଇଛି ।

ରାଜ୍ୟରେ ସରକାରୀ କାର୍ଯ୍ୟାଳୟରେ ବିନା ପିସିରେ କାମ ହେଉନଥିବା ଏବଂ ସାଧାରଣ ଲୋକଙ୍କୁ ପିସି ପାଇଁ କର୍ମଚାରୀ ଅଧିକାରୀ ଶୋଷୁଥିବା ନେଇ ବୁଧବାର ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଓଡ଼ିଶାରେ ବିଶ୍ୱସ୍ତରୀୟ ଦୁର୍ନୀତି ଚାଲିଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ସରକାରୀ ଦଳ ନେତା କିନ୍ତୁ ଏ ଅଭିଯୋଗକୁ ଅସତ୍ୟ ଓ ଅମୂଳକ ବୋଲି ଯୁକ୍ତି ରଖିଥିଲେ ।

(ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ, ଜୟପୁରରୁ ଟି. ଗୌରୀ ଶଙ୍କର ଓ ସୋରରୁ ନିରଞ୍ଜନ ବେହେରା, ଭୁବନେଶ୍ୱରରୁ ହରିହର ଚାନ୍ଦ)