Advertisment

ବାପାଙ୍କ ସର୍ଭିସ୍‌ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲା ପୁଅ: ଆଉ ତା’ପରେ...

ଏ କେମିତିକା ପୁଅ? ବାପାଙ୍କ ସର୍ଭିସ୍‌ ବନ୍ଧୁକ ଧରି ଲୁଟ୍‌ ପାଇଁ ପହଞ୍ଚିଲେ ବ୍ୟାଙ୍କରେ...ଆଉ ତାହା ପରେ ଯାହା ହେଲା

author-image
Sarbeswar
ଅଦ୍ୟତନ ହୋଇଛି
Bank Loot

Bank Loot

ସୁନ୍ଦରଗଡ଼(ବିଜୟ ବରୁଆ): ବାପା ପୋଲିସ, ପୁଅ ଲୁଟେରା। ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କରେ ପଶି ଲୁଟିନେଲା ୨୦ ଲକ୍ଷରୁ ଅଧିକ ଟଙ୍କା । ସୁନ୍ଦରଗଡ଼ର ଏକ ଘରୋଇ ବ୍ୟାଙ୍କରୁ ହୋଇଛି ଏହି ଲୁଟ୍ । ବ୍ୟାଙ୍କରେ ପଶି କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟି ନେଇଥିଲା ଟଙ୍କା। ଏହାପରେ ଖବର ପାଇ ଲୁଟେରାର ପିଛା କରିଥିଲା ଟାଉନଥାନା ପୋଲିସ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ପରେ ଲୁଟେରାକୁ କାବୁ କରିଥିଲା ପୋଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ଏସପି ନିଜେ ପହଞ୍ଚି ତନାଘନା ଚଳାଇଛନ୍ତି।

Advertisment

ସମୟ ମଧ୍ୟାହ୍ନ ପ୍ରାୟ ୨ଟା ୧୫ ମିନିଟ ହେବ। ସୁନ୍ଦରଗଡ଼ ଆକ୍ସିସ୍ ବ୍ୟାଙ୍କ ଶାଖାରେ ବନ୍ଧୁକ ଧରି ବ୍ୟାଙ୍କରେ ପଶିଥିଲା ଲୁଟେରା। ବ୍ୟାଙ୍କ୍‌ରେ ହଠାତ ଶୁଭିଥିଲା କ୍ୟାସିଅରଙ୍କ ଚିତ୍କାର । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗୁଥିଲା ଲୁଟେରା ଜୟଦେବ ନାୟକ । ଟଙ୍କା ଦେବିନି କହି ପାଟି କରୁଥିଲେ କ୍ୟାସିଅର। କ୍ୟାସିଅରଙ୍କ ଚିତ୍କାର ଶୁଣି ବ୍ୟାଙ୍କର ମ୍ୟାନେଜର କାଉଣ୍ଟର ନିକଟକୁ ଧାଇଁ ଆସିଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ଲଗାଇ ଟଙ୍କା ନଦେଲେ ଗୁଳି ଫୁଟାଇ ଦେବି ବୋଲି କହିଥିଲା। ଏହା ପରେ କ୍ୟାସ କାଉଣ୍ଟରରେ ଯାହା ଥିଲା ସେ ଦେଇ ଦେଇଥିଲେ । ସମସ୍ତ ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ବ୍ୟାଙ୍କ ବାହାରେ ଜଗିଥିବା ସାଥି ଲୁଟେରା ସହ ଫେରାର ମାରିଥିଲା ଜୟଦେବ।

Advertisment

ବ୍ୟାଙ୍କ ଲୁଟ୍ ହେବାର ଖବର ପାଇଁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ସୁନ୍ଦରଗଡ଼ ଟାଉନ ଥାନା ପୋଲିସ । ପିଛା କରୁଥିବା ବେଳେ ଶଙ୍କରା ରୋଡ୍ ନିକଟରେ ଦୁଇ ଲୁଟେରାଙ୍କ ସହ ମୁହାଁମୁହିଁ ହୋଇଥିଲା ପୋଲିସର ଟିମ୍ । ପିଛା କରୁଥିବା ଦେଖି ବାଇକରୁ ଡେଇଁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା ଲୁଟେରା ଜୟଦେବ । ଏହାପରେ ପିଛା କରୁଥିବା ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଲୁଟେରା ଜୟଦେବ । ତାକୁ ସୁନ୍ଦରଗଡ଼ରେ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଜୟଦେବ ଠାରୁ ଗୋଟିଏ ବନ୍ଧୁକ ସହ ଟଙ୍କା ଜବତ ହୋଇଛି। ଅନ୍ୟ ଜଣେ ସାଥି ଲୁଟେରାକୁ ମଧ୍ୟ ଧରିଛି ପୋଲିସ । ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ଏସପି ନିଜେ ପହଞ୍ଚି ତଦନ୍ତ ଚଳାଇଛନ୍ତି।.

Bank Loot Crime
Advertisment
Advertisment