• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାସକୁ ୪୦-୪୫ ହଜାର ଟଙ୍କା ରୋଜଗାର କରୁଥିବା ଜଣେ ସରକାରୀ ଚାକିରିଆଙ୍କ ସଂପତ୍ତି କେତେ ହୋଇଥିବ? ଅତି କଷ୍ଟରେ ଭୁବନେଶ୍ୱର ଭଳି ଯାଗାରେ ଘରଟିଏ ? ହେଲେ ଭିଜିଲାନ୍ସ ଜାଲରେ ଫସିଥିବା ଭୁବନେଶ୍ୱରର ଜଣେ ଏଲ୍ଆଇ ବା ପ୍ରାଣୀଧନ ନିରୀକ୍ଷକଙ୍କ ପାଖରୁ ଠାବ ହୋଇଥିବା ସଂପତ୍ତିର ଚିଠା ଶୁଣି ସମସ୍ତେ ତାଜୁବ୍ ହୋଇୟାଇଛନ୍ତି । ଭିଜିଲାନ୍ସ ତଥ୍ୟ ଅନୁଯାୟୀ, ତାଙ୍କ ପାଖରୁ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି ।

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ବୃତ୍ତିରେ ଜଣେ ପ୍ରାଣୀଧନ ନିରୀକ୍ଷକ କିନ୍ତୁ ସଂପତ୍ତି ଅମାପ । କୁବେର ଏଲ୍ଆଇଙ୍କୁ ନାଁ ଜଗନ୍ନାଥ ରାଉତ । ଦରମା ପାଖାପାଖି ୪୫ ହଜାର ହେଲେ ସଂପତ୍ତି? । ଭୁବନେଶ୍ୱର ଓ କଟକରେ ୯୦ଟି ପ୍ଲଟ୍, ୪ଟା ବିଲ୍ଡିଂ, ତିନିଟି ଫ୍ଲାଟ୍, ବାଙ୍କୀରେ ବଡ଼ ଆଉଟ୍ ହାଉସ୍ ରହିଛି ଏହି ସରକାରୀ ବାବୁ ।

ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଜଗନ୍ନାଥଙ୍କ ଏ ରୟାଲ ଫ୍ଲାଟ୍ ଆଉ ରୟାଲ୍ ଲାଇଫ୍‌ଷ୍ଟାଇଲ୍‌ ମଧ୍ୟ ରହିଛି । ରଘୁନାଥପୁରରେ ୬ ହଜାର ସ୍କୋୟାରଫୁଟ୍ ଜାଗାରେ ଜଗନ୍ନାଥଙ୍କ ତ୍ରିତଳ ପ୍ରାସାଦ ଗୋବିନ୍ଦ ଭବନ ରହିଛି । ଆଉ ତା ପଛକରୁ ୬ ହଜାର ସ୍କୋୟାରଫୁଟ୍‌ର ତ୍ରିତଳ ମାର୍କେଟ୍ କମ୍ପ୍ଲେକ୍ସ ।ଏହାବାଦ୍ ସେଇ ରଘୁନାଥପୁରରେ ୨ ହଜାର ସ୍କୋୟାର ଫୁଟ୍‌ର ଦୁଇ ମହଲା ବିଲ୍ଡିଂ, ୧୫ଶହ ସ୍କୋୟାର ଫୁଟ୍‌ର ୧ ମହଲା କୋଠା, ରଘୁନାଥପୁର ରୟାଲ ଆର୍କେଡରେ 3-BHK ଫ୍ଲାଟ୍, ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଆଉ ଏକ 3-BHK ଫ୍ଲାଟ୍ । ତାସହ ହୀରା ଅଳଙ୍କାର ସାଙ୍ଗକୁ ବିଭିନ୍ନ ବ୍ୟାଙ୍କରେ ୫୦୦ ଗ୍ରାମ୍ ସୁନା ସହ ୧୭ ଲକ୍ଷ ଟଙ୍କା ଜମା ଓ ନାମୀ ଦାମୀ ଘଡ଼ି ମଧ୍ୟ ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକାବେଳକେ ୯ଟି ସ୍ଥାନରେ ରେଡ୍ ବେଳେ ଜଗନ୍ନାଥଙ୍କର ଏସବୁ ସ୍ଥାବର, ଅସ୍ଥାବର ସଂପତ୍ତିକୁ ଠାବ କରିଛି ଭିଜିଲାନ୍ସ । ମୋଟ୍ କେତେ ଟଙ୍କା? ତାହା ହିସାବ ଚାଲିଛି ।

କିଛି ଦିନ ତଳେ ସେଇ କଳାରାହାଙ୍ଗର ଗ୍ରାମ ରୋଜଗାର ସେବକ-ବାବୁଲି ପଢ଼ଇାରୀଙ୍କ ଘରେ ରେଡ୍ ବେଳେ ତାଙ୍କ ପାଖରୁ ବି ୫୯ଟି ପ୍ଲଟ୍ ସହ ଆୟ ବହିର୍ଭୁତ ଅମାପ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ହେଲେ କଳାରାହାଙ୍ଗର ଏଲ୍ଆଇ ଜଗନ୍ନାଥ କିନ୍ତୁ ବାବୁଲିଙ୍କୁ କାହିଁ କେତେ ପଛରେ ଛାଡ଼ି ଦେଇଛନ୍ତି । ତେବେ ମାତ୍ର ୪୦-୫୦ ହଜାର ଟଙ୍କା ଦରମାରେ ଏଲ୍ଆଇ ଜଗନ୍ନାଥ ଏତେ ପରିମାଣ ସଂପତ୍ତିର ଅଧିକାରୀ ହେଲେ କେମିତି? ଏସବୁ ତାଙ୍କ ପୈତୃକ ସଂପତ୍ତିରୁ ଅର୍ଜନ, ନା ଅସତ୍ ଅର୍ଜନ ?

ଜଣେ ସରକାରୀ କର୍ମଚାରୀ ନିଜ ନାଁରେ ଏତେ ସଂପତ୍ତି ରଖୁଥିଲେ କେମିତି ? ବର୍ଷ ବର୍ଷ ଧରି ତାଙ୍କ ଦୁର୍ନୀତି ଧରା କେମିତି ପଡୁନଥିଲା ? ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆୟ ତୁଳନାରେ ଜଗନ୍ନାଥ ଯେଉଁ ସଂପତ୍ତି ହାସଲ କରିଛନ୍ତି, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କ ଅଡୁଆ ବଢ଼ିଛି ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ ଓ ଆଲୋକ ମହାନ୍ତି