• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରକ୍ଷକ ସାଜିଲେ ଭକ୍ଷକ । ସୁରକ୍ଷାକର୍ମୀ ସାଜିଛନ୍ତି ଦଲାଲ । ମନଇଚ୍ଛା ଶୋଷଣ କରୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ। ଆଉ ଶୋଷଣର ଶିକାର ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଖରେ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ଟଙ୍କା ଦେଉଛନ୍ତି ଲୋକ । ଏଭଳି କିଛି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ଆସିଛି ବିଶ୍ୱସ୍ତରୀୟ ଏସସିବି ମେଡିକାଲ କଲେଜରୁ ।

ବାଡ ଯଦି ଫସଲ ଖାଇବ, ତେବେ ଆମେ କହିବା କାହାକୁ? ଦଲାଲି ରୋକିବାକୁ ଯାହାକୁ ନିୟୋଜିତ କରାଯାଉଛି, ସେ ନିଜେ ହିଁ ପାଲଟି ଯାଉଛନ୍ତି ଦଲାଲ। ଅର୍ଥାତ୍‌ ଦଲାଲଗିରି ରୋକିବାକୁ ଯେଉଁ ଠିକା ସଂସ୍ଥା ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି କରାଯାଇଛି ସେମାନେ ହିଁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

କେତେବେଳେ ଚାକିରି କରାଇ ଦେବା ନାଁରେ ତ ପୁଣି କେତେବେଳେ ଆଗୁଆ ସିଟି ସ୍କାନ ଏବଂ ଅଲଟ୍ରାସାଉଣ୍ଡ କରାଇ ଦେବାକୁ କହି ଲୋକଙ୍କଠାରୁ ଆଦାୟ କରୁଛନ୍ତି ହଜାର ହଜାର ଟଙ୍କା । ଏମିତି ଅଭିଯୋଗ କେବଳ ଏବେ ନୁହେଁ ପୂର୍ବରୁ ବି ବହୁବାର ଆସିଛି । ଅନେକ ଧରା ବି ପଡ଼ିଛନ୍ତି। ହେଲେ ମୁନାଫାଖୋରଙ୍କ କର୍ମଚାରୀ ବେଧଡକ ନେଉଛନ୍ତି ଲାଞ୍ଚ।

 

ମିଳିଥିବା ସୂଚନା ଅନୁସାରେ, ଆଗୁଆ ସିଟି ସ୍କାନ ସୁବିଧା କରାଇ ଦେବାକୁ କହି ଜଣେ ରୋଗୀଙ୍କଠାରୁ ୧୪୫୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ଠିକାରେ ନିୟୋଜିତ ଘରୋଇ ସଂସ୍ଥାର ଦୁଇ କର୍ମଚାରୀ । କୋଣାର୍କର ସୁମିତ୍ରା ମହାରାଣା ନିଜ ପୁଅକୁ ନେଇ ଏସ୍‌ସିବି ମେଡିକାଲ ଆସିଥିଲେ । ପୁଅର ସିଟି ସ୍କାନ କରାଇବାକୁ ଗଲା ବେଳକୁ ସିଟି ସ୍କାନ୍ ସେଣ୍ଟରରେ ସଂସ୍ଥାର ସିକ୍ୟୁରିଟି ଗାର୍ଡ ଏବଂ ଆଟେଣ୍ଡାଣ୍ଟ ତାଙ୍କୁ ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ସୁମିତ୍ରା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ପରେ ଲାଂଚୁଆ କର୍ମଚାରୀ ଧରାପଡ଼ିଥିଲେ ଓ ଦୋଷ ସ୍ୱୀକାର କରିଥିଲେ ।

କେବଳ ଏବେ ନୁହେଁ ବରଂ ଏସ୍‌ସିବିରେ ଥିବା ରଶ୍ମିରଂଜନ ବିଭାଗରେ ଏମିତି ବରାମ୍ବାର ଶୋଷଣରେ ଶିକାର ହେଉଛନ୍ତି ଲୋକେ। ପୂର୍ବରୁ ମଧ୍ୟ ଏଇ ଲାଂଚ କାରବାର ଅଭିଯୋଗରେ ଗିରଫ ହୋଇଥିଲେ ଦୁଇ କର୍ମଚାରୀ । କିନ୍ତୁ କାର୍ଯ୍ୟାନୁଷ୍ଠାନ ଘରୋଇ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଉନଥିବା ପରି ମନେ ହେଉଛି । ସେପଟେ ଦଲାଲ ମୁକ୍ତ କରାଇବା ପାଇଁ ମେଡିକାଲ ପକ୍ଷରୁ ରୋଗୀଙ୍କ ଆଟେଣ୍ଡାଂଟଙ୍କୁ ପାସ୍ ଦିଆଯାଉଛି। କିନ୍ତୁ ଦଲାଲ ମୁକ୍ତ ହୋଇପାରୁନି ଏସ୍‌ସିବି।

ସେପଟେ ଦଲାଲ ମୁକ୍ତ କରାଇ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଆମେ ସବୁବେଳେ ପ୍ରୟାସ କରୁ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ମୋଟ୍ ଉପରେ ଏସସିବି ପରି ମେଡିକାଲରୁ ଦୈନିକ ହଜାର ହଜାର ଲୋକ ଚିକିତ୍ସା ପାଇଁ ଆସୁଛନ୍ତି । ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ଚେଷ୍ଟା ବି କରୁଛନ୍ତି । ହେଲେ କିଛି ଲାଂଚୁଆ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ଏସସିବି ମେଡିକାଲ।

ରିପୋର୍ଟର- ଦେବାଶିଷ ମହାନ୍ତି