• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୀଭତ୍ସ, ଭୟଙ୍କର, ବର୍ବର । ଦୃଶ୍ୟ ଦେଖିଲେ ଥରି ଉଠୁଛି ସର୍ବାଙ୍ଗ । କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗାଁରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାକ କରିଦେଇଛି ସମସ୍ତଙ୍କୁ । ମୃତକମାନେ ହେଲେ ୪୬ ବର୍ଷିୟ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ପୃଷ୍ଟି, ପ୍ଲସ୍ ଥ୍ରୀ ପଢୁଥିବା ଝିଅ ସ୍ମୃତିସଂଧ୍ୟା, ପ୍ଲସ୍ ଟୁ ପଢୁଥିବା ସୌରଭ ଏବଂ ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସ୍ମୃତି ସାଇ ।

ବନ୍ଦ କୋଠରୀରେ ରକ୍ତରଂଜିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିରହିଛି ମୃତଦେହ । ଆଉ ଏହି ବର୍ବର କାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ଅଲେଖଙ୍କ ସାନ ଭାଇ ଶିବ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣହତ୍ୟା କରିଥିବା ସେ ନିଜେ ସ୍ୱୀକାର କରୁଛି । ୪୩ ବର୍ଷିୟ ଶିବ ସାହୁର କହିବା କଥା, ସୋମବାର ବଡ଼ଭାଇ ସହ ମିଶି ସମସ୍ତେ କୁଆଡ଼େ ତାକୁ ମାରପିଟ୍ କରିଥିଲେ । ସେହି ରାଗରେ ବଡ଼ଭାଇର ସପରିବାରକୁ ସେ ହତ୍ୟା କରିଥିବା କହୁଛି । ହତ୍ୟାକାଣ୍ଡ ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଶିବ ।

ରାତିରେ ରକ୍ତରଂଜିତ ଅପରାଧ, ଆଉ ଦିନରେ ଭିଡ଼ିଓରେ ଅପରାଧର ସ୍ୱୀକାରୋକ୍ତି । କୁସୁପୁର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ କିଛି ବ୍ୟକ୍ତିଙ୍କୁ ପ୍ରଥମେ ସେ ଭିଡ଼ିଓ ପଠାଇଥିଲା । ଏହା ପରେ ଥାନାରେ କରିଥିଲା ଆତ୍ମ ସମର୍ପଣ । ଘଟଣା ପ୍ରଘଟ ହେବା ପରେ ସାରା କୁସୁପୁରରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଜମିଥିଲା ଲୋକଙ୍କ ଭିଡ଼ । ମୃତକଙ୍କ ପଡୋଶୀ ଏବଂ ସମ୍ପର୍କୀୟଙ୍କ କହିବା କଥା, ଅନେକ ଦିନ ହେଲାଣି ଜମିବାଡ଼ିକୁ ନେଇ ଅଲେଖ ଏବଂ ଶିବ ସାହୁ ଭିତରେ ଲାଗିରହିଥିଲା ବିବାଦା । ସେହି ବିବାଦରୁ ସେ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ପତ୍ନୀ ଓ ଏକମାତ୍ର ନାବାଳିକା ଝିଅକୁ ଅନ୍ୟତ୍ର ଛାଡ଼ି ଶିବ ସାହୁ ଡ୍ରାଇଭର କାମ କରି ନିଜ ଗୁଜରାଣ ମେଣ୍ଟାଏ । ବଡ଼ ଭାଇ ଅଲେଖ ସାହୁ ଏକ ପାନ ଦୋକାନ କରି ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚଳୁଥିଲେ । କୁହାଯାଉଛି, ପୂର୍ବରୁ ବଡ଼ ଭାଇ ଅଲେଖ ଭାଇ ବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣି ଶିବ ଥାନାକୁ ଯାଇଥିଲେ । ତେବେ ଘଟଣା କଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବଡ଼ ପ୍ରଶ୍ନ ହେଲା, କଣ ଶିବ ଏକାକୀ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କଲା ?

ଅଭ୍ୟାସଗତ ଅପରାଧୀ ନହୋଇ କେମିତି ଘଟାଇଲା ଏଭଳି ଜଘନ୍ୟ କାଣ୍ଡ ? ଏଭଳି ବୀଭତ୍ସ ହତ୍ୟା ବେଳେ ପାଖ ପଡୋଶୀ କେମିତି ସାମାନ୍ୟ ସୁରାକ୍ ବି ପାଇଲେନି ? ଖଣ୍ଡିଏ କଟୁରୀରେ ୫ ଜଣଙ୍କୁ ଏକୁଟିଆ ହତ୍ୟା କରିବା ଏବଂ ସ୍ୱାଭାବିକ ଢଙ୍ଗରେ ଭିିଡ଼ିଓ ଜାରି କରିବା ଶିବ ପକ୍ଷେ କେତେଦୂର ସମ୍ଭବ ? ୫ ଜଣଙ୍କୁ ହତ୍ୟା ପରେ ବି ହତ୍ୟାକାରୀ ଦେହରେ କେମିତି କୌଣସି ସଂଘର୍ଷର ଚିହ୍ନବର୍ଣ୍ଣ ନାହିଁ ? ହତ୍ୟା ପଛରେ ଆଉ କାହାର ସଂପୃକ୍ତି ନାହିଁ ତ ? ପୋଲିସ୍ ଏବେ ଏସବୁ ଦିଗକୁ ଧରି ତଦନ୍ତ କରୁଛି ।