Advertisment

MKCG ରେ ହନ୍ତସନ୍ତ ରୋଗୀ; ଅଧିକାଂଶ ବିଭାଗରେ ଝୁଲୁଛି ତାଲା

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ ।

author-image
Otv Khabar Bureau
MKCG Hospital

MKCG Hospital

ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ହେଉଛି ଏମକେସିଜି ମେଡ଼ିକାଲ କଲେଜ୍। ପ୍ରାୟ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲା ସମେତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ, ଶ୍ରୀକାକୁଲମ, ପାଲାସା ଆଦି ଅଞ୍ଚଳର ଶତାଧତ୍କ ରୋଗୀ ଏଠାକୁ ଉନ୍ନତ ଚିକିତ୍ସା ସେବା ପାଇବା ପାଇଁ ଆସିଥାନ୍ତି । ଏହି ଡାକ୍ତରଖାନା ଉପରେ ଦୈନିକ ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି। ହେଲେ ସ୍ଥିତି ଏମିତି ହେଲାଣି ଯେ, ରୋଗ ଦେଖାଇବା ପାଇଁ ଲାଇନ୍‌ରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି ରୋଗୀ। ଡାକ୍ତର ନଥିବା କାରଣରୁ ଘରକୁ ଫେରିଯାଉଛନ୍ତି ରୋଗୀ।

Advertisment

ବର୍ତ୍ତମାନ ଏହି ଡାକ୍ତରଖାନରେ ବହୁ ଡାକ୍ତର ପଦବୀ ଖାଲି ପଡିଛି । କିଛିଦିନ ତଳେ ଡାକ୍ତରଖାନାରୁ ଅନେକ ବରିଷ୍ଠ ଡାକ୍ତରଙ୍କ ବଦଳି ହୋଇଥିଲା ସତ ହେଲେ ସେମାନଙ୍କ ବଦଳରେ ଆଉ କିନ୍ତୁ ନୂଆ ଡାକ୍ତର ଆସିନଥିବାର ଶୁଣିବାକୁ ମିଳିଛି । ତେଣୁ ଅଧିକାଂଶ ବିଭାଗରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି ।

ସକାଳ ହେବା କ୍ଷଣି ରୋଗ ଭଲ ହେବା ପାଇଁ ଲାଇନ୍‌ରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି ଲୋକେ । କିନ୍ତୁ ସେବା ମିଳିବାର ନାଗନ୍ଧ ନାହିଁ। ଶିଶୁ ବିଭାଗ ଠାରୁ ଆରମ୍ଭ କରି କାର୍ଡିଆଥେରାସି , ନ୍ୟୁରୋ ସର୍ଜରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏବେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ସଂଖ୍ୟା ଯେତିକି ରହିବା କଥା ସେତିକି ନଥିବା ବେଳେ ଆଉ କେଉଁ ବିଭାଗରେ କୌଣସି ଡାକ୍ତର ହିଁ ନାହାନ୍ତି।

Advertisment

ଡାକ୍ତର ନଥିବା କାରଣରୁ ଏବେ ଅଧିକାଂଶ ଲୋକ ବିଶାଖପାଟଣା ସମେତ କଟକ କିମ୍ବା ଭୁବନେଶ୍ୱର ଆସି ନିଜର ରୋଗ ଦେଖାଉଛନ୍ତି। ସେପଟେ ଡାକ୍ତରଙ୍କ ଦୁଇଟି ପର୍ଯ୍ୟାୟରେ ବଦଳି ଯୋଗୁଁ ରୋଗୀସେବା ବ୍ୟାହତ ହେବା ଘଟଣାକୁ ସ୍ୱୀକାର କରିଛନ୍ତି ଏମେକେସିଜି ମେଡିକାଲ କଲେଜର ଡିନ୍। ତେବେ ତୁରନ୍ତ ଡାକ୍ତର ପଦବୀ ପୂରଣ କରାଯିବା ନେଇ ସେ କହିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା। ଏନେଇ ସେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ମଧ୍ୟ କରିଥିବା କହିଛନ୍ତି ।

MKCG Hospital Special Story
Advertisment
Advertisment