• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍‌କୂ ବଡ଼ ସୁରାକ । ପୋଲିସ ସୂଚନା ଅନୁସାରେ ଏ ମାମଲାରେ ଅଟକ ଥିବା ନୟାଗଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ମୃତ୍ୟୁର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ୭ ଥର କଲ କରିଥିଲେ ଶୁଭଶ୍ରୀ । ଆଉ ଶେଷ କଲରେ ୨୭ ସେକେଣ୍ଡ କଥା ବି ହୋଇଛନ୍ତି । ତେବେ ସଂପୃକ୍ତ ଯୁବକ କିଏ, ଶୁଭଶ୍ରୀଙ୍କ ସହ ତାଙ୍କ ସମ୍ପର୍କ କଣ ଏବଂ ହତ୍ୟା ଘଟଣା ସହ ତାଙ୍କର ଲିଙ୍କ୍ ଅଛି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟା ମାମଲାରେ ପୋଲିସକୁ ବଡ଼ କ୍ଲୁ । ସାମ୍ନାକୁ ଆସିଲା ଠୋସ୍ ସୁରାକ୍ । ଖାରବେଳ ନଗର ପୋଲିସର ସୂଚନା ଅନୁସାରେ, ଏ ମାମଲାରେ ଅଟକ ଥିବା ଜଣେ ଯୁବକଙ୍କୁ ଘଟଣା ଦିନ ୭ ଥର କଲ୍ କରିଥିଲେ ଶୁଭଶ୍ରୀ । ସବୁ କଲ୍ ଶୁଭ୍ରଶ୍ରୀଙ୍କ ଫୋନ୍‌ରୁ ହିଁ ଯାଇଥିଲା । ହତ୍ୟାର ଠିକ୍ ଅଧ ଘଣ୍ଟାଏ ପୂର୍ବରୁ ଶୁଭଶ୍ରୀ କରିଥିବା ଶେଷ କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ । ଆଉ ତା ପରେ ହିଁ ଘଟିଥିଲା ହତ୍ୟାକାଣ୍ଡ । 

ପୋଲିସକୁ ଏ ସୂଚନା ମିଳିବା ପରେ ଖାରବେଳନଗର ଥାନାରେ ଅଟକ ଥିବା ସନ୍ଦିଗ୍ଧ ଯୁବକଙ୍କୁ ନିଜେ ପଚରାଉଚରା କରିଛନ୍ତି ଡିସିପି । ସେପଟେ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି । ପ୍ରଶ୍ନ ଉଠୁଛି, ଏ ମର୍ଡର ପ୍ଲଟ୍ ପଛର କାରଣ କଣ ? ପ୍ରେମ ନା ପୂର୍ବଶତ୍ରୁତା ? ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ ।

ଗତ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଶାସ୍ତ୍ରୀନଗରର ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଶୁଭଶ୍ରୀଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ୪ ବର୍ଷର ପୁଅ ପଡୋଶୀଙ୍କ ଘରକୁ ପାଠ ପଢିବାକୁ ଯାଇଥିଲା । ପୁଅ ଘରକୁ ଫେରିବା ବେଳକୁ ଖଟ ଉପରେ ପଡ଼ି ରହିଥିଲେ ମାଆ । ମାଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବାରୁ ବାପାଙ୍କୁ ଫୋନ୍ କରିଥିଲା ପୁଅ । ପରେ ପାଖ, ପଡୋଶୀଙ୍କୁ ଜଣାଇବାରୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଶୁଭଶ୍ରୀଙ୍କ ବେକରେ ରଶି ଦାଗ ଥିବା ଏବଂ ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ ରଶି ମିଳିଥିବାରୁ ତାଙ୍କୁ କେହି ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପାରିପର୍ଶ୍ୱିକ ପ୍ରମାଣ ଓ ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଏତଲା ଆଧାରରେ ପୋଲିସ ୩୦୨ ହତ୍ୟା ଓ ୨୦୧ ପ୍ରମାଣ ନଷ୍ଟ ଭଳି ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପ୍ରାଥମିକ ତଦନ୍ତରୁ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ପ୍ରଶ୍ନ ଉଠୁଛି ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ? ହତ୍ୟା ସହ ଅଟକ ଥିବା ଯୁବକଙ୍କ କିଛି ଲିଙ୍କ୍ ରହିଛି କି ? ଯଦି ହଁ, ତେବେ ଶୁଭଶ୍ରୀଙ୍କ ସହ ସେ ଯୁବକଙ୍କ ସମ୍ପର୍କ କଣ ? ଏସବୁ ପ୍ରଶ୍ନର ଉତ୍ତରରେ ଏମାମଲାର ରହସ୍ୟ ଲୁଚିଥିବା ଅନୁମାନ କରାଯାଉଛି ।