• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ପରେ ଚେତିଲା ଅବକାରୀ ବିଭାଗ । ରାଜଧାନୀର ଏକାଧିକ ଡ୍ୟାନ୍ସ ବାର ଉପରେ ହୋଇଛି ଅତର୍କିତ ରେଡ୍ । ସାମ୍ନାକୁ ଆସିଲା ବାରରେ ଚାଲିଥିବା ବେଆଇନ କାର୍ଯ୍ୟ । ସବୁ ବାରକୁ ମଗାଯାଇଛି ମାସକର ସିସିଟିଭି ଫୁଟେଜ୍ । ସେପଟେ ବାର୍‌ ମାଲିକ ସଂଘ କିନ୍ତୁ ନିୟମ ଉଲ୍ଲଂଘନ ଅଭିଯୋଗକୁ ଅସ୍ୱୀକାର କରିଛି ।

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କ ନିୟୋଜନ ନେଇ ରାଜଧାନୀରେ ଘନ ଘନ ଚଢ଼ାଉ । ଦୁଇଟି ସ୍ପେଶାଲ ଟିମ ଗଠନ କରି ରାଜଧାନୀର ୮ଟି ଡ୍ୟାନ୍ସ ବାର ଉପରେ ଗୋଟିଏ ରାତିରେ ଅତର୍କିତ ରେଡ୍ । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ନିୟମ ଉଲ୍ଲଂଘନର ଏକାଧିକ ଚିତ୍ର । ଜଣେ ଯୁବତୀଙ୍କ ନାଁରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯିବା ଭଳି ପ୍ରମାଣ ପାଇଛି ଅବକାରୀ ବିଭାଗ । ରାଜଧାନୀର ୧୮ ଡ୍ୟାନ୍ସ ବାରର ସମସ୍ତ ତଥ୍ୟ ଯାଞ୍ଚ ପାଇଁ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । କଟକ ରୋଡରେ ଥିବା ସମସ୍ତ ବାର ଉପରେ ଚଢାଉ ପରେ ଏବେ ଟାର୍ଗେଟରେ ଅନ୍ୟ ବାର୍।

ସେପଟେ କିନ୍ତୁ ଡ୍ୟାନ୍ସ ବାର୍ ଗୁଡିକରେ ନିୟମ ଉଲଂଘନ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ରାଜ୍ୟ ବାର୍ ମାଲିକ ସଂଘ । ଯେଉଁ ଯୁବତୀମାନେ ବାରରେ ନିୟୋଜିତ ହେଉଛନ୍ତି ସମସ୍ତଙ୍କୁ ପରିଚୟପତ୍ର ଦିଆଯାଉଛି । ଏଥିସହ ସମସ୍ତ ଯୁବତୀଙ୍କ ସ୍ୱେଚ୍ଛାକୃତ ପତ୍ର ପରେ କାମ କରିବାକୁ ସୁଯୋଗ ଦିଆଯାଉଛି ବୋଲି ସଂଘ କହିଛି । ତଥାପି କେତେକ ବାରରେ ନିୟମ ଉଲ୍ଲଂଘନ ସହ ନାବାଳିକାଙ୍କୁ ନିୟୋଜିତ କରିବା କଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି କହିଛି ବାର୍ ସଂଘ ।

ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରିପୋର୍ଟ ମାଗିବା ପରେ ଅବକାରୀ ବିଭାଗ ହଠାତ ଚେଇଁ ଉଠିଛି । ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି ରାଜଧାନୀର ବାରରେ ନାବାଳିକା କାମ କରିବା ନେଇ ଅବକାରୀ ବିଭାଗ ଜାଣିନଥିଲା କି ? ଯଦି ଜାଣିଥିଲା ତେବେ ପୂର୍ବରୁ ରୋକାଗଲାନି କାହିଁକି ? ନା ସବୁ ଜାଣି ଚୁପ ବସିଥିଲା ଅବକାରୀ ଓ ପୋଲିସ ବିଭାଗ ?

  • Reported by:
  • CHANDAN PAIKRAY