Serial Killer Chavda Baba:ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ

ଇଏ ଏମିତି ଏକ କାହାଣୀ ଯାହା ସହଜରେ ବିଶ୍ୱାସ କରିହେବନାହିଁ । କିନ୍ତୁ ପୋଲିସ୍ ଏ ସବୁର ଖୁଲାସା କରିଛି । ବିଷ ଦେଇ ମାରୁଥିଲା ଜଣକ ପରେ ଜଣକୁ । କେହି ସନ୍ଦେହ ବି କରିପାରୁନଥିଲେ । କିନ୍ତୁ ସବୁ କଥା ଜଣାପଡିଗଲା ।

ବିଶ୍ୱାସରେ ବିଷ ଦେଉଥିଲା ବାବା

୧୨ ଜଣଙ୍କୁ ବିଷ ଦେଇ ମାରିଥିଲା ଆତ୍ମଘୋଷିତ ବାବା । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଆଉ ଜଣଙ୍କୁ ମାରିବା ପୂର୍ବରୁ ଧରିନେଲା ପୋଲିସ୍ । ପଚରାଉଚରା ବେଳେ ସବୁ ସତ ମାନିଗଲା । ହଠାତ୍ ତା’ ର ଦେହ ଖରାପ ହେଲା । ମୁଣ୍ଡ ବୁଲେଇଲା । ଡାକ୍ତରଖାନା ନେବା ବାଟରେ ପିଶାଚ ବାବାର ଘଟିଲା ମୃତ୍ୟୁ ।

ଚାବଡା ବାବା । ଏଇ ନାଁରେ ପରିଚିତ ଥିଲା ଏହି ଆତ୍ମଘୋଷିତ ବାବା । ଅହମଦାବାଦରେ ବେଶ୍ ନାଁ କମେଇଥିଲା । ସେ ଭୌତିକ ଶକ୍ତିର ଅଧିକାରୀ ବୋଲି ଦାବି କରିଆସୁଥିଲା । ତନ୍ତ୍ରମନ୍ତ୍ର ବି କରୁଥିଲା । ଏହି  ୪୨ ବର୍ଷୀୟ ବାବାକୁ ଗତ ୩ ତାରିଖରେ ଧରିଥିଲା ଗୁଜରାଟର ଶରଖେଜ ପୋଲିସ । ଜଣକୁ ବିଷ ଦେଇ ମାରିବାକୁ ଯିବା ବେଳେ ବାଟରେ ଅଟକାଇଲା ପୋଲିସ୍ । ସିଧା ନେଇଗଲା ଥାନାକୁ । ଚାବଡାକୁ କୋର୍ଟ ଚାଲାଣ କରି ପୁଣି ରିମାଣ୍ଡରେ ଆଣିଲା ପୋଲିସ୍ । ଉଦ୍ଦେଶ୍ୟ ଥିଲା ଗୁଣିଗାରେଡି ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା । ଏଥି ସହିତ ସେ ଏଇମିତି କେତେଜଣଙ୍କ ଜୀବନ ନେଇଛି, ସେ ସଂପର୍କରେ ଖୋଳତାଡ କରିବା । ତାକୁ ମାରାଥନ ଜେରା କଲା ପୋଲିସ୍ । ପୋଲିସ୍ ତଥ୍ୟ ବି ହାସଲ କଲା । ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ସ୍ୱୀକାର କଲା ଚାବଡା ।

ଆଗ ଜେଜେମା'ଙ୍କୁ ମାରିଥିଲା

ହେଲେ ସେ ଯାହା ସବୁ କହିଲା ତାହା ଶୁଣି ପୋଲିସର ମୁଣ୍ଡ ବି ଘୂରିଗଲା । ପୋଲିସର ସୂଚନା ଅନୁଯାୟୀ, ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଏଇ ବାବା ତା ପରିବାରର ଅନେକ ସଦସ୍ୟଙ୍କୁ ବି ମାରିଛି । ତା’ର ପୂରା ନାଁ ନଭାଲସିଂ ଚାବଡା । ୨୦୧୦ରେ ସେ ତା’ର ଜେଜେମା’ ମଙ୍ଗୁ ବଣିଆଙ୍କୁ ହତ୍ୟା କରିଥିଲା । ମଙ୍ଗୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତେଣୁ ତାଙ୍କ ପାଇଁ ଖର୍ଚ୍ଚ କରିବାକୁ ଚାହୁଁନଥିଲା ଚାବଡା । ତେଣୁ ପାଣିରେ ବିଷ ମିଶାଇ ତା’ର ଜେଜେମା’ଙ୍କୁ ଔଷଧ କହି ପିଆଇଦେଇଥିଲା । ୯ ମାସ ତଳେ ତା’ର ମାଆ ସରୋଜ ଚାବଡାଙ୍କୁ ମଧ୍ୟ ଏମିତି ପାଣିରେ ବିଷ ଦେଇ ମାରିଥିଲା ଚାବଡା । ମାଆଙ୍କ ଦେହ ଖରାପ ହେବା ପରେ ଏମିତି କରିଥିଲା ସେ । କେବଳ ସେତିକି ନୁହେଁ, ଗତ ଜାନୁଆରୀ ମାସରେ ତା’ର ଦାଦା ଅସୁସ୍ଥ ହୋଇ ପଡିଥିଲେ । ସେ ପ୍ରଥମେ ତାଙ୍କୁ ମେଡିକାଲ ନେଇ ଦେଖାଇଥିଲା । ଯେତେବେଳେ ଜାଣିଲା ଯେ, ତାଙ୍କୁ ଭଲ କରିବା ପାଇଁ ଅଧିକ ସମୟ ଲାଗିବ ଓ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ, ସେ ପାଣିରେ ବିଷ ଦେଇ ତାଙ୍କୁ ମଧ୍ୟ ମାରିଦେଲା ।

ଅଧିକ ପଢନ୍ତୁ: ବ୍ୟାଙ୍କ ପାଲଟିଲା ରଣଭୂମି; ମ୍ୟାନେଜରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାହକ, ଦେଖନ୍ତୁ ଭିଡିଓ...

