ମାତ୍ର ୪ ବର୍ଷର ଚାକିରି, କିନ୍ତୁ ଗ୍ରାସିଥିଲା ଲାଞ୍ଚ ମୋହ । ହେଲେ ଏଥର ଆଉ ଆଗକୁ ବଢ଼ି ପାରିଲାନି ଲୁଚାଛପା କାରବାର । ୨୦ ହଜାର ଲାଞ୍ଚ ଓ ପରେ ଅଫିସ୍ ଡ୍ର'ରୁ ୧୫ ଲକ୍ଷ କ୍ୟାସ୍ ଜବତ ପରେ ଖଣ୍ଡିଗିରି ସବ୍ ରେଜିଷ୍ଟ୍ରାର ଅଫିସ୍ର ଜୁନିୟର କ୍ଳର୍କ ଦେବଯାନୀ କରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଦେବଯାନୀଙ୍କ ଏହି ଲାଞ୍ଚ କାରବାର ନିଜ ପାଇଁ ନା ଆଉ କାହା ପାଇଁ ? ଏଥିରେ ଆଉ କେଉଁ ମାନଙ୍କ ରହିଛି ସଂପୃକ୍ତି, ସେନେଇ ତଦନ୍ତ କରି ଆକ୍ସନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ।
Also Read
ଯିଏ ଲାଞ୍ଚ ନେବ, ସିଏ ଯିବ । ବାହାରେ ଛକିଛି ଭିଜିଲାନ୍ସ। ଖଣ୍ଡଗିରିରୁ ଆରମ୍ଭ ହୋଇଛି ଅଭିଯାନ। ବାକି ସମସ୍ତେ ହୁଅନ୍ତୁ ସାବଧାନ। ଢ଼ୋଲ ଭିତରେ ମୂଷା ଭଳି ରହିଥିବା ନିଜ ବିଭାଗୀୟ ବାବୁମାନଙ୍କ ପାଇଁ ଏଭଳି କଡ଼ା ଚେତାବନୀ ଶୁଣାଇ ଏବେ ଆକ୍ସନ ମୋଡରେ ରାଜସ୍ବ ମନ୍ତ୍ରୀ । ଆଉ ତା’ର ତାଜା ଉଦାହରଣ, ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ । ଏକ ସବ୍ ପ୍ଲଟ କିଣାବିକା ତଥା ସେଲ୍ ଡିଡ୍ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଚଢ଼ାଉ ପରେ ଅଫିସ ଡ୍ର’ ରୁ ମିଳିଲା ୧୫ ଲକ୍ଷରୁ ଅଧିକ ଟଙ୍କା । ଏହାପରେ ମାମଲା ରୁଜୁ କରି ଦେବଯାନୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ତା’ସହ ଦେବଯାନୀଙ୍କ ଆୟବହିର୍ଭୁତ ସମ୍ପତିର ଚାଲିଛି ଚେର ଖୋଜା ।
ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା
ରାଜଧାନୀ ଭିତରେ ସାଧାରଣ କିରାଣିଟିଏ ହୋଇ, ଜମି ରେଜିଷ୍ଟ୍ରି ପାଇଁ ଦେବଯାନୀ କେମିତି ଲାଞ୍ଚ ନେବାକୁ କରୁଥିଲେ ସାହସ ? ନିଜ ପାଇଁ ଲାଞ୍ଚ ନେଉଥିଲେ ନା କାହା ପାଇଁ ସାଜିଥିଲେ ଲାଞ୍ଚ ସଂଗ୍ରହକାରୀ ? ଜମି ପଞ୍ଜୀକରଣ ନାଁରେ ଏଭଳି ଲାଞ୍ଚ କାରବାର ପଛରେ ଦେବଯାନୀଙ୍କ ସହ ଆଉ କିଏ ଅଛନ୍ତି କାର୍ପଟଦାର୍ ? ଜମିଜମା ସଂପର୍କିତ କାମ କରିବା ପାଇଁ ଭୁବନେଶ୍ବର ସବ୍ ରେଜିଷ୍ଟ୍ରାର୍ ଅଫିସରରେ ତାଳୁର ତଳିପା ଯାଏଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ଉଠିଛି । ସବ୍ରେଜିଷ୍ଟ୍ରି ଅଫିସ୍କୁ ଜମି ରେଜଷ୍ଟ୍ରି କରିବାକୁ ଆସିଥିବା ସୁଶାନ୍ତ କୁମାର ଦାସ କହିଛନ୍ତି, ବିନା ଟଙ୍କାରେ ଏଇଠି କିଛି ବି ହୁଏନ । ସମାନ ଅଭିଯୋଗ ଆଣିଛନ୍ତି ଅନ୍ୟ କିଛି ଆଇନଜୀବୀ ।
କନିଷ୍ଠ କିରାଣି ଦେବଯାନୀଙ୍କ ଲାଞ୍ଚ କାରବାର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା, ବର୍ଷ ବର୍ଷ ଧରି ସବ୍ ରେଜିଷ୍ଟ୍ରି ଅଫିସକୁ ଗ୍ରାସିଥିବା ଦୁର୍ନୀତି ପ୍ରସଙ୍ଗ । ରାଜସ୍ବ ମନ୍ତ୍ରୀ ବି ଦୁର୍ନୀତି କଥାକୁ ସ୍ବୀକାର କରିଛନ୍ତି । ଲାଞ୍ଚ ଟଙ୍କାକୁ ଯେଉଁ କୋର୍ଟ ଫି’ ଓ ରେଜିଷ୍ଟ୍ରେସନ ବାବଦ ବୋଲି କୁହାଯାଉଛି, ତା’ର ବି ଅନୁଧ୍ୟାନ କରାଯାଉଛି । ସେହିପରି ଗୁରୁତ୍ବପୂର୍ଣ୍ଣ କଥା କହି ରାଜସ୍ବ ମନ୍ତ୍ରୀ କହିଛନ୍ତି, କନିଷ୍ଠ କିରାଣୀ ଦେବଯାନୀ କର ନିଜେ ଏହି ଲାଞ୍ଚ ନେଉଥିଲେ ନା ଆଉ କାହା ପାଇଁ ନେଉଥିଲେ, ତାହାର ତଦନ୍ତ କରି ଆକ୍ସନ ନିଆଯିବ । ଖଣ୍ଡଗିରି ସହ ପିପିଲି, ଜଟଣୀ ଭଳି ୬ଟି ସବ୍ ରେଜିଷ୍ଟ୍ରାର୍ ଅଫିସ ଏବଂ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଅଫିସରେ କେତେ ପାର୍ଟ ପ୍ଲଟ୍ ଆପ୍ଲିକେସନ ହୋଇଥିଲା, କେତେ ଖାରଜ ହୋଇଥିଲା ଓ ସମାନ ମାମଲାର ପୃଷ୍ଠଭୂମିରେ କେତେ ପାର୍ଟ ପ୍ଲଟ୍ କାରବାର ହୋଇଛି, ସେନେଇ ରିପୋର୍ଟ ତଲବ କରାଯାଇଛି । ଦେବଯାନୀଙ୍କ ସହ ଲାଞ୍ଚ କାରବାରରେ ଯିଏ ବି ଲିପ୍ତ ଥିବେ ଆକ୍ସନ ନିଆଯିବ । ଏଥିସହିତ ଆଗକୁ ଜମି କିଣାବିକା କ୍ୟାସଲେସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।