ପୋଲିସର କହିବା କଥା, ଚାବଡା ବାବା ମେଡିକାଲରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନଥିଲା । ତେଣୁ ଯିଏ ଅସୁସ୍ଥ ହେଉଥିଲେ, ତାଙ୍କୁ ସବୁଦିନ ପାଇଁ ଆରପାରିକୁ ପଠାଇଦେବାର ବ୍ୟବସ୍ଥା କରୁଥିଲା । ତା’ ମାଆ ସହିତ ମଧ୍ୟ ତା’ର ମଝିରେ ମଝିରେ ଝଗଡା ହେଉଥିଲା । ଘରୋଇ କଳିକୁ ନେଇ ମଧ୍ୟ ସେ ଅପସେଟ୍ ରହୁଥିଲା ।

ପାଣିରେ ବିଷ ମିଶାଇ ମାରୁଥିଲା 

ବିଷ ମିଶା ପାଣି ପିଇବା ପରେ ସେମାନେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ତା ପରେ ପ୍ରାଣତ୍ୟାଗ କରୁଥିଲେ । ତେଣୁ ଏହା ହାର୍ଟ ଆଟାକ୍ ବୋଲି ସମସ୍ତଙ୍କ ଧାରଣା ଥିଲା । କେହି ବି ତାକୁ ସନ୍ଦେହ କରୁନଥିଲେ, ଭାବୁଥିଲେ ହୃଦଘାତରେ ମୃତ୍ୟୁ ହେଉଛି । ୨୦୨୧ରେ ସେ ତା’ର ସାଙ୍ଗ ବିବେକ ଗୋହିଲକୁ ସମାନ ଢଙ୍ଗରେ ହତ୍ୟା କରିଥିଲା । ୨୦୨୩ରେ ସ୍ୱାମୀସ୍ତ୍ରୀ ଓ ଝିଅ ଅର୍ଥାତ ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଚାବଡର ମୋବାଇଲରୁ ସେମାନଙ୍କ ମୋବାଇଲକୁ ମୃତ୍ୟୁ ପୂର୍ବରୁ ବାରମ୍ୱାର କଲ୍ ଯାଇଥିବାର ଜଣାପଡିଥିଲା । କିନ୍ତୁ ଚାବଡା ନିଜକୁ ଜଣେ ବାବା ଓ ତାନ୍ତ୍ରିକ କହୁଥିବାରୁ କେହି ତାକୁ ସନ୍ଦେହ ଚକ୍ଷୁରେ ଦେଖିନଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କ ମୃତ୍ୟୁ ବିଷକ୍ରିୟା ଜନିତ ବୋଲି ଜଣାପଡିଥିଲା ।

ଜଣେ ସଂପର୍କୀୟ ଭାଇ ଧରାଇଦେଲା 

ଗତ ମେ’ ମାସରେ ରାଜକୋଟରେ ଗୋଟିଏ ଅଟୋ ରିକ୍ସାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନେ ବିଷ ପିଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ୍ ସନ୍ଦେହ କରିଥିଲା । କିନ୍ତୁ ଏହି ସମାନ ଢଙ୍ଗରେ ଚାବଡା ସେମାନଙ୍କୁ ମାରିଥିବାର ପୋଲିସ୍ କହିଛି । ମୃତ୍ୟୁବରଣ କରିଥିବା ଏହି ୩ ମୃତକଙ୍କ ମଧ୍ୟରୁ ଜଣଙ୍କ ଝିଅ ଏହି ବିଷ ଦେବା ଘଟଣା ଦେଖିଥିଲା । ଚାବଡା ତାକୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ସହ ମୃତଦେହକୁ ପୋତି ଦେଇଥିଲା । ଚାବଡାର ଏହା ମଧ୍ୟରେ ଟ୍ୟାକ୍ସି ବିଜିନେସ୍ ଚାଲିଥିଲା । ତା’ର ଜଣେ ସଂପର୍କୀୟ ଭାଇ ଏଥିରେ ପାର୍ଟନର୍ ଥିଲା । ସେ ତା ସହିତ ମିଶୁଥିଲା । ତେଣୁ ଅଭିଜିତ ନାମକ ଜଣେ ଯୁବକକୁ ଟଙ୍କା ପାଇଁ ମାରିବାକୁ ଯୋଜନା କରିଥିଲା ଚାବଡା । ଏ ସଂପର୍କରେ ସେ ପୋଲିସକୁ ଆଗରୁ ଖବର ଦେଇଦେଇଥିଲା । ତେଣୁ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଥିଲା । ଡ୍ରାଏ ୱାଶ ପାଇଁ ବ୍ୟବହୃତ ହେଉଥିବା ସୋଡିୟମ୍ ନାଇଟ୍ରାଇଟ୍ ବ୍ୟବହାର କରି ସେ ଲୋକଙ୍କୁ ହତ୍ୟା କରୁଥିଲା ବୋଲି ପୋଲିସ୍ କହିଛି । ତା ନିକଟରୁ ପୋଲିସ୍ ଏହି କେମିକାଲ୍ ଜବତ କରିଛି । ତେବେ ଚାବଡାର ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇରହିଛି ।

ଅଧିକ ପଢନ୍ତୁ: ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ଛାତ୍ରଛାତ୍ରୀଙ୍କୁ ଫେରାଇ ଦିଆଗଲା ଘରକୁ